ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରରେ ‘ପ୍ରଜାପତି’ ସାହିତ୍ୟ ଶାଖା ପକ୍ଷରୁ ରବିବାର ‘ସାରସ୍ଵତ ସମାବେଶ’ ଆୟୋଜିତ ହୋଇଛି। ଏହି ବିଶେଷ କାର୍ଯ୍ୟକ୍ରମରେ ବିଶିଷ୍ଟ କଥାକାର ପ୍ରଦୋଷ ମିଶ୍ରଙ୍କୁ ‘ଅକ୍ଷର କଥାକାର ସମ୍ମାନ – ୨୦୨୪’ ପ୍ରଦାନ କରାଯାଇଛି। ‘ପ୍ରଜାପତି’ ସାହିତ୍ୟ ଶାଖାର ପ୍ରତିଷ୍ଠାତା କବି ପ୍ରଶାନ୍ତ ଦାସଙ୍କ ପୌରୋହିତ୍ୟରେ ଏହି ସମାରୋହ ଆୟୋଜିତ ହୋଇଥିଲା। ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ହରେକୃଷ୍ଣ ସାହୁ ଏହାର ଉଦ୍‌ଘାଟନ କରିଥିଲେ।

ଏହି ସମାରୋହରେ କଥାକାର ପ୍ରଦୋଷ ମିଶ୍ରଙ୍କୁ ପୁରସ୍କାର ସ୍ୱରୂପ ନଗଦ ଅର୍ଥରାଶି, ମାନପତ୍ର ତଥା ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଏଠାରେ ଅନେକ ସାମାଜିକ ଅନୁଷ୍ଠାନର ପ୍ରମୁଖ ସଦସ୍ୟମାନେ ପ୍ରଦୋଷ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ।  

“କ୍ଷୁଦ୍ରଗଳ୍ପ ସ୍ଵଳ୍ପତମ ବ୍ୟାପ୍ତି ମଧ୍ୟରେ ବୃହତ୍ତମ ସତ୍ତାକୁ ପ୍ରତିଫଳିତ କରେ ଓ ଅତିକଥନକୁ ପରିହାର କରିଥାଏ। ଏହି ସମ୍ମାନ ମୋତେ ଅତ୍ୟନ୍ତ ଆନନ୍ଦ ପ୍ରଦାନ କରିଅଛି। ଶ୍ରଦ୍ଧା ଓ ସମ୍ବେଦନଶୀଳତାର ସ୍ୱର ଓ ସ୍ୱାକ୍ଷର ବହନ କରୁଥିବା ଗଚ୍ଛ ହିଁ କାଳଜୟୀ ହୋଇଥାଏ”, କହିଛନ୍ତି ପ୍ରଦୋଷ ମିଶ୍ର।

ବିଶିଷ୍ଟ ଗାଳ୍ପିକ ତଥା ଔପନ୍ୟାସିକ ଚିତ୍ତରଞ୍ଜନ ଚିରଞ୍ଜିତ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ମାତୃଭାଷାର ବ୍ୟବହାର ତଥା ଏହାର ଉନ୍ନତ ଶୈଳୀ ବିଷୟରେ ମତବ୍ୟକ୍ତ କରିଥିଲେ। ସେହିପରି କବି କୃଷ୍ଣ କୁମାର ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

ଚଳିତବର୍ଷ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ଲାଭ କରିଥିବା ଯୁବ କଥାକାର ସଂଜୟ ପଣ୍ଡା ଓ କହ୍ନେଇଲାଲ୍ କଥା ସମ୍ମାନ ଗ୍ରହଣ କରିଥିବା କଥାକାର ଚିତ୍ତରଂଜନ ଚିରଞ୍ଜିତଙ୍କୁ କାର୍ଯ୍ୟକ୍ରମରେ ବିଶେଷ ସମ୍ବର୍ଦ୍ଧନା ‘ଆମ ଅକ୍ଷର କଥାକାର- ୨୦୨୪’ ପ୍ରଦାନ କରାଯାଇଥିଲା।

ଉତ୍ସବ ଆରମ୍ଭରେ ‘ସ୍ୱରାଗିଣୀ’ ଅନୁଷ୍ଠାନର କଣ୍ଠଶିଳ୍ପୀମାନେ ଗୁରୁ ମୋନାଲିସା ମହାନ୍ତିଙ୍କ ପରିଚାଳନାରେ ସ୍ଵାଗତ ସଂଗୀତ ପରିବେଷଣ କରିଥିଲେ। ଏହାପରେ ‘ନୃତ୍ୟାୟନ’ ଅନୁଷ୍ଠାନର ଶିଳ୍ପୀମାନେ ଗୁରୁ ପ୍ରଦୀପ ବେହେରାଙ୍କ ପରିଚାଳନାରେ ସାଂସ୍କୃତିକ ନୃତ୍ୟ ପରିବେଷଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସୁଲଗ୍ନା ଶିକ୍ଷା ଅନୁଷ୍ଠାନ ସମୂହର ଅଧ୍ୟକ୍ଷ ଡକ୍ଟର ଘନଶ୍ୟାମ ବିଶ୍ଵାଳ, ବିଶିଷ୍ଟ କବି ଓ ଗାଳ୍ପିକ ଗଙ୍ଗାଧର ବିଶ୍ଵାଳ ଏବଂ କବି ମଧୁସୂଦନ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।

Tags: #PrajapatiSahityaSanstha #AkhyaraSamman #OdiaLiterature #Baleswar

LEAVE A REPLY

Please enter your comment!
Please enter your name here