ଓଡ଼ିଶାଲାଇଭ୍ ବ୍ୟୁରୋ

ସମ୍ବଲପୁରୀ କଳାକାର ରୁକସାନା ବାନୋଙ୍କ ମୃତ୍ୟୁକୁ ନେଇ ଗାୟକ ରୁକୁ ସୁନାଙ୍କ ଅଡ଼ୁଆ ବଢ଼ିଛି। ସମ୍ବଲପୁରର ଜଣାଶୁଣା ଗାୟକ ତଥା ଆଲବମ ଅଭିନେତା ରୁକୁ ସୁନାଙ୍କ ବିରୋଧରେ ଏତଲା ଦେଇଛନ୍ତି ମୃତକଙ୍କ ପରିବାର ଲୋକ।

ରୁକୁ ସୁନାଙ୍କ ସମେତ ମୋଟ ୫ ଜଣଙ୍କ ବିରୋଧରେ ଭବାନୀପାଟଣା ଟାଉନ ଥାନାରେ ଏତଲା ଦିଆଯାଇଛି। ରୁକୁ ସୁନା, ଆଲବମ ଅଭିନେତା ଆଲେକ୍ସ ଓ ଜିତ ଏବଂ ବରଗଡ଼ର ଏକ ଘରୋଇ ହସ୍ପିଟାଲର ଦୁଇଜଣ ଡାକ୍ତରଙ୍କ ନାଁରେ ଏତଲା ଦିଆଯାଇଛି।

ରୁକସାନାଙ୍କୁ ବିଷ ଦେଇ ହତ୍ୟା କରାଯାଇଥିବା ତାଙ୍କ ମା’ ଓ ଭଉଣୀ ଅଭିଯୋଗ କରିଛନ୍ତି। ରୁକସାନାଙ୍କୁ ନ୍ୟାୟ ଦେବା ଲାଗି ବିଭିନ୍ନ ମହଲରେ ଦାବି ହେଉଥିବାବେଳେ ଭବାନୀପାଟଣା ଗାନ୍ଧୀ ଛକରେ ବିଭିନ୍ନ ସଂସ୍ଥା ପକ୍ଷରୁ କ୍ୟାଣ୍ଡେଲ ରାଲି କରାଯାଇଛି।

ସେପ୍ଟେମ୍ବର ୧୯ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ରୁକସାନାଙ୍କର ମୃତ୍ୟୁ ହୋଇଥିଲା। ରୁକସାନାଙ୍କ ମୃତ୍ୟୁ ପରେ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଥିଲେ।

ଗତ ଅଗଷ୍ଟ ୨୭ ତାରିଖରେ ବଲାଙ୍ଗିରଠାରେ ଏକ ମ୍ୟୁଜିକ ଆଲବମର ସୁଟିଂ ଚାଲିଥିଲା ବେଳେ ରୁକସାନା ଅସୁସ୍ଥ ହୋଇପଡ଼ିଥିଲେ। ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ପରେ ତାଙ୍କୁ ବଲାଙ୍ଗିର ସ୍ଥିତ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଅବସ୍ଥାରେ ସୁଧାର ନଆସିବାରୁ ତାଙ୍କୁ ଚିକିତ୍ସା ପାଇଁ ବରଗଡ଼ର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଭୁବନେଶ୍ଵରସ୍ଥିତ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

ରୁକସାନାଙ୍କ ମୃତ୍ୟୁ ପରେ ତାଙ୍କ ମା’ ଅଭିଯୋଗ କରିଥିଲେ ତାଙ୍କ ଝିଅ କୌଣସି ରୋଗରେ ପୀଡ଼ିତ ନଥିଲେ, ତାଙ୍କୁ ବିଷ ଦେଇ ହତ୍ୟା କରାଯାଇଛି। ସେ ଆହୁରି ମଧ୍ୟ କହିଥିଲେ ସୁଟିଂ ସେଟରେ ଥଣ୍ଡା ପାନୀୟ ପିଇବା ପରେ ପରେ ଅସୁସ୍ଥ ହୋଇପଡ଼ିଥିଲେ ରୁକସାନା। ପର ଦିନ ତାଙ୍କ ଅବସ୍ଥା ଅଧିକ ବିଗିଡ଼ି ଯାଇଥିଲା।

କେବଳ ସେତିକି ନୁହେଁ, ରୁକସାନାଙ୍କୁ ସମ୍ବଲପୁର ଓ ବରଗଡ଼ ଲୋକଙ୍କ ସହ କାମ ନକରିବା ଲାଗି ବାରମ୍ବାର ଧମକ୍ ଦିଆଯାଉଥିବା ମଧ୍ୟ ସେ ଅଭିଯୋଗ କରିଥିଲେ।

ସୋସିଆଲ ମିଡିଆରେ ରିଲ୍ସ କରି ଲୋକପ୍ରିୟତା ହାସଲ କରିବା ପରେ ରୁକସାନାଙ୍କ ନିକଟକୁ ସମ୍ବଲପୁରୀ ମ୍ୟୁଜିକ ଆଲବମରେ ଅଭିନୟ କରିବାକୁ ଅଫର ଆସିଥିଲା। ରୁକସାନା ଅନେକ ସମ୍ବଲପୁରୀ ମ୍ୟୁଜିକ ଆଲବମରେ ଅଭିନୟ କରିଛନ୍ତି।

Tags: #RuksanaBano #SambalpuriActress #Death #DeathSuspense #Odisha #MurderAllegation

LEAVE A REPLY

Please enter your comment!
Please enter your name here