ଓଡ଼ିଶାଲାଇଭ୍ ବ୍ୟୁରୋ

ଭରତପୁର ଥାନା ଘଟଣାକୁ ନେଇ ସୋମବାର ଓଡ଼ିଶା ହାଇକୋର୍ଟ ଶୁଣାଣି କରିଛନ୍ତି। ନିଜ ଆଡୁ ମାମଲା ରୁଜୁ କରି ଶୁଣାଣି କରିଛନ୍ତି ହାଇକୋର୍ଟ। ଏଠାରେ ମାମଲାର ତଦନ୍ତରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଛନ୍ତି। ଏହାସହ ଥାନାରେ ସିସିଟିଭି ନଥିବା ପ୍ରସଙ୍ଗରେ ଉଦବେଗ ପ୍ରକାଶ କରିଛନ୍ତି।
ଭରତପୁର ଥାନା ମାମଲାରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହଙ୍କ ଖଣ୍ଡପୀଠ ଶୁଣାଣି କରିଥିଲେ। ଶୁଣାଣି ସମୟରେ ରାଜ୍ୟର ଥାନାଗୁଡ଼ିକରେ ସିସିଟିଭି ଲଗାଇବା ଉପରେ ଗୁରୁତ୍ଵାରୋପ କରିଛନ୍ତି ହାଇକୋର୍ଟ।
“ଓଡ଼ିଶାରେ ୬୫୦ଟି ଥାନା ରହିଛି। ସେଥିରୁ ୫୫୯ଟି ଥାନାରେ ସିସିଟିଭି ଲାଗିଛି। କିଛି ନୂଆ ଥାନାରେ ସିସିଟିଭି ଲଗାଯାଇ ନାହିଁ। ଭରତପୁର ଏକ ଆଦର୍ଶ ଥାନା ହୋଇ ମଧ୍ୟ ଏଠାରେ ସିସିଟିଭି କ୍ୟାମେରା ନଥିବା ବଡ଼ ଉଦବେଗଜନକ ବିଷୟ। ସିସିଟିଭି ଲଗାଇବା ବାବଦରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମାକୁ ରାଜ୍ୟରେ କାର୍ଯ୍ୟକାରୀ କରାଯିବା ଜରୁରୀ”, କହିଛନ୍ତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ।
ଏଠାରେ ଓଡ଼ିଶା ପୋଲିସର ଅତିରିକ୍ତ ଡିଜି (ଆଧୁନିକୀକରଣ) ଦୟାଲ ଗଙ୍ଗୱାରଙ୍କୁ ଓଡ଼ିଶାର ସବୁ ଥାନାରେ ସିସିଟିଭି ଲାଗିବା ସମ୍ପର୍କରେ ରିପୋର୍ଟ ଦେବାକୁ କୁହାଯାଇଛି। ତିନି ସପ୍ତାହ ମଧ୍ୟରେ ଏହି ରିପୋର୍ଟକୁ ହାଇକୋର୍ଟରେ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି।
ଶୁଣାଣିବେଳେ ଭରତପୁର ଥାନା ଘଟଣାର ତଦନ୍ତରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି ଓଡ଼ିଶା ହାଇକୋର୍ଟ। ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ହୋଇସାରିଛି ଏବଂ କ୍ରାଇମବ୍ରାଞ୍ଚ୍ ମଧ୍ୟ ଏହାର ତଦନ୍ତ କରୁଥିବାରୁ ଏଥିରେ ହାଇକୋର୍ଟ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି।
ଅନ୍ୟପଟେ ଘଟଣାରେ ପୀଡ଼ିତ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କ ନାଁ ବାହାରେ ପ୍ରକାଶ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ବରିଷ୍ଠ ଆଇନଜୀବୀ ଗୌତମ ମିଶ୍ରଙ୍କୁ ହାଇକୋର୍ଟ ଏହି ମାମଲାରେ ଆମିକସ କ୍ୟୁରୀ ନିଯୁକ୍ତ କରିଛନ୍ତି।
ସୋମବାର ଏହି ମାମଲାର ଶୁଣାଣିବେଳେ ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଓଡ଼ିଶା ସରକାରଙ୍କ ପକ୍ଷ ରଖିଥିଲେ। ଏଠାରେ ମାମଲାର ବିଚାର ବିଭାଗୀୟ ତଦନ୍ତ, କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଓ ପୋଲିସଙ୍କ ନିଲମ୍ବନ ସଂକ୍ରାନ୍ତରେ ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା।
ଭରତପୁର ଥାନା ଘଟଣାର ଉପଯୁକ୍ତ ତଦନ୍ତ କରିବା ପାଇଁ ପୋଲିସ ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଅକ୍ଟୋବର ୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
Tags: #BharatpurPoliceStationCase #OdishaHighCourt #JudicialEnquiry #Odisha