ଓଡ଼ିଶାଲାଇଭ୍ ବ୍ୟୁରୋ

ଧୀରେ ଧୀରେ ଶାନ୍ତ ହେଉଛି ଅଶାନ୍ତ ହୋଇପଡ଼ିଥିବା ଭଦ୍ରକର ସ୍ଥିତି। ମଙ୍ଗଳବାର ଦିନ ଭଦ୍ରକ ଗସ୍ତ କରି ସେଠାକାର ସ୍ଥିତି ସମୀକ୍ଷା କରିଛନ୍ତି ପୋଲିସ ଡିଜି ଓ୍ଵାଇବି ଖୁରାନିଆ। ସୋସିଆଲ ମିଡିଆଠାରୁ ଦୂରେଇ ରହିବା ସହ କୌଣସି ବିଷୟକୁ ନେଇ ଅଯଥା କମେଣ୍ଟ ନକରିବାକୁ ଡିଜିପି ଅପିଲ କରିଛନ୍ତି। ସାଧାରଣ ଲୋକ ଭୟଭୀତ ନହେବା ଲାଗି ସେ କହିଛନ୍ତି।

ଏହି ଅବସରରେ ପୋଲିସ ଡିଜି କହିଥିଲେ, ଭଦ୍ରକରେ ଉପୁଜିଥିବା ସ୍ଥିତି ସୁଧାରିବାକୁ ପୋଲିସ ପକ୍ଷରୁ ପ୍ରୟାସ ଜାରି ରହିଛି। ଖୁବଶୀଘ୍ର ସ୍ଥିତି ସ୍ଵାଭାବିକ ହେବ ବୋଲି ଡିଜିପି କହିଛନ୍ତି।

ପୋଲିସ ଡିଜି ଓ୍ଵାଇବି ଖୁରାନିଆ ପ୍ରଥମେ ଧାମନଗର ପହଞ୍ଚି ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ପୂର୍ବାଞ୍ଚଳ ଡିଆଇଜି ଏବଂ ଭଦ୍ରକ ଏସପି ମଧ୍ୟ ଉପସ୍ଥିତ ଥିଲେ।

ସୋସିଆଲ ମିଡିଆର ଗୋଟିଏ ପୋଷ୍ଟକୁ ନେଇ ଭଦ୍ରକ ସହରରେ ହିଂସାର ସୁତ୍ରପାତ ହୋଇଥିଲା। ଗତ ସେପ୍ଟେମ୍ବର ୨୬ ତାରିଖରେ ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ଏକ ବିବାଦୀୟ ପୋଷ୍ଟ କରିଥିଲେ। ଏହାକୁ ବିରୋଧ କରି ଅନ୍ୟ ଏକ ସମ୍ପ୍ରଦାୟର ଲୋକେ ଥାନାରେ ଏତଲା ଦେଇଥିଲେ।

ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ସେପ୍ଟେମ୍ବର ୨୭ ତାରିଖରେ ନିର୍ଦ୍ଦିଷ୍ଟ ଗୋଷ୍ଠୀର କିଛି ଲୋକ ଏକାଠି ହୋଇ ସନ୍ଥିଆ ପୋଲ ନିକଟରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ।

ଘଟଣାସ୍ଥଳରେ ପୋଲିସ ଏବଂ ତହସିଲଦାର ପହଞ୍ଚିବା ମାତ୍ରେ ଅବରୋଧକାରୀ ସେମାନଙ୍କ ଉପରକୁ ଟେକା ପଥର ମାଡ଼ କରିଥିଲେ। ଏହା ସହ ତହସିଲଦାରଙ୍କ ଗାଡ଼ି ଭଙ୍ଗାରୁଜା କରିଥିଲେ। ପରେ ପୋଲିସ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ୩ ଜଣ ପୋଲିସ କର୍ମୀ ଆହତ ହୋଇଥିଲେ। ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ଲାଠି ଚାର୍ଜ କରାଯିବା ସହ ସହରରେ ୧୬୩ ଧାରା ଲାଗୁ ହୋଇଥିଲା।

ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୭ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଭଦ୍ରକରୁ ୧୦ ଜଣ ଓ ଧାମନଗରରୁ ୧୭ ଜଣ ରହିଛନ୍ତି। ପୁରୁଣା ବଜାର ଓ ଧାମନଗରର ବିଜ୍ଞାପିତ ଅଞ୍ଚଳରେ ୧୬୩ ଧାରା ବଳବତ୍ତର ରହିଛି। ସମ୍ପୃକ୍ତ ଅଞ୍ଚଳଗୁଡ଼ିକରେ ସକାଳ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବାକୁ ଅନୁମତି ମିଳିଛି। କିନ୍ତୁ ଇଣ୍ଟରନେଟ ସେବା ବନ୍ଦ ରହିଛି।

ଭଦ୍ରକରେ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ୧୨ ପ୍ଲାଟୁନ ପୋଲିସ ଫୋର୍ସ ଏବଂ ଗୋଟିଏ କମ୍ପାନି ରାପିଡ ଆକ୍ସନ ଫୋର୍ସ ମୁତୟନ ରହିଛନ୍ତି। ଏହା ସହ ଧାମନଗରରେ ୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

Tags: #Violence #Bhadrak #PoliceDGYBKhurania #ControversialSocialMedia #Police

LEAVE A REPLY

Please enter your comment!
Please enter your name here