ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍କର୍ଷ ଓଡ଼ିଶା-୨୦୨୫ର ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

୨୦୨୫ ଜାନୁଆରି ୨୮ରୁ ଆରମ୍ଭ ହେବ ଉତ୍କର୍ଷ ଓଡ଼ିଶା – ମେକ୍ ଇନ୍ ଓଡ଼ିଶା କନକ୍ଲେଭ। ଶୁକ୍ରବାର ଭୁବନେଶ୍ୱରରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଏହାର ଲୋଗୋ ଉନ୍ମୋଚନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲୋଗୋ ଉନ୍ମୋଚନ କରିଥିଲେ। ଜାନୁଆରି ୨୯ ତାରିଖ ଯାଏଁ ଚାଲିବ ଏହି କନକ୍ଲେଭ।

ଓଡ଼ିଶାକୁ ଆହୁରି ଶିଳ୍ପ ସମୃଦ୍ଧ କରିବା ପାଇଁ ଉତ୍ପାଦନ, ଭିତ୍ତିଭୂମି, ବସ୍ତ୍ର, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ପ୍ରଯୁକ୍ତିବିଦ୍ୟା ସହିତ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ନିବେଶ ପାଇଁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ନିବେଶକଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭର ଆୟୋଜନ କରାଯାଉଛି। ଏଥିରେ ଶିଳ୍ପ ଓ ବ୍ୟବସାୟ କ୍ଷେତ୍ରରେ ରାଜ୍ୟରେ ଥିବା ସୁଯୋଗ ଓ ସମ୍ଭାବନାକୁ ପ୍ରଦର୍ଶିତ କରିବ ଓଡ଼ିଶା।

“ଉତ୍କର୍ଷ ଓଡ଼ିଶା ୨୦୨୫ କେବଳ ବିନିଯୋଗର ଏକ ପ୍ରମୁଖ ସ୍ଥଳ ଭାବେ କାର୍ଯ୍ୟ କରିବ ନାହିଁ ବରଂ ଏହା ନିବେଶକମାନଙ୍କୁ ସରକାରଙ୍କ ସହ ମିଳିତ ଭାବେ କାର୍ଯ୍ୟ କରିବାର ସୁଯୋଗ ମଧ୍ୟ ଦେବ। ଓଡ଼ିଶାରେ ଏକ ସମୃଦ୍ଧ ବ୍ୟବସାୟିକ ପରିବେଶ ଗଠନ କରିବା ସହ ନିରନ୍ତର ଶିଳ୍ପ ଅଭିବୃଦ୍ଧି, ପୁଞ୍ଜି ନିବେଶ, ଅନ୍ତର୍ଜାତୀୟ ସ୍ତରର ନିବେଶକମାନଙ୍କୁ ଆକୃଷ୍ଟ କରିବା ଆମର ଲକ୍ଷ୍ୟ ରହିଛି। ଏହି ଲୋଗୋର ଉନ୍ନୋଚନ ଆଜି ଓଡ଼ିଶାକୁ ଭାରତର ଏକ ପ୍ରମୁଖ ନିବେଶ ସ୍ଥଳ ଭାବେ ପ୍ରତିପାଦିତ କରିବାରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି”, କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଓଡ଼ିଶା ସରକାର ନିବେଶକମାନଙ୍କୁ ରାଜ୍ୟରେ ସବୁ ପ୍ରକାର ବିଶ୍ୱସ୍ତରୀୟ ସୁବିଧା ଯୋଗାଇ ଦେବା ସହ ଶିଳ୍ପ ଭିତ୍ତିଭୂମିର ବିକାଶକୁ ଆହୁରି ତ୍ୱରାନ୍ୱିତ କରିବ ବୋଲି ରାଜ୍ୟ ଶିଳ୍ପ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କାର୍ଯ୍ୟକ୍ରମରେ ମତବ୍ୟକ୍ତ କରିଥିଲେ।

ଏହି ସମାରୋହରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା, ରାଜ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ମନ୍ତ୍ରୀ ଗୋକୁଳନନ୍ଦ ମଲ୍ଲିକ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ପ୍ରମୁଖ ଯୋଗ ଦେଇଥିଲେ। ଏହାସହ ଏଠାରେ ରାଜ୍ୟର ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ, ବିଶିଷ୍ଟ ଶିଳ୍ପପତି ଏବଂ ପ୍ରମୁଖ ଶିଳ୍ପ ସଙ୍ଗଠନର ସଦସ୍ୟମାନେ ଯୋଗ ଦେଇଥିଲେ।

Tags: #UtkarshaOdisha #MakeinOdishaConclave2025 #Investment #Industries #Odisha

LEAVE A REPLY

Please enter your comment!
Please enter your name here