ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଚାଷୀଙ୍କୁ ମିଳିଲା ପିଏମ୍ କିଷାନ ଯୋଜନାର ୧୮ତମ କିସ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ପିଏମ୍ କିଷାନ ସହାୟତା ରାଶି ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ରରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଵିଚ୍ ଚିପି ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥିଲେ।
ପିଏମ୍ କିଷାନ ଯୋଜନାର ୧୮ତମ କିସ୍ତିରେ ଦେଶର ୯.୫ କୋଟି ଚାଷୀଙ୍କ ଆକାଉଣ୍ଟକୁ ୨୦ ହଜାର କୋଟି ଟଙ୍କା ପଠାଯାଇଛି। ଏଥିରେ ଓଡ଼ିଶାର ୩୧ ଲକ୍ଷ ୫୧ ହଜାର ଚାଷୀଙ୍କୁ ମୋଟ ୬୮୯.୧୧ କୋଟି ଟଙ୍କା ମିଳିଛି।
ଏହି ଅବସରରେ ଭୁବନେଶ୍ବରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ ଓ ବିଭାଗୀୟ ନିର୍ଦ୍ଦେଶକ ପ୍ରେମଚାନ୍ଦ ଚୌଧୁରୀ ପ୍ରମୂଖ ଯୋଗ ଦେଇଥିଲେ।
“ପିଏମ କିଷାନ ଯୋଜନାରେ ସମସ୍ତ ଯୋଗ୍ୟ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରିବା ଆମର ଲକ୍ଷ୍ୟ। ଏଥିପାଇଁ ନୂଆଖାଇଠାରୁ ରାଜ୍ଯରେ ଏକ ଦୁଇ ମାସିଆ ସାଚୁରେସନ ଡ୍ରାଇଭ ଆରମ୍ଭ କରାଯାଇଛି। ଏଥିରେ ପ୍ରତି ବ୍ଲକରେ ଜନସେବା କେନ୍ଦ୍ର ସହାୟତାରେ ଚାଷୀ ଭାଇମାନେ ସେମାନଙ୍କ ନାମ ପଞ୍ଜିକରଣ ଓ ଅନ୍ୟାନ୍ୟ ଜରୁରୀ କାର୍ଯ୍ୟ ନିଶୁଳ୍କ ଭାବେ କରିପାରିବେ। ଏହାସହ ସିଏମ କିଷାନ ଯୋଜନା ପାଇଁ ମଧ୍ୟ ଏଥିରେ ସୁବିଧା ଉପଲବ୍ଧ ରହିଛି”, କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ସେ ଆହୁରି ମଧ୍ୟ କହିଛନ୍ତି, “ପିଏମ କିଷାନ ଯୋଜନା ସହିତ ରାଜ୍ୟ ସରକାର ରାଜ୍ୟରେ ସିଏମ କିଷାନ ଯୋଜନା ମଧ୍ୟ କାର୍ଯ୍ୟକାରୀ କରିଛନ୍ତି। ଏଥିରେ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ ଦୁଇଟି କିସ୍ତିର ୪ ହଜାର ଟଙ୍କା ପ୍ରଦାନ କରାଯାଉଛି। ଏହି ଅର୍ଥ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସଂପୂର୍ଣ୍ଣ ସ୍ବଚ୍ଛତାର ସହ ହସ୍ତାନ୍ତର କରାଯାଉଛି।”
ରାଜ୍ୟର ପିଭିଟିଜି ବର୍ଗର କୃଷକ ଏବଂ ବନ ଅଧିକାର ଆଇନ ଅନୁସାରେ ପଟ୍ଟା ଥିବା ଚାଷୀଙ୍କୁ ପିଏମ କିଷାନ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଯୋଜନା କରାଯାଉଛି ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହାସହିତ ରାଜ୍ୟରେ ଅଧିକ ସଂଖ୍ୟାରେ ଶୀତଳ ଭଣ୍ଡାର ସ୍ଥାପନ କରାଯିବ ବୋଲି ସେ କହିଥିଲେ।
୧୮ ତମ କିସ୍ତି ଜାରି ହେବା ପରେ ପିଏମ୍ କିଷାନ ଯୋଜନା ଅଧୀନରେ ଏ ପର୍ଯ୍ୟନ୍ତ କୃଷକଙ୍କୁ ପ୍ରଦାନ କରାଯାଇଥିବା ମୋଟ୍ ପାଣ୍ଠି ପ୍ରାୟ ୩ ଲକ୍ଷ ୨୫ ହଜାର କୋଟି ଟଙ୍କାରେ ପହଞ୍ଚିଛି। ଏହାପୂର୍ବରୁ ଜୁନ ମାସରେ ଯୋଜନାର ୧୭ ତମ କିସ୍ତି ପ୍ରଦାନ କରିଥିଲେ କେନ୍ଦ୍ର ସରକାର।
୨୦୧୯ ମସିହା ଫେବ୍ରୁଆରି ମାସରେ ପିଏମ୍ କିଷାନ ଯୋଜନାର ଶୁଭାରମ୍ଭ ହୋଇଥିଲା। ଏଥିରେ ଚାଷୀଙ୍କୁ ବର୍ଷକୁ ମୋଟ ୬ ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯାଉଛି। ୩ଟି କିସ୍ତିରେ ପ୍ରତି ୪ ମାସ ବ୍ୟବଧାନରେ ସରକାର ଚାଷୀଙ୍କ ଖାତାକୁ ୨ ହଜାର ଲେଖାଏ ପିଏମ୍ କିଷାନ ରାଶି ପଠାଯାଉଛି।
Tags: #PMKishanScheme #Farmers #Farming #Odisha