ମିନତି ମିଶ୍ର

କ୍ଷମତାକୁ ଆସିବା ପରେ ପ୍ରଥମ ଥର ଜିଲ୍ଲାପାଳ ସମ୍ମିଳନୀ କରିଛନ୍ତି ମୋହନ ସରକାର। ଏହି ଦୁଇ ଦିନିଆ ସମ୍ମିଳନୀ ଲୋକସେବା ଭବନର କନଭେନସନ ହଲ୍‌ରେ ଆୟୋଜିତ ହୋଇଛି। ପ୍ରଥମ ଦିନରେ ଏଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ଅଭିଭାଷଣ ରଖିଥିଲେ। ପ୍ରଶାସନିକ ଦାୟିତ୍ୱରେ ଥିବା ବାବୁମାନଙ୍କ ଆଚରଣ, ଉଚ୍ଚାରଣ କେମିତି ହେବ, ଏହାସହ ଜନସେବା ସହ ଦୁର୍ନୀତିମୁକ୍ତ ଶାସନ କିପରି କରାଯିବ ସେ ବିଷୟରେ ପରାମର୍ଶ ଦେଇଥିଲେ। ନିଜ ଅନୁଭୂତିର ଉଦାହରଣ ଦେଇ ଅଧିକାରୀମାନଙ୍କୁ ବୁଝାଇଥିଲେ ମୁଖ୍ୟମନ୍ତ୍ରୀ।

କ୍ଷେତ୍ର ପରିଦର୍ଶନ ଉପରେ ଗୁରୁତ୍ୱ

ରାଜ୍ୟରେ ଦୁର୍ନୀତି ନେଇ ଶୂନ୍ୟ ସହନଶୀଳତା ଅବଲମ୍ବନ କରିବା ଉପରେ ଗୁରୁତ୍ୱ ଦେଇଥିଲେ ମୁଖ୍ୟମନ୍ତ୍ରୀ।  

“ଜିଲ୍ଲାପାଳମାନଙ୍କୁ ଯଥେଷ୍ଟ କ୍ଷମତା ଦିଆଯାଇଛି। ପ୍ରତିମାସରେ କିଛି ଦିନ ସମୟ ବାହାର କରି କ୍ଷେତ୍ର ପରିଦର୍ଶନ କରିପାରିଲେ ତଳ ସ୍ତରରେ କେଉଁଠି ଅନିୟମିତତା ଚାଲିଛି ସେମାନେ ଜାଣିପାରିବେ। ଏହାଦ୍ଵାରା ଲୋକଙ୍କୁ ତ୍ୱରିତ ସେବା ପ୍ରଦାନ କରିବା ଏବଂ ଦୁର୍ନୀତି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇହେବ” କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।  

ବାଲି ଓ ଲଘୁଖଣିଜ ଚୋରା କାରବାର ବନ୍ଦ କରିବାକୁ ନିର୍ଦ୍ଦେଶ

ବାଲି ଚୋରା ଚାଲାଣ ଓ ଲଘୁ ଖଣିଜ ପଦାର୍ଥର ଚୋରା କାରବାରକୁ ରୋକିବା ଦିଗରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହାଦ୍ୱାରା ରାଜସ୍ୱ ହାନି ହେବାସହ ପରିବେଶ ଉପରେ ଖରାପ ପ୍ରଭାବ ପଡୁଛି। ତେଣୁ ଏପରି କାରବାରରେ ଯିଏ ଦୋଷୀ ତାଙ୍କୁ ବରଦାସ୍ତ ନ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଶାସନିକ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଦରକାର ପଡିଲେ ଡ୍ରୋନ ଟେକ୍ନୋଲୋଜି ବ୍ୟବହାର କରି ଏହାକୁ ରୋକିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

ଚୋରା ମଦ କାରବାର ରୋକିବା ପାଇଁ ତାଗିଦ

ରାଜ୍ୟରେ ଚୋରା ମଦ କାରବାରକୁ ତୁରନ୍ତ ରୋକାଯିବା ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିପାଇଁ ନିୟମିତ ଚଢ଼ଉ କରିବା ଦରକାର। ନିଜ ନିଜ ଜିଲ୍ଲାରେ ଯେପରି ଚୋରା ମଦ କାରବାର ବନ୍ଦ କରାଯିବ ତାହାର ଦାୟିତ୍ୱ ଜିଲ୍ଲାପାଳମାନେ ନେବେ ବୋଲି ସେ ନିର୍ଦ୍ଦେଶ ଦେଇଥିଲେ। ଯଦି ଏହି ଚୋରା କାରବାର ବନ୍ଦ ନ ହୁଏ ତେବେ ଏଥିପାଇଁ ସଂପୃକ୍ତ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକମାନେ ଦାୟୀ ରହିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଜନଜାତି ସଂପ୍ରଦାୟଙ୍କ ପାଇଁ ଦରଦ

ବୌଦ୍ଧ, ବରଗଡ଼, ସମ୍ବଲପୁର, ବଲାଙ୍ଗୀର ଆଦି ଅନେକ ଜିଲ୍ଲାରେ ଥିବା ଆଦିବାସୀ ସଂପ୍ରଦାୟର ଲୋକେ ଜୀବନଜୀବିକା ପାଇଁ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରନ୍ତି। ଜଙ୍ଗଲଜାତ ଦ୍ରବ୍ୟ ଉପରେ ସେମାନଙ୍କର ଅଧିକାର ରହିଛି, ହେଲେ ଜଙ୍ଗଲ ସଂରକ୍ଷଣ ନୀତିର ଆଳ ଦେଖାଇ ସେମାନଙ୍କୁ ଅଯଥା ହଇରାଣ ହରକତ କରାଯାଉଥିବା ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଅନେକ ସମୟରେ ହିଂସାତ୍ମକ କାଣ୍ଡ ଘଟୁଛି। ଏପରି କ୍ଷେତ୍ରରେ ପରିସ୍ଥିତିକୁ ଦେଖି ପ୍ରଶାସନିକ ଅଧିକାରୀମାନେ ନିଷ୍ପତ୍ତି ନେଇ ଜନଜାତି ସଂପ୍ରଦାୟକୁ ସହଯୋଗ କରିବା ଉଚିତ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ।

ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଉନ୍ନତି ଉପରେ ଫୋକସ

ମୁଖ୍ୟମନ୍ତ୍ରୀ କହିଥିଲେ, “ପ୍ରାଥମିକ ଶିକ୍ଷାର ମାନ ରାଜ୍ୟରେ ବିପର୍ଯ୍ୟସ୍ତ ହୋଇପଡ଼ିଛି। ପୂର୍ବ ସରକାରରେ ୫ଟି ନାମରେ କେବଳ ସ୍କୁଲର ଚାକଚକ୍ୟ ବଢ଼ିଥିଲା, କିନ୍ତୁ ଗୁଣବତ୍ତା ବଢ଼ିନି। ତେଣୁ ପ୍ରାଥମିକ ସ୍କୁଲରେ ଶିକ୍ଷକ ନିଯୁକ୍ତି, ପାଠପଢ଼ା ଉପରେ ଗୁରୁତ୍ୱ, ପଞ୍ଚାୟତସ୍ତରରେ ମଡେଲ ସ୍କୁଲ ପ୍ରତିଷ୍ଠା ଉପରେ ଆମେ ଗୁରୁତ୍ୱ ଦେବୁ।”

ସ୍ୱଚ୍ଛ ଶାସନ ଉପରେ ଗୁରୁତ୍ୱ

ସ୍ୱଚ୍ଛ ଶାସନ ଉପରେ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, “ପୂର୍ବରୁ ଜଣେ ଅଧିକାରୀ ଦୀର୍ଘ ବର୍ଷ ଧରି ଗୋଟିଏ ଜାଗାରେ ରହି ଆସୁଥିଲେ। ହେଲେ ଏବେ ସେଭଳି ପ୍ରଶ୍ରୟ ଆଉ ଦିଆଯିବ ନାହିଁ। ନିର୍ଦ୍ଧାରିତ ସମୟ ଶେଷ ହେବା ପରେ ଅଫିସରଙ୍କୁ ବଦଳି କରାଯିବ।”

ସରକାରୀ ଯୋଜନା ତୃଣମୂଳରେ ପହଞ୍ଚାଅ

ରାଜ୍ୟ ସରକାରଙ୍କ ଯୋଜନାଗୁଡ଼ିକୁ ତୃଣମୂଳସ୍ତରରେ ପହଞ୍ଚାଇବା ଉପରେ ଗୁରୁତ୍ଵାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଥିଲେ, “ଜିଲ୍ଲାପାଳ ହେଉଛନ୍ତି ସରକାର ଓ ଲୋକଙ୍କ ମଧ୍ୟରେ ମୁଖ୍ୟ ସେତୁ। ସରକାରୀ ଯୋଜନାଗୁଡ଼ିକୁ ତୃଣମୂଳସ୍ତରରେ ପହଞ୍ଚାଇବା ସେମାନଙ୍କ ପ୍ରମୁଖ ଦାୟିତ୍ଵ। ସରକାରୀ ଯୋଜନା ଠିକ୍ ଭାବେ କାର୍ଯ୍ୟକାରୀ ହେଲେ ରାଜ୍ୟରୁ ଗରିବୀ ହଟିବ ଓ ଲୋକଙ୍କ ଉନ୍ନତି ହେବ।”

ଉନ୍ନତିମୂଳକ କାର୍ଯ୍ୟରେ ବିଳମ୍ବ ହେଲେ ଦୁର୍ନୀତି ହୁଏ, ସେଥିପ୍ରତି ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।  

ଏହି ଅବସରରେ ନିଜ ନିଜ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକର ମ୍ୟାପିଙ୍ଗ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କ ପରାମର୍ଶ ଦେବା ସହ ପୂର୍ବ ସରକାରରେ ହୋଇଥିବା ଦୁର୍ନୀତିର ତଦନ୍ତ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ।

ସମ୍ମିଳନୀରେ ବିଭିନ୍ନ ବିଭାଗର ମନ୍ତ୍ରୀ, ଜିଲ୍ଲାପାଳ, ବିଭିନ୍ନ ବିଭାଗର ସଚିବ ଏବଂ ଏସପି ଯୋଗ ଦେଇଥିଲେ।

Tags: #DistrictCollectorsConference #CMOOdisha #MohanCharanMajhi #Odisha

LEAVE A REPLY

Please enter your comment!
Please enter your name here