ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‌ସି) ଢେଙ୍କାନାଳରେ ‘ପରିବେଶ ଓ ଜଳବାୟୁ ସଙ୍କଟ’ ଉପରେ ଏକ ସ୍ୱତନ୍ତ୍ର ବକ୍ତୃତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ଢେଙ୍କାନାଳ ବନଖଣ୍ଡ ଅଧିକାରୀ ସୁମିତ କୁମାର କର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଷୟରେ ଗଣମାଧ୍ୟମ କିଭଳି ଅଧିକ ଖବର ପ୍ରକାଶ କରିବ ସେ ବାବଦରେ ଏଠାରେ ଆଲୋଚନା କରାଯାଇଛି।

“ସାରା ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶ ପ୍ରଦୂଷଣ ଏକ ମୁଖ୍ୟ ପ୍ରସଙ୍ଗ ପାଲଟିଛି। ଆମ ଦୈନନ୍ଦିନ ଜୀବନଶୈଳୀର ପ୍ରଭାବ ପରିବେଶ ଉପରେ ପଡୁଛି। ରାସାୟନିକ ସାର ଦ୍ଵାରା କୃଷି, ଇଲେକ୍ଟ୍ରୋନିକ୍ସ ଜିନିଷର ଅତ୍ୟଧିକ ବ୍ୟବହାର, ଯାନବାହନ ଓ ବର୍ଜ୍ୟବସ୍ତୁ ଆଦିର ପରିବେଶ ଉପରେ ସିଧାସଳଖ ପ୍ରଭାବ ଦେଖିବାକୁ ମିଳୁଛି। ପରିବେଶ ଅସନ୍ତୁଳିତ ହେବାସହ ଜୀବଜଗତ ମଧ୍ୟ ପ୍ରଭାବିତ ହେଉଛି। ଅନେକ ପଶୁପକ୍ଷୀ ଏ ଧରାପୃଷ୍ଠରୁ ବିଲୁପ୍ତ ହୋଇଯାଉଛନ୍ତି। ଏମିତି ଏକ ସ୍ଥିତିରେ ଲୋକଙ୍କୁ ସଚେତନ କରାଇବାରେ ଗଣମାଧ୍ୟମ ଅଧିକ କାର୍ଯ୍ୟ କରିବା ଆବଶ୍ୟକ”, କହିଛନ୍ତି ସୁମିତ କୁମାର କର।

ସେ ଆହୁରି ମଧ୍ୟ କହିଛନ୍ତି, “ଜଳବାୟୁ ପରିବର୍ତ୍ତନ ବିଷୟରେ ସାମ୍ବାଦିକମାନେ ସଚେତନ ରହି ଖବର ପ୍ରକାଶ କରିବା ଜରୁରୀ। ପରିବେଶ ସମ୍ପର୍କିତ ବିଭିନ୍ନ ଦିଗ ଉପରେ ଗଣମାଧ୍ୟମରେ ଆଲୋଚନା ହେଲେ ସମସ୍ତେ ଏଥିପ୍ରତି ସଚେତନ ହେବେ।”

ଗଣମାଧ୍ୟମରେ ଅଧିକ ସଂଖ୍ୟାରେ ପରିବେଶ ସମ୍ପର୍କିତ ଗବେଷଣାଧର୍ମୀ ଲେଖା ପ୍ରକାଶ ପାଇବା ଦରକାର ବୋଲି ସେ ମତବ୍ୟକ୍ତ କରିଥିଲେ।

ଆଇଆଇଏମ୍‌ସି ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ଆନନ୍ଦ ପ୍ରଧାନ କହିଥିଲେ, “ପରିବେଶ ଓ ଜଳବାୟୁ ଭଳି ପ୍ରସଙ୍ଗର ଆଲୋଚନା ଅଧିକ ହେବା ଦରକାର। ସାମ୍ବାଦିକତା ପାଠ୍ୟକ୍ରମ ପଢୁଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଏ ସମ୍ବନ୍ଧୀୟ ବିଭିନ୍ନ ଦିଗ ଉପରେ ସଚେତନ ରହି ସେହି ଅନୁସାରେ ଖବର ପରିବେଷଣ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ।”

ଏହି କାର୍ଯ୍ୟକ୍ରମରେ ଆଇଆଇଏମ୍‌ସି ଢେଙ୍କାନାଳର ସହକାରୀ ପ୍ରଫେସର ଡକ୍ଟର ବିରଞ୍ଚି ନାରାୟଣ ସେଠଙ୍କ ସମେତ ସବୁ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ।

Tags: #ClimateCrisis #ClimateChange #Media #IIMCDhenkanal

LEAVE A REPLY

Please enter your comment!
Please enter your name here