ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ବିଧାନସଭାରେ ବୁଧବାର ସିଏଜି ଅଡିଟ୍ ରିପୋର୍ଟ ଉପସ୍ଥାପିତ ହୋଇଛି। ଏଥିରେ କାଳିଆ ଯୋଜନାରେ ହୋଇଥିବା ବ୍ୟାପକ ଅନିୟମିତତାକୁ ଉଲ୍ଲେଖ କରାଯାଇଛି। ଲକ୍ଷ ଲକ୍ଷ ଅଯୋଗ୍ୟ ହିତାଧିକାରୀଙ୍କୁ ‘କାଳିଆ’ ସହାୟତା ରାଶି ପ୍ରଦାନ କରାଯାଇଛି ବୋଲି ରିପୋର୍ଟରେ କୁହାଯାଇଛି।

ସିଏଜିଙ୍କ ଅଡିଟ୍‌ ରିପୋର୍ଟ ଅନୁସାରେ କାଳିଆ ଯୋଜନାରେ ୧୨ ଲକ୍ଷ ୭୨ ହଜାର ଅଯୋଗ୍ୟ ହିତାଧିକାରୀଙ୍କୁ ସହାୟତା ରାଶି ଦିଆଯାଇଛି। ଏଥିରେ ୭୮୨ କୋଟି ଟଙ୍କାର ରାଜସ୍ଵ କ୍ଷତି ହୋଇଛି। ଆବଶ୍ୟକ ତାଲିମ ଓ ଦକ୍ଷତା ବିକାଶ ନକରି ଅନେକ ଭୂମିହୀନ ଚାଷୀଙ୍କୁ ସମସ୍ତ କିସ୍ତି ଦିଆଯାଇଥିଲା। ଏହା ଦ୍ଵାରା ଯୋଜନାର ଉଦ୍ଦେଶ୍ୟ ବିଫଳ ହୋଇଛି ବୋଲି ସିଏଜି ରିପୋର୍ଟରେ ପ୍ରକାଶ ପାଇଛି।

୨୦୧୯ରୁ ୨୦୨୨ ମଧ୍ୟରେ ରାଜ୍ୟର ୬୫ ଲକ୍ଷ ୬୪ ହଜାର ହିତାଧିକାରୀଙ୍କୁ ୬,୪୪୪ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ସେଥିରୁ ୧୫ ଲକ୍ଷ ୯୧ ହଜାର ହିତାଧିକାରୀ ଗୋଟିଏ କିସ୍ତି ବାବଦରେ ୭୩୧ କୋଟି ୩୫ ଲକ୍ଷ ଟଙ୍କା ପାଇଥିବାବେଳେ ୮ ଲକ୍ଷ ୦୯ ହଜାର ହିତାଧିକାରୀ ଦୁଇଟି କିସ୍ତି ବାବଦକୁ ୬୫୯ କୋଟି ୪୯ ଲକ୍ଷ ଟଙ୍କା ପାଇଛନ୍ତି। ତିନିଟି କିସ୍ତି ପାଇଥିବା ୪୧ ଲକ୍ଷ ୬୪ ହଜାର ହିତାଧିକାରୀଙ୍କୁ ୫,୦୫୩ କୋଟି ଟଙ୍କା ପ୍ରଦାନ କରାଯାଇଛି।

ତେବେ ‘କାଳିଆ’ ସହାୟତା ପାଇଥିବା ଅଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରେ ୧୧,୯୭୨ ଜଣ ସରକାରୀ କର୍ମଚାରୀ, ୧୭୯୪ ଜଣ ବୃତ୍ତିଗତ କର ଓ ଆୟକର ଦେଉଥିବା ବ୍ୟକ୍ତି ଓ କିଷାନ କ୍ରେଡିଟ୍ କାର୍ଡ ରଖିଥିବା ୪୮୮୦ ଜଣ ବ୍ୟକ୍ତି ସାମିଲ ଅଛନ୍ତି। ଏହାସହ ପେନସନ୍ ପାଉଥିବା ୧୦୭୪ ଜଣ, ଚାରି ଚକିଆ ଏବଂ ଭାରି ଯାନ ଓ ଟ୍ରାକ୍ଟର ରଖିଥିବା ୫୧୪୫ ଜଣ ବ୍ୟକ୍ତିଙ୍କୁ ମଧ୍ୟ ‘କାଳିଆ’ ଟଙ୍କା ପ୍ରଦାନ କରାଯାଇଛି। ଏହି ସମସ୍ତ ବର୍ଗର ବ୍ୟକ୍ତି ଯୋଜନାର ନିୟମ ଅନୁସାରେ ଟଙ୍କା ପାଇବାକୁ ଯୋଗ୍ୟ ନଥିଲେ ବୋଲି ସିଏଜି ରିପୋର୍ଟରେ କୁହାଯାଇଛି।

ସିଏଜି ରିପୋର୍ଟ ଅନୁସାରେ ଏହି ଯୋଜନାରେ ୫୬ ହଜାର ୬୧୩ ଜଣ ହିତାଧିକାରୀଙ୍କ ‘କାଳିଆ’ ‌ଯୋଜନାରେ ଥିବା ନାମ ଓ ‘ଏସଇସିସି’ରେ ଥିବା ନାମ ମେଳ ଖାଉନଥିଲା। ୨ ଲକ୍ଷ ୭୮ ହଜାର ପରିବାରରେ ଏକାଧିକ ସଦସ୍ୟ ‘କାଳିଆ’ ଟଙ୍କା ପାଇଛନ୍ତି। କିସ୍ତି ରାଶି ପାଇବା ପାଇଁ ନକଲି ବ୍ୟାଙ୍କ ଖାତା ବ୍ୟବହାର କରାଯାଇଥିଲା।

କାଳିଆ ଯୋଜନାରେ ଯେଉଁ ଅଯୋଗ୍ୟ ହିତାଧିକାରୀମାନେ ଟଙ୍କା ପାଇଛନ୍ତି ସେମାନଙ୍କଠାରୁ ତାହା ତୁରନ୍ତ ଅସୁଲ କରିବା ଲାଗି ପଦକ୍ଷେପ ନେବାକୁ ସିଏଜି ରାଜ୍ୟ ସରକାରଙ୍କୁ ସୁପାରିସ କରିଛନ୍ତି। 

Tags: #KaliaYojana #Farmers #CAGReport #Odisha

LEAVE A REPLY

Please enter your comment!
Please enter your name here