ଓଡ଼ିଶାଲାଇଭ୍ ବ୍ୟୁରୋ

ସମ୍ବଲପୁରୀ କଳାକାର ରୁକସାନା ବାନୋଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ସସପେନ୍ସ। ଏହାରି ମଧ୍ୟରେ ରୁକସାନାଙ୍କୁ ସ୍ଲୋ ପଏଜନ ଦେଇ ହତ୍ୟା କରାଯାଇଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି।

ରୁକସାନା ୧୫ ଦିନ ତଳେ ଗୀତ ସୁଟିଂ ପାଇଁ ବଲାଙ୍ଗିର ଯାଇଥିଲେ। ଅଗଷ୍ଟ ୨୭ ତାରିଖ ଦିନ ସେ ସୁଟିଂ ବେଳେ ଅସୁସ୍ଥ ହୋଇପଡ଼ିଥିଲେ। ରୁକସାନାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଭବାନୀପାଟଣା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।

ପରେ ତାଙ୍କୁ ବଲାଙ୍ଗିର ସ୍ଥିତ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଅବସ୍ଥାରେ ସୁଧାର ନଆସିବାରୁ ତାଙ୍କୁ ଚିକିତ୍ସା ପାଇଁ ବରଗଡ଼ର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଭୁବନେଶ୍ଵରସ୍ଥିତ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ରାତିରେ ରୁକସାନାଙ୍କର ମୃତ୍ୟୁ ହୋଇଥିଲା।

ରୁକସାନାଙ୍କ ମୃତ୍ୟୁ ପରେ ତାଙ୍କ ମା’ ଆଣିଛନ୍ତି ସଙ୍ଗୀନ ଅଭିଯୋଗ, ସେ କହିଛନ୍ତି ତାଙ୍କ ଝିଅ କୌଣସି ରୋଗରେ ପୀଡ଼ିତ ନଥିଲେ, ତାଙ୍କୁ ବିଷ ଦେଇ ହତ୍ୟା କରାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ସୁଟିଂ ସେଟରେ ଥଣ୍ଡା ପାନୀୟ ପିଇବା ପରେ ପରେ ଅସୁସ୍ଥ ହୋଇପଡ଼ିଥିଲେ ରୁକସାନା। ପର ଦିନ ତାଙ୍କ ଅବସ୍ଥା ଅଧିକ ବିଗିଡ଼ି ଯାଇଥିଲା।

କେବଳ ସେତିକି ନୁହେଁ, ରୁକସାନାଙ୍କୁ ସମ୍ବଲପୁର ଓ ବରଗଡ଼ ଲୋକଙ୍କ ସହ କାମ ନକରିବା ଲାଗି ବାରମ୍ବାର ଧମକ୍ ଦିଆଯାଉଥିବା ତାଙ୍କ ଅଭିଯୋଗ କରିଛନ୍ତି।

ସୋସିଆଲ ମିଡିଆରେ ରିଲ୍ସ କରି ଲୋକପ୍ରିୟତା ହାସଲ କରିବା ପରେ ରୁକସାନାଙ୍କ ନିକଟକୁ ସମ୍ବଲପୁରୀ ମ୍ୟୁଜିକ ଆଲବମରେ ଅଭିନୟ କରିବାକୁ ଅଫର ଆସିଥିଲା। ରୁକସାନା ଅନେକ ସମ୍ବଲପୁରୀ ମ୍ୟୁଜିକ ଆଲବମରେ ଅଭିନୟ କରିଛନ୍ତି। ।

 Tags: #RuksanaBano #SambalpuriActress #Death #DeathSuspense #Odisha #MurderAllegation

LEAVE A REPLY

Please enter your comment!
Please enter your name here