ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ୨୦୨୫ ଜାନୁଆରି ୨୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫। ଏହି ଶିଳ୍ପ ମହାକୁମ୍ଭକୁ ନିବେଶକମାନଙ୍କୁ ଆକୃଷ୍ଟ କରିବା ଲାଗି ଓଡ଼ିଶା ସରକାରଙ୍କ ପକ୍ଷରୁ ଅକ୍ଟୋବର ୩ ତାରିଖରେ ନୂଆଦିଲ୍ଲୀଠାରେ ଆୟୋଜିତ ହେବାକୁ ଯାଉଛି ଦୁଇଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ।

ପ୍ରଥମେ ବିଭିନ୍ନ ଦେଶର ରାଷ୍ଟ୍ରଦୂତମାନଙ୍କ ସହ ସାକ୍ଷାତକାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଶିଳ୍ପ ଇକୋସିଷ୍ଟମ ଏବଂ ପୁଞ୍ଜି ବିନିଯୋଗ ସୁଯୋଗ ସମ୍ପର୍କୀତ ଆଲୋଚନା କରାଯିବ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଦେଶର ରାଷ୍ଟ୍ରଦୂତ, ହାଇ କମିଶନର, କନସୁଲ ଜେନେରାଲ୍, ବାଣିଜ୍ୟ କମିଶନର ଏବଂ ବରିଷ୍ଠ କୂଟନୀତିଜ୍ଞଉ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଠିତ ହେବ। ବୈଠକରେ ଶିଳ୍ପ ଓ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏବଂ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଓ ବରିଷ୍ଠ ଅଧିକାରୀମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଏକ ଶକ୍ତିଶାଳୀ ଆନ୍ତର୍ଜାତୀୟ ସହଭାଗିତା ଗଠନ ଏବଂ ଭାରତର ଶିଳ୍ପ ପୁନରୁଦ୍ଧାରରେ ଓଡ଼ିଶାର ସ୍ଥିତିକୁ ମଜବୁତ କରିବା ଏହି ସମାମେଶର ମୁଖ୍ୟ ଲକ୍ଷ୍ୟ ରହିଛି। ଏହି କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାର ଶିଳ୍ପ ସମ୍ଭାବନାକୁ ବିକଶିତ କରିବା, ପ୍ରଣୀତ ଶିଳ୍ପ ନୀତିକୁ ସକ୍ଷମ କରିବା, ସହଜ ପ୍ରଣାଳୀରେ ବ୍ୟବସାୟ ଏବଂ ଏକ ନିବେଶକ ଅନୁକୂଳ ପରିବେଶ ସୃଷ୍ଟି ପାଇଁ ନିଆଯାଉଥିବା ପଦକ୍ଷେପ ଉପରେ ଆଲକପାତ କରାଯିବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବ୍ୟକ୍ତିଗତ ଭାବେ ବିଶ୍ୱସ୍ତରୀୟ ନିବେଶକମାନଙ୍କୁ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫ ରେ ଅଂଶଗ୍ରହଣ କରିବାକୁ ଆମନ୍ତ୍ରଣ କରିବେ।

ଅପରାହ୍ଣରେ ଜି ଟୁ ବି ବୈଠକ ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଶିଷ୍ଟ ଶିଳ୍ପପତି ତଥା ବିଭିନ୍ନ ସଙ୍ଗଠନର ପ୍ରତିନିଧୀମାନଙ୍କ ସହ ଆଲୋଚନା କରିବେ। ସନ୍ଧ୍ୟାରେ ଓଡ଼ିଶା ସରକାରଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ସହ ବାର୍ତ୍ତା ବିନିମୟର ଏକ କାର୍ଯ୍ୟକ୍ରମ ରହିଛି। ଏହା ସହ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫ ରୋଡ୍ ସୋ’ ଆରମ୍ଭ ହେବ। ରୋଡ ସୋ’ର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ରୋଡ ସୋ’ରେ ଓଡ଼ିଶାର ଶିଳ୍ପ ଇକୋସିଷ୍ଟମ୍, ଏହାର ଭିତ୍ତିଭୂମି ତଥା ଆଇଟି ଏବଂ ଆଇଟିଇଏସ, ବସ୍ତ୍ର, ଖାଦ୍ୟ ପ୍ରକ୍ରିୟାକରଣ, ରାସାୟନିକ ପଦାର୍ଥ, ପେଟ୍ରୋକେମିକାଲ୍ସ, ଅକ୍ଷୟ ଶକ୍ତି ଏବଂ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଆଦି କ୍ଷେତ୍ରରେ ରହିଥିବା ସୁଯୋଗ ଏବଂ ସହଭାଗିତା ଉପରେ ଗୁରୁତ୍ୱ ଦିଆଯିବ।

ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବ। ଆସନ୍ତା ୨୦୨୫ ମସିହା ଜାରୁଆରି ୨୮ ଓ ୨୯ ତାରିଖ ଦୁଇଦିନ ଧରି ଚାଲିବାକୁ ଥିବା ଏହି ମେଗା ଇଭେଣ୍ଟ ସାରା ବିଶ୍ୱରୁ ଶିଳ୍ପପତି, ନିବେଶକ, ଶିଳ୍ପ ବିଶେଷଜ୍ଞ, ଶିଳ୍ପନୀତି ନିୟମ ପ୍ରଣେତା ଏବଂ କୂଟନୀତିଜ୍ଞଙ୍କୁ ଆକର୍ଷିତ କରିବ ବୋଲି ଆଶା ରଖିଛନ୍ତି ରାଜ୍ୟ ସରକାର।

Tags: #UtkarshOdisha #MakeinOdishaConclave2025 #Investment #Industries #NewDelhi #RoadShow

LEAVE A REPLY

Please enter your comment!
Please enter your name here