ଓଡ଼ିଶାଲାଇଭ୍ ବ୍ୟୁରୋ
ଚୀନରେ ଚାଲିଥିବା ଏସିଆନ ଚାମ୍ପିୟନ୍ସ ଟ୍ରଫି ହକିର ସେମିଫାଇନାଲକୁ ଯାଇଛି ଭାରତ। ବୁଧବାର ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟର ଲିଗ୍ ମ୍ୟାଚରେ ମାଲେସିଆକୁ ୮-୧ ଗୋଲ୍ରେ ପରାସ୍ତ କରିଛି ଟିମ ଇଣ୍ଡିଆ। ଭାରତ ବର୍ତ୍ତମାନ ସୁଦ୍ଧା ଖେଳିଥିବା ୩ ମ୍ୟାଚ ଜିତି ୯ ପଏଣ୍ଟ ସହ ଟେବୁଲର ଶୀର୍ଷ ସ୍ଥାନ ଦଖଲ କରିଛି।
ମ୍ୟାଚ୍ ଆରମ୍ଭରୁ ଭାରତ ଲଢ଼ୁଆ ପ୍ରଦର୍ଶନ ଆରମ୍ଭ କରିଥିଲା। ପ୍ରଥମ କ୍ୱାର୍ଟରର ୩ ମିନିଟରେ ଭାରତର ରାଜ କୁମାର ପାଲ ପ୍ରଥମ ଫିଲ୍ଡ ଗୋଲ୍ ଦେଇଥିଲେ। ଏହାର ଅଳ୍ପ ସମୟ ମଧ୍ୟରେ ଅରିଜିତ ସିଂ ହୁଣ୍ଡାଲ୍ ଓ ଯୁଗରାଜ ସିଂହ ଗୋଟିଏ ଲେଖାଏଁ ଗୋଲ ଦେଇ ଦଳକୁ ୩-୦ରେ ଅଗ୍ରଣୀ କରିଥିଲେ।
ଏହାପରେ ମ୍ୟାଚରେ ଭାରତର ସ୍ଥିତି ବହୁତ ମଜଭୁତ ହୋଇଥିଲା। ଅନ୍ୟ କ୍ୱାର୍ଟରଗୁଡ଼ିକରେ ଭାରତୀୟ ଖେଳାଳିମାନେ ଗୋଟିଏ ପରେ ଗୋଟିଏ ଗୋଲ ଦେଇଚାଲିଲେ। ମାଲେସିଆ ମ୍ୟାଚରେ କେବଳ ଗୋଟିଏ ଗୋଲ୍ ଦେବାରେ ସକ୍ଷମ ହୋଇଥିଲା।
ଏହି ମ୍ୟାଚରେ ଭାରତ ପକ୍ଷରୁ ରାଜ କୁମାର ପାଲ ସର୍ବାଧିକ ୩ଟି ଗୋଲ୍ ଦେଇଥିଲେ। ଚଳିତ ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ଣ୍ଣାମେଣ୍ଟରେ ଭାରତ ପୂର୍ବରୁ ଜାପାନ ଓ ଚୀନ ବିପକ୍ଷରେ ମ୍ୟାଚ ଜିତିଥିଲା।
ଏହାପର୍ବରୁ ଭାରତୀୟ ଦଳ ୨୦୧୧, ୨୦୧୬ ଓ ୨୦୨୩ରେ ଏସିଆନ ଚାମ୍ପିୟନ୍ସ ଟ୍ରଫି ଟାଇଟଲ ଜିତିଥିଲା। ଏହାସହ ୨୦୧୮ରେ ପାକିସ୍ତାନ ସହ ଏହି ଏସିଆନ ଚାମ୍ପିୟନ୍ସ ଟ୍ରଫିର ଯୁଗ୍ମ ବିଜେତା ହୋଇଥିଲା ଭାରତ। ଚଳିତ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଭାରତୀୟ ଦଳ ପୁଣି ଟାଇଟଲ ଜିତିବ ବୋଲି ହକିପ୍ରେମୀମାନେ ଆଶାବାଦୀ ଅଛନ୍ତି।
Tags: #AsianHockeyChampionsTrophy #IndiavsMalaysia #HockeyIndia #FIH #Hockey