ଓଡ଼ିଶାଲାଇଭ୍ ବ୍ୟୁରୋ

ସେପ୍ଟେମ୍ବର ୨୧ରୁ ପୁଣି ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ। ଏହା ୨୩ ତାରିଖ ଯାଏଁ ୩ ଦିନ ଧରି ଚାଲିବ। ଏଥିପାଇଁ ବୁଧବାର ଦିନ ୧ଟାରୁ ନିରୀକ୍ଷଣ କାର୍ଯ୍ୟ ସରିବା ଯାଏଁ ଶ୍ରୀମନ୍ଦିର‌ରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ରତ୍ନଭଣ୍ଡାରର ବୈଷୟିକ ଯାଞ୍ଚରେ ଏଏସଆଇ ଓ ଶ୍ରୀମନ୍ଦିର ପ୍ରଶାସନର ମିଳିତ ଟିମ୍ ସାମିଲ ହେବେ। ଦିନ ୨ଟାରୁ ସନ୍ଧ୍ୟା ୬ଟା ଯାଏଁ ସର୍ଭେ କରାଯିବ। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ବା ଏସଓପି ଅନୁସାରେ ନିରୀକ୍ଷଣ ହେବ।

ସେପ୍ଟେମ୍ବର ୧୮ ତାରିଖରେ ରତ୍ନଭଣ୍ଡାର ଖୋଲାଯାଇ ଗୋଟିଏ ଦିନ ପାଇଁ ବୈଷୟିକ ସର୍ଭେ କରାଯାଇଥିଲା। ତେବେ ସେପ୍ଟେମ୍ବର ୨୪ ତାରିଖ ସୁଦ୍ଧା ଶ୍ରୀମନ୍ଦିର ରତ୍ନଭଣ୍ଡାରର ବାକି ଥିବା ବୈଷୟିକ ସର୍ଭେ କାର୍ଯ୍ୟ ସାରିବାକୁ ଏଏସଆଇ ମହାନିର୍ଦ୍ଦେଶକଙ୍କୁ ପତ୍ର ଲେଖିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ। ଏହାକୁ ନେଇ ଏଏସଆଇ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।

ଏଏସଆଇକୁ ରତ୍ନଭଣ୍ଡାରର ବୈଷୟିକ ସର୍ଭେ କରିବା ପାଇଁ ବିଭିନ୍ନ ଯନ୍ତ୍ରପାତି ବ୍ୟବହାର କରିବାକୁ ଅନୁମତି ମିଳିଛି। ଏହାସହ ସର୍ବେକ୍ଷଣ ସମ୍ପର୍କିତ ଫଟୋ ଓ ଭିଡିଓ ମଧ୍ୟ ଉତ୍ତୋଳନ କରାଯିବ। ତେବେ ଏହା କେବଳ ବୈଜ୍ଞାନିକ ଅନୁସନ୍ଧାନ ପାଇଁ ବ୍ୟବହାର କରାଯିବ, କୌଣସି ମିଡିଆ କିମ୍ବା ସୋସିଆଲ୍ ମିଡିଆରେ ପ୍ରସାରିତ କରିବାକୁ ବାରଣ କରାଯାଇଛି।

ଅନ୍ୟପଟେ ଆସନ୍ତା ୩ ଦିନ ରତ୍ନଭଣ୍ଡାରର ଯାଞ୍ଚ ବେଳେ ମହାପ୍ରଭୁଙ୍କ ନୀତିକାନ୍ତି ପାଇଁ ସ୍ଵତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ଏଥିପାଇଁ ବୁଧବାର ଦିନ ୧ଟାରୁ ନିରୀକ୍ଷଣ କାର୍ଯ୍ୟ ସରିବା ଯାଏଁ ଶ୍ରୀମନ୍ଦିର‌ରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ତେବେ ଏହି ସମୟରେ ଭକ୍ତମାନେ ସିଂହ ଦ୍ଵାର ପଟେ ବାଇଶି ପାହାଚ ଦେଇ ଆନନ୍ଦ ବଜାରରୁ ମହାପ୍ରସାଦ କିଣି ଉତ୍ତର ଦ୍ଵାର ଦେଇ ପ୍ରସ୍ଥାନ କରିପାରିବେ।

Tags: #ShreeMandir #Ratnabhandar #ASI #Puri #Odisha

LEAVE A REPLY

Please enter your comment!
Please enter your name here