ଓଡ଼ିଶାଲାଇଭ ବ୍ୟୁରୋ

ସୋସିଆଲ ମିଡିଆର ଏକ ପୋଷ୍ଟକୁ ନେଇ ଭଦ୍ରକ ଜିଲ୍ଲା ପୁରୁଣା ବଜାର ଥାନା ଅଞ୍ଚଳରେ ଘଟିଛି ତୁମୁଳକାଣ୍ଡ। ହିଂସା ଯୋଗୁଁ ଅଶାନ୍ତ ହୋଇପଡ଼ିଥିବା ଭଦ୍ରକ ସହରରେ ୧୬୩ ଧାରା ଲାଗୁ କରାଯାଇଛି। ଏହି ଘଟଣାରେ ପୋଲିସ ୯ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ଭଦ୍ରକ ସହରରେ ଉତ୍ତେଜନା ଲାଗି ରହିଥିବାରୁ ଏହାକୁ ନିୟନ୍ତ୍ରଣ କରିବା ଲାଗି ପୋଲିସ ଏବଂ ପ୍ରଶାସନର ଉଦ୍ୟମ ଜାରି ରହିଛି। ସହରରେ ନିୟୋଜିତ ହୋଇଛନ୍ତି ୧୦ ପ୍ଲାଟୁନ ପୋଲିସ ଫୋର୍ସ। ସମ୍ପୃକ୍ତ ଅଞ୍ଚଳକୁ ଯାତାୟତ କରୁଥିବା ଗାଡ଼ିଗୁଡ଼ିକୁ ଯାଞ୍ଚ କରାଯିବା ସହ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରାଯାଇଛି। କୌଣସି ସ୍ଥାନରେ ଅନାବଶ୍ୟକ ଏକାଠି ହେବା ଉପରେ କଟକଣା ଜାରି କରାଯାଇଛି।

ଭଦ୍ରକରେ ଇଣ୍ଟରନେଟ ସେବା ଠପ

ଭଦ୍ରକରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି। ଏହି କଟକଣା ସେପ୍ଟେମ୍ବର ୩୦ ତାରିଖ ରାତି ୨ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ପରିସ୍ଥିତି ଅନୁଧ୍ୟାନ କରି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଶନିବାର ଦିନ ସମସ୍ତ ସରକାରୀ କାର୍ଯ୍ୟାଳୟ, ସ୍କୁଲ ଏବଂ କଲେଜ ବନ୍ଦ ରହିଛି।

ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଭଦ୍ରକ ସହରର ପୁରୁଣା ବଜାର ଅଞ୍ଚଳ ଓ ଧାମନଗର ଦୋବୋଲରେ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଭାରତୀୟ ନାଗରିକ ସୁରକ୍ଷା ସଂହିତା ୧୬୩ ଧାରା ଲାଗୁ କରାଯାଇଛି। ସହରରେ ସ୍ଥିତି କିଭଳି ସୁଧୁରିବ ସେନେଇ ପୋଲିସ ଓ ଜିଲ୍ଲା ପ୍ରଶାସନ ପ୍ରଚେଷ୍ଟା ଜାରି ରଖିଛନ୍ତି।

କାହିଁକି ଆରମ୍ଭ ହେଲା ବିବାଦ?

ସୋସିଆଲ ମିଡିଆର ଗୋଟିଏ ପୋଷ୍ଟକୁ ନେଇ ଭଦ୍ରକ ସହରରେ ହିଂସାର ସୁତ୍ରପାତ ହୋଇଛି। ଗୁରୁବାର ଦିନ ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ଏକ ବିବାଦୀୟ ପୋଷ୍ଟ କରିଥିଲେ। ଏହାକୁ ବିରୋଧ କରି ଅନ୍ୟ ଏକ ସମ୍ପ୍ରଦାୟର ଲୋକେ ଥାନାରେ ଏତଲା ଦେଇଥିଲେ। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଶୁକ୍ରବାର ଦିନ ନିର୍ଦ୍ଦିଷ୍ଟ ଗୋଷ୍ଠୀର କିଛି ଲୋକ ଏକାଠି ହୋଇ ସନ୍ଥିଆ ପୋଲ ନିକଟରେ ପୋଲ ନିକଟରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ସୂଚନା ପାଇ ସ୍ଥାନୀୟ ତହସିଲଦାର ଏବଂ ପୋଲିସ ଘଟଣାସ୍ଥଳକୁ ଯାଉଥିଲେ।

ଏହି ସମୟରେ ରାସ୍ତା ଅବରୋଧକାରୀ ତହସିଲଦାର ଏବଂ ପୋଲିସ ଉପରକୁ ଟେକା ପଥର ମାଡ଼ କରିଥିଲେ। ଏହା ସହ ତହସିଲଦାରଙ୍କ ଗାଡ଼ି ଭଙ୍ଗାରୁଜା କରିଥିଲେ। ପରେ ପୋଲିସ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ୩ ଜଣ ପୋଲିସ କର୍ମୀ ଆହତ ହୋଇଥିଲେ। ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ଲାଠି ଚାର୍ଜ କରାଯିବା ସହ ସହରରେ ଫ୍ଲାଗମାର୍ଚ୍ଚ କରାଯାଇଛି।

Tags: #Violence #Bhadrak #ControversialSocialMedia #Police

LEAVE A REPLY

Please enter your comment!
Please enter your name here