ଓଡ଼ିଶାଲାଇଭ୍ ବ୍ୟୁରୋ

କୋଲକାତାର ଆରଜି କର ମେଡିକାଲ କଲେଜରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଚାଲିଥିବା ଜୁନିୟର୍‌ ଡାକ୍ତରମାନଙ୍କ ଆନ୍ଦୋଳନ ଶେଷ ହେବାକୁ ଯାଉଛି। ସେମାନେ ଶନିବାରଠାରୁ ଡାକ୍ତରଖାନାରେ ସେବା ଆରମ୍ଭ କରିବେ। ୪୧ ଦିନ ପରେ ସେମାନେ ଧର୍ମଘଟ ବନ୍ଦ କରିବାକୁ ଯାଉଛନ୍ତି।

ଜୁନିୟର୍‌ ଡାକ୍ତରମାନେ ମାମଲାରେ ତଦନ୍ତ ତ୍ୱରାନ୍ୱିତ କରିବାକୁ ଦାବି କରିଛନ୍ତି। ଏନେଇ ସେମାନେ ଶୁକ୍ରବାର ଅପରାହ୍ଣ ୩ଟାରୁ କୋଲକାତାର ସିବିଆଇ କାର୍ଯ୍ୟାଳୟ ଯାଏଁ ଏକ ଶୋଭାଯାତ୍ରା କରିବେ।

ଏହାପୂର୍ବରୁ ଜୁନିୟର୍‌ ଡାକ୍ତରମାନେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ରାଜ୍ୟରେ ଡାକ୍ତରମାନଙ୍କ ସୁରକ୍ଷା ନେଇ ଆଶ୍ଵସନା ଦେଇଥିଲେ। ଏହାସହ ଗୁରୁବାର ଡାକ୍ତରମାନେ ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ପନ୍ତଙ୍କ ନିକଟକୁ ପଶ୍ଚିମବଙ୍ଗ ସରକାରଙ୍କ ସହ ହୋଇଥିବା ଆଲୋଚନାର ଏକ ବିବରଣୀ ଦାଖଲ କରିଥିଲେ।

କ’ଣ ଥିଲା ଘଟଣାକ୍ରମ

ଅଗଷ୍ଟ ୯ ତାରିଖରେ କୋଲକାତାର ଆରଜି କର ମେଡିକାଲ କଲେଜରେ ଜଣେ ୩୧ ବର୍ଷୀୟ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିଲା। ସେ ସେଠାରେ ଚେଷ୍ଟ ମେଡିସିନ ବିଭାଗର ପିଜି ଦ୍ଵିତୀୟ ବର୍ଷର ଛାତ୍ରୀ ଥିଲେ। ମେଡିକାଲ କଲେଜର ସେମିନାର ହଲରେ ତାଙ୍କର ମୃତ ଦେହ ମିଳିଥିଲା।

ତେବେ ଏହି ଘଟଣାକୁ ପୋଲିସ ପ୍ରଥମେ ଆତ୍ମହତ୍ୟା ମାମଲା ଭାବେ ଗ୍ରହଣ କରିବାର ଅଭିଯୋଗ ହୋଇଥିଲା। ପରେ ବ୍ୟବଚ୍ଛେଦ ରିପୋର୍ଟରୁ ମହିଳା ଜଣଙ୍କ ସହ ପ୍ରଥମେ ଦୁଷ୍କର୍ମ କରାଯିବା ପରେ ତାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା। ଏହାପରେ ପଶ୍ଚିମବଙ୍ଗ ସମେତ ସାରା ଭାରତରେ ଡାକ୍ତରଙ୍କ ଆନ୍ଦୋଳନ ଆରମ୍ଭ ହୋଇଥିଲା।

Tags: #KolkataRapeandMurderCase #TraineeDoctor #MedicalStudent #Strike #Kolkata

LEAVE A REPLY

Please enter your comment!
Please enter your name here