ଓଡ଼ିଶାଲାଇଭ୍ ବ୍ୟୁରୋ
ହରିୟାଣାରେ ସରଗରମ ହୋଇଛି ନିର୍ବାଚନୀ ମାହୋଲ। ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ବିଧାନସଭା ନିର୍ବାଚନ ପାଇଁ ସମରସଜ୍ଜା ଆରମ୍ଭ କରିଦେଇଛନ୍ତି। ଏହାରି ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କରିଛନ୍ତି ବଡ଼ ଘୋଷଣା। ଏଥର ହରିୟାଣା ବିଧାନସଭା ନିର୍ବାଚନରେ କଂଗ୍ରେସ ଆମ ଆଦମୀ ପାର୍ଟି (ଆପ) ସହ ମେଣ୍ଟ କରି ଲଢ଼ିବ। ଏଥିଲାଗି ଦଳ ହରିୟାଣାର କିଛି ଆସନ ଆପ ପାଇଁ ଛାଡ଼ିଦେବ। ହରିୟାଣା ରାଜ୍ୟ କଂଗ୍ରେସର ଅନେକ ନେତା ଏହା ସପକ୍ଷରେ ନାହାନ୍ତି। ତେବେ ଏନେଇ ଉଭୟ ଦଳର ଶୀର୍ଷ ନେତୃତ୍ୱ ଆଲୋଚନା କରୁଛନ୍ତି।
କାହିଁକି ମେଣ୍ଟ ଚାହୁଁଛନ୍ତି ରାହୁଲ?
ଆସନ୍ତା ବିଧାନସଭା ନିର୍ବାଚନରେ ଦଳ ଏକାକୀ ଲଢ଼ି ସରକାର ଗଠନ ବୋଲି ହରିୟାଣା ରାଜ୍ୟ କଂଗ୍ରେସର ବିଶ୍ୱାସ ରହିଛି। ତଥାପି ଆପ ସହ ମିଶି ନିର୍ବାଚନ ଲଢ଼ିବା ଦଳ ପାଇଁ ଲାଭଦାୟକ ହେବ ବୋଲି ରାହୁଲ ଗାନ୍ଧୀ ଭାବୁଥିବା କୁହାଯାଉଛି।
କ’ଣ ଥିଲା ଲୋକସଭା ନିର୍ବାଚନର ଫଳ
କିଛି ମାସ ପୂର୍ବେ ଭାରତରେ ଲୋକସଭା ନିର୍ବାଚନ ହୋଇଥିଲା। କଂଗ୍ରେସ ଏବଂ ଆପ ସହ ହରିୟାଣା, ଗୁଜରାଟ, ଗୋଆ, ଦିଲ୍ଲୀ ଏବଂ ଚଣ୍ଡୀଗଡ଼ରେ ହାତ ମିଶାଇଥିଲେ। ତେବେ ଫଳାଫଳ ଏତେ ଖରାପ ଆସିଲା ଯେ ଆପ ନେତାମାନେ କହି ବୁଲୁଥିଲେ କଂଗ୍ରେସ ସହ ଆଉ କେବେ ମେଣ୍ଟ କରିବୁ ନାହିଁ। ହରିୟାଣାରେ ଲୋକସଭା ନିର୍ବାଚନରେ କଂଗ୍ରେସକୁ ୧୦ରୁ ୫ଟି ଆସନ ମିଳିଥିଲାବେଳେ ଆମ ଆଦମୀ ପାର୍ଟି ଖାତା ଖୋଲି ପାରିନଥିଲା।
ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଅକ୍ଟୋବର ୫ ତାରିଖରେ ଭୋଟ ଗ୍ରହଣ ହେବ। ରାଜ୍ୟରେ ୨୦୧୯ରେ ହୋଇଥିବା ନିର୍ବାଚନରେ କଂଗ୍ରେସ ୩୧ଟି ଆସନ ଜିତିଥିବାବେଳେ ଆମ ଆଦମୀ ପାର୍ଟି କୌଣସି ଆସନ ଜିତିପାରି ନଥିଲା। ଆପ ଖାତା ଖୋଲି ନ ଥିଲେ ବି ୪ଟି ବିଧାନସଭା କ୍ଷେତ୍ରରେ ନିଜ ସ୍ଥିତି ମଜବୁତ କରିପାରିଥିଲା।
ହରିୟାଣା କଂଗ୍ରେସରେ ଫାଟ!
କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ ସମିତି ବୈଠକରେ ରାହୁଲ ଗାନ୍ଧୀ ମେଣ୍ଟ ପ୍ରସ୍ତାବ ଦେଇଥିଲେ। ତଥାପି ରାହୁଲଙ୍କର ଏପରି ନିଷ୍ପତ୍ତି ହରିୟାଣା କଂଗ୍ରେସର ବରିଷ୍ଠ ନେତାଙ୍କୁ ଚକିତ କରିଥିଲା। ବୈଠକରେ ରାହୁଲ କହିଥିଲେ, ହରିୟାଣା ରାଜ୍ୟ କଂଗ୍ରେସ ମେଣ୍ଟ ପାଇଁ ପ୍ରସ୍ତୁତ ରହିବା ଦରକାର।
ତେବେ ମେଣ୍ଟକୁ ନେଇ ହରିୟାଣା କଂଗ୍ରେସରେ ଭିନ୍ନ ମତ ପ୍ରକାଶ ପାଇଛି। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ହୁଡ୍ଡାଙ୍କ ନେତୃତ୍ୱରେ ଗୋଟିଏ ଗୋଷ୍ଠୀ ମେଣ୍ଟ ସପକ୍ଷରେ ଥିବାବେଳେ ସାଂସଦ କୁମାରୀ ଶୈଳଜାଙ୍କ ନେତୃତ୍ୱାଧୀନ ଅନ୍ୟ ଗୋଟିଏ ଗୋଷ୍ଠୀ ମେଣ୍ଟକୁ ନେଇ କ୍ଷୁବ୍ଧ ଥିବା କୁହାଯାଉଛି।
ଆସନ୍ତା ନିର୍ବାଚନରେ କୌଣସି ପ୍ରକାର ଭୋଟ ବିଭାଜନକୁ ପ୍ରଶ୍ରୟ ଦେବା ପାଇଁ ଚାହୁଁ ନାହାନ୍ତି ରାହୁଲ। ତେଣୁ ମେଣ୍ଟ କଥା ଚିନ୍ତା କରୁଥାଇ ପାରନ୍ତି ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି। ହରିୟାଣାର ଯେଉଁ ଯେଉଁ ଆସନରେ ଗତଥର ଆପ ଭଲ ପ୍ରଦର୍ଶନ କରିଥିଲା ସେହି ଆସନ ହୁଏତ କଂଗ୍ରେସ ଛାଡ଼ି ଦେଇପାରେ ବୋଲି ଅନୁମାନ କରାଯାଉଛି।
ଆମ ଆଦମୀ ପାର୍ଟି ସହ ମେଣ୍ଟ ପଛରେ କଂଗ୍ରେସର ଉଦ୍ଦେଶ୍ୟ
ହରିୟାଣାରେ ଆମ ଆଦମୀ ପାର୍ଟିର ସ୍ଥିତି ମଜଭୁତ ନଥିଲେ ମଧ୍ୟ ମୁସଲିମ, ପଛୁଆ ବର୍ଗ ଏବଂ ଜାଟ ଭୋଟର ଦଳ ସପକ୍ଷରେ ଯାଇପାରନ୍ତି। ସେହିପରି ଯୁବ ବର୍ଗର ଭୋଟ ମଧ୍ୟ ଆପ ସପକ୍ଷରେ ଯାଇପାରେ। ହରିୟାଣାର ସହରୀ ଅଞ୍ଚଳ, ଯାହାକୁ ବିଜେପିର ଗଡ଼ ବୋଲି କୁହାଯାଏ ସେ ଅଞ୍ଚଳର ଭୋଟ ମଧ୍ୟ ଆପ ସପକ୍ଷରେ ଯାଇପାରେ ବୋଲି କୁହାଯାଉଛି।
ଅନ୍ୟପକ୍ଷେ ହରିୟାଣାରେ ଲୋକସଭା ନିର୍ବାଚନର ଫଳାଫଳକୁ ନେଇ ଆକଳନ କଲେ କଂଗ୍ରେସ ୪୨ଟି ଓ ଆପ ୪ଟି ବିଧାନସଭା କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥିଲା। ଏହି ୪୬ଟି ଆସନରେ ମେଣ୍ଟ ଜିତିଲେ ତେବେ ମ୍ୟାଜିକ ନମ୍ବର ଛୁଇଁ ସରକାର ଗଢ଼ିପାରେ କଂଗ୍ରେସ। ଏହି ମେଣ୍ଟ ଯୋଗୁଁ ବିଜେପିର ଭୋଟ ମଧ୍ୟ ବିଭାଜିତ ହୋଇପାରେ। ଏସବୁ ସମୀକରଣକୁ ଦେଖି କଂଗ୍ରେସର କେନ୍ଦ୍ରୀୟ ନେତୃତ୍ଵ ଆମ ଆଦମୀ ପାର୍ଟି ସହ ମେଣ୍ଟ କରିବା ପାଇଁ ନିଷ୍ପତ୍ତି ନେଇ ଥାଇପାରନ୍ତି ବୋଲି ଆଲୋଚନା ହେଉଛି।
Tags: #HaryanaAssemblyElections #Congress #AAP #Allaince #Politics