ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତରପ୍ରଦେଶର ବେହରାଇଚରେ ମଣିଷ ଖିଆ ଗଧିଆ ପଲଙ୍କୁ ନେଇ ଆତଙ୍କିତ ଅବସ୍ଥାରେ ପୂରା ଇଲାକା।

ଉତ୍ତରପ୍ରଦେଶର ବେହରାଇଚରେ ଦେଖାଦେଇଛି ଗଧିଆ ପଲଙ୍କ ଆତଙ୍କ। ମଣିଷ ଖିଆ ଗଧିଆ ପଲଙ୍କ ପାଇଁ ଭୟଭୀତ ଅବସ୍ଥାରେ ଅଛନ୍ତି ୩୫ଟି ଗାଁର ଲୋକେ। କାରଣ ଗତ ୪୯ ଦିନରେ ୧୭ ଜଣଙ୍କର ଜୀବନ ନେଲାଣି ଏହି ନରହନ୍ତା ଗଧିଆ।

ଜଙ୍ଗଲରୁ ଜନବସତି ଆଡ଼କୁ ଚାଲିଆସିଥିବା ଗଧିଆ ପଲ ଯାହାକୁ ଦେଖୁଛନ୍ତି ଅତର୍କିତ ଭାବେ ଆକ୍ରମଣ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ଗଧିଆ ଆକ୍ରମଣରେ ମୋଟ ୧୭ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୮ ଜଣ ଶିଶୁ ରହିଛନ୍ତି। ଗଧିଆ ଆକ୍ରମଣରେ ୪୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। ଗଧିଆମାନଙ୍କୁ କାବୁ କରିବାକୁ ବନ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଥିବାବେଳେ ଗାଁକୁ ଗାଁ ବୁଲି ସତର୍କ ରହିବା ଲାଗି ଲୋକଙ୍କୁ ପରାମର୍ଶ ଦିଆଯାଉଛି।

ବେହରାଇଚ ଜିଲ୍ଲା ଅନ୍ତର୍ଗତ ୩୫ଟି ଗାଁରେ ଏବେ କୋକୁଆ ଭୟ ଖେଳିଯାଇଛି। ବେଳ ଗଡ଼ିବା ମାତ୍ରେ ଲୋକଙ୍କ ଘରର ତାଟିକବାଟ ପଡ଼ୁଛି। ଘରେ ପଶି ଆକ୍ରମଣ କରୁଛନ୍ତି ଏହି ଗଧିଆ ପଲ। ଗଧିଆମାନଙ୍କୁ କାବୁ କରିବାକୁ ବନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ‘ଅପରେସନ ଭେଡିଆ’।

ଗଧିଆମାନଙ୍କୁ ଧରିବାକୁ ଦିନରାତି ଏକ କରିଦେଇଛନ୍ତି ବନବିଭାଗ କର୍ମଚାରୀ, ପୋଲିସ ଓ ସ୍ଥାନୀୟ ବାସିନ୍ଦା। ଡ୍ରୋନ ସାହାଯ୍ୟରେ ଗଧିଆମାନଙ୍କ ଗତିବିଧି ଉପରେ ନଜର ରଖାଯାଉଛି। ଏଯାବତ୍ ୪ଟି ଗଧିଆଙ୍କୁ କାବୁ କରି ଚିଡ଼ିଆଖାନାରେ ଛଡ଼ାଯାଇଥିବାବେଳେ ଦୁଇଟି ଖସି ପଳାଇଛନ୍ତି।

କାହିଁକି ହିଂସ୍ର ହେଉଛନ୍ତି ଗଧିଆ?

ବରିଷ୍ଠ ବନ୍ୟପ୍ରାଣୀ ବୈଜ୍ଞାନିକ ତଥା ଡବ୍ଲ୍ୟୁଆଇଆଇର ପୂର୍ବତନ ଡିନ ଡକ୍ଟର ଓ୍ଵାଇଭି ଝାଲାଙ୍କ କହିବା ଅନୁସାରେ, ବର୍ତ୍ତମାନ ଦ୍ରୁତ ଗତିରେ ଜଙ୍ଗଲ ନଷ୍ଟ ହେବାକୁ ଲାଗିଛି। ଫଳରେ ଗଛଲତା ନଷ୍ଟ ହେବା ସହ ଜଙ୍ଗଲି ଜୀବଜନ୍ତୁ ଓ ସରୀସୃପ ଲୋପ ହେଉଛନ୍ତି। ଗଧିଆମାନେ ସାଧାରଣତଃ ହରିଣ, ଠେକୁଆ, ଅନ୍ୟ ବନ୍ୟଜନ୍ତୁ ଆଦି ଶିକାର କରିଥାନ୍ତି। କିନ୍ତୁ ଜଙ୍ଗଲ ନଷ୍ଟ ହେବାରୁ ଖାଦ୍ୟ ପାଇଁ ଏବେ ଗଧିଆମାନେ ଜନବସତି ମୁହାଁ ହେଉଛନ୍ତି। ଖାଦ୍ୟର ଅଭାବ ପୂରଣ କରିବାକୁ ସେମାନେ ମଣିଷ ଶିକାର କରୁଛନ୍ତି ବୋଲି ଡକ୍ଟର ଝାଲା କହିଛନ୍ତି।

ଉତ୍ତରପ୍ରଦେଶ ଫରେଷ୍ଟ କର୍ପୋରେସନର ଜେନେରାଲ ମ୍ୟାନେଜର ସଞ୍ଜୟ ପାଠକ କହିଛନ୍ତି, ଗଧିଆମାନେ ଯେଉଁମାନଙ୍କର ଶିକାର କରନ୍ତି, ବାରମ୍ବାର ସେମାନେ ସେହି ଶିକାର କରିବାକୁ ଉଦ୍ୟମ କରନ୍ତି। ମଣିଷ ରକ୍ତ ସେମାନଙ୍କ ମୁହଁରେ ଥରେ ଲାଗିବା ପାରେ ସେମାନେ ମଣିଷ ଶିକାର କରିବାକୁ ଲାଗି ପଡ଼ନ୍ତି।

ବେହରାଇଚ ଜିଲ୍ଲାରେ ଆତଙ୍କ ଖେଳାଇଥିବା ଗଧିଆମାନଙ୍କୁ ଧରିବାକୁ ଉଦ୍ୟମ ଜାରି ରହିଛି। ସପ୍ତାହକ ମଧ୍ୟରେ ଗଧିଆମାନଙ୍କୁ ଧରିବାରେ ବିଫଳ ହେଲେ ସେମାନଙ୍କୁ ଗୁଳି କରାଯିବାକୁ ନିଷ୍ପତ୍ତି ହୋଇଥିବା ସଞ୍ଜୟ ପାଠକ କହିଛନ୍ତି।

ଉତ୍ତରପ୍ରଦେଶରେ ନୂଆ ନୁହେଁ ଗଧିଆ ଆକ୍ରମଣ

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଉତ୍ତରପ୍ରଦେଶରେ ଗଧିଆ ଆକ୍ରମଣ ନୂଆ ଘଟଣା ନୁହେଁ। ଏଭଳି ପୂର୍ବରୁ ଅନେକ ଘଟଣା ଘଟିଛି ଏବଂ ଶତାଧିକ ଲୋକ ଗଧିଆ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ଗତ ୧୯୫୦ ମସିହାରେ ଶତାଧିକ ସଂଖ୍ୟକ ଗଧିଆ ଜନବସତି ଆଡ଼କୁ ପଶି ଆସିଥିଲେ। ଘରେ ଏବଂ ବାହାରେ ଲୋକଙ୍କୁ ଆକ୍ରମଣ କରି ମାରି ଦେଉଥିଲେ। ଗଧିଆମାନଙ୍କୁ କାବୁ କରିବାକୁ ବନ ବିଭାଗ କର୍ମଚାରୀ ଓ ଶିକାରୀ ଲାଗିପଡ଼ିଥିଲେ। ପ୍ରାୟ ୨୫ ଦିନର ଅପରେସନ ପରେ ଗଧିଆମାନଙ୍କୁ ହତ୍ୟା କରାଯାଇଥିଲା। ୧୯୯୭ ମସିହାରେ ମଧ୍ୟ ଉତ୍ତରପ୍ରଦେଶରେ ଗଧିଆ ଆତଙ୍କ ଦେଖିବାକୁ ମିଳିଥିଲା।

ପ୍ରାୟ ୨୭ ବର୍ଷ ପରେ ପୁଣି ଉତ୍ତରପ୍ରଦେଶର ବହରାଇଚ ଜିଲ୍ଲାରେ ଗଧିଆ ଆତଙ୍କ ଦେଖାଦେଇଛି।

Tags: #WolfAttack #Death #UttarPradesh #Bahraich #MissionVediya

LEAVE A REPLY

Please enter your comment!
Please enter your name here