ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଏବେ ମୌସୁମୀ ସକ୍ରିୟ ରହିଥିବାବେଳେ ସେପ୍ଟେମ୍ବର ୧୨ ତାରିଖରେ ବଙ୍ଗୋପସାଗରର ପଶ୍ଚିମବଙ୍ଗ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ଗୁରୁବାର ବର୍ଷା ପାଇଁ ୧୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଗୁରୁବାର ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ଵର, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ସାମିଲ ରହିଛି। ଏହି ସବୁ ଜିଲ୍ଲାର କିଛି ସ୍ଥାନରେ ୭ରୁ ୧୧ ସେଣ୍ଟିମିଟର ବର୍ଷା ହେବାର ସମ୍ଭାବନା ରହିଛି।

ଅନ୍ୟପଟେ ଦକ୍ଷିଣ ଓଡ଼ିଶାରେ ଆସନ୍ତା ସପ୍ତାହ ଯାଏଁ ବର୍ଷା ସମ୍ଭାବନା ନାହିଁ। ଏହି ସମୟରେ ଉପକୂଳ ଓ ଉତ୍ତର ଓଡ଼ିଶାରେ ଲଘୁଚାପର ଅଧିକ ପ୍ରଭାବ ପଡ଼ିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଓଡ଼ିଶାରେ ଏବେ ମୌସୁମୀ ସକ୍ରିୟ ରହିଥିବାରୁ ଲଘୁଚାପଟି ଅଧିକ ଘନୀଭୂତ ହେଲେ ରାଜ୍ୟରେ ବର୍ଷାର ପରିମାଣ ବଢ଼ିପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

ଜୁନ୍ ୮ ତାରିଖରେ ମୌସୁମୀ ବାୟୁ ଓଡ଼ିଶାରେ ପହଞ୍ଚିଥିଲା। ଏହା ପ୍ରଭାବରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୯୪୨.୮ ମିଲିମିଟର ବର୍ଷା ହୋଇଛି, ଯାହାକି ସ୍ଵାଭାବିକଠାରୁ ୭ ପ୍ରତିଶତ କମ୍ ରହିଛି। ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ସ୍ଵାଭାବିକଠାରୁ ଅଧିକ ବର୍ଷା ହୋଇଥିବାବେଳେ ରାଜ୍ୟର ୧୧ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି।

Tags: #Weather #Monsoon #LowPressure #Rainfall #MCBBSR #Odisha

LEAVE A REPLY

Please enter your comment!
Please enter your name here