ଓଡ଼ିଶାଲାଇଭ୍ ବ୍ୟୁରୋ

ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ବୁଧବାର ଦ୍ଵିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଜାରି ରହିଛି। ରାଜ୍ୟର ୨୬ଟି ବିଧାନସଭା ଆସନରେ ଭୋଟରମାନେ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି। ସକାଳ ୭ଟାରୁ କଡ଼ା ସୁରକ୍ଷା ମଧ୍ୟରେ ଏହି ସବୁ ଆସନରେ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଛି।

ଦ୍ଵିତୀୟ ପର୍ଯ୍ୟାରେ ଜମ୍ମୁ କଶ୍ମୀରର ମୋଟ ୨୫ ଲକ୍ଷ ୭୮ ହଜାର ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ଏଥିପାଇଁ ୩,୫୦୨ଟି ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ଏଥିରୁ ୧,୦୫୬ଟି ସହରାଞ୍ଚଳରେ ଓ ୨,୪୪୬ଟି ଗ୍ରାମାଞ୍ଚଳରେ ରହିଛି। ଏହି ପର୍ଯ୍ୟାୟରେ ପ୍ରାୟ ୧୫ ହଜାର ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି।   

ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନରେ ଭୋଟ ଗ୍ରହଣ ହେଉଥିବା ୨୬ଟି ବିଧାନସଭା ଆସନ ଜମ୍ମୁ କଶ୍ମୀରର ୬ଟ୍ି ଜିଲ୍ଲାରେ ରହିଛି। ସେଥିମଧ୍ୟରୁ ମଧ୍ୟରୁ ୩ଟି ଜମ୍ମୁ ଅଞ୍ଚଳର ଥିବାବେଳେ ବାକି ୩ଟି ଜିଲ୍ଲା କଶ୍ମୀର ଅଞ୍ଚଳରେ ରହିଛି। ଏହିସବୁ ଆସନରେ ମୋଟ ୨୩୯ ଜଣ ପ୍ରାର୍ଥୀ ପ୍ରତିଦ୍ଵନ୍ଦ୍ଵିତା କରୁଛନ୍ତି। ସେମାନଙ୍କ ମଧ୍ୟରେ ୨୩୩ ଜଣ ପୁରୁଷ ଏବଂ ୬ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି।

ସେହିପରି ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସବୁ ମତଦାନ କେନ୍ଦ୍ରରେ ପୋଲିସ ଓ ଅର୍ଦ୍ଧସାମରିକ ବାହିନୀର ଯବାନଙ୍କୁ ମୁତୟନ କରାଯାଇଛି। ଏହାସହ ଭୋଟ୍ ଗ୍ରହଣ ହେଉଥିବା ଜିଲ୍ଲାଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

୨୦୧୯ରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟିବା ପରେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ହେଉଛି। ଏଥିରେ ୩ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ। ସେପ୍ଟେମ୍ବର ୧୮ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହୋଇଥିଲା। ଦ୍ଵିତୀୟ ପର୍ଯ୍ୟାୟ ପରେ ଅକ୍ଟୋବର ୧ ତାରିଖରେ ତୃତୀୟ ତଥା ଶେଷ ପର୍ଯ୍ୟାୟ ମତଦାନ ହେବ।

ଏହି ନିର୍ବାଚନରେ କଂଗ୍ରେସ ଓ ଜମ୍ମୁ କଶ୍ମୀର ନାସନାଲ କନଫରେନ୍ସ ମେଣ୍ଟ କରି ନିର୍ବାଚନ ଲଢୁଛନ୍ତି। ସେହିପରି ବିଜେପି ଓ ପିଡିପି ଅଲଗା ଅଲଗା ନିର୍ବାଚନ ମଇଦାନରେ ଓହ୍ଲାଇଛନ୍ତି। ତେବେ ଅନେକ ଆସନରେ ସ୍ଵାଧୀନ ପ୍ରାର୍ଥୀମାନେ କଡ଼ା ଟକ୍କର ଦେଉଥିବା ଦେଖିବାକୁ ମିଳୁଛି।

Tags: #JammuKashmirAssemblyElections2024 #Voting #Voters #ECI #Jammu&Kashmir #India    

LEAVE A REPLY

Please enter your comment!
Please enter your name here