ଓଡ଼ିଶାଲାଇଭ୍ ବ୍ୟୁରୋ

ଧରାବତରଣ କରିଛନ୍ତି ମା’ଦୁର୍ଗା। ପୀଠରେ ଚାଲିଛି ପୂଜା। ମା’ଙ୍କ ସ୍ୱାଗତ ପାଇଁ ଉତ୍ସବ ମୁଖର ରାଜଧାନୀ ଭୁବନେଶ୍ୱର। ଭୁବନେଶ୍ୱରର ପ୍ରତିଟି ପୂଜା ମଣ୍ଡପରେ ଚାଲିଛି ପ୍ରସ୍ତୁତି। କେଉଁଠି ଆକର୍ଷଣୀୟ ତୋରଣ ତିଆରି ଚାଲିଛି ତ କେଉଁଠି ପୁଣି ମା’ଙ୍କ ମେଢ଼ରେ ରଙ୍ଗ ଲାଗୁଛି।

ଭୁବନେଶ୍ୱରର ପ୍ରମୁଖ ମଣ୍ଡପମାନଙ୍କ ମଧ୍ୟରୁ ଅନ୍ୟତମ ବରମୁଣ୍ଡା ଦୁର୍ଗାପୂଜା। ଏଠାରେ ଜୋରସୋର୍ ଚାଲିଛି ପ୍ରସ୍ତୁତି। ୨୦୦୦ ମସିହାଠାରୁ ଆରମ୍ଭ ହୋଇଥିବା ବରମୁଣ୍ଡା ଦୁର୍ଗାପୂଜା କମିଟି ଚଳିତ ଥର ୨୫ବର୍ଷରେ ପଦାର୍ପଣ କରିଛି। ପ୍ରତିବର୍ଷ ଆକର୍ଷଣୀୟ ତୋରଣ କରି ଲୋକଙ୍କ ମନ ମୋହୁଥିବା ଏହି ପୂଜା ମଣ୍ଡପ ଏଥର ମଧ୍ୟ କିଛି ନୂଆ କରିବାକୁ ପ୍ରୟାସ କରିଛି।

ଏଥର ବରମୁଣ୍ଡାରେ ଝଲସିବ ‘ରାଜସ୍ଥାନର ଉମେଦ ପ୍ୟାଲେସ’। ଏହି ତୋରଣ ନିର୍ମାଣ କାମରେ ଲାଗିଛନ୍ତି ପ୍ରାୟ ୪୦ ଜଣ କାରିଗର।  ମା’ଙ୍କ ମୂର୍ତ୍ତିକୁ ନୂଆ ରୂପ ଦେବାକୁ ପୁରୀର ୫ ଜଣ କାରିଗର ନିୟୋଜିତ ଅଛନ୍ତି। ବରମଣ୍ଡା ଦୁର୍ଗାପୂଜା ପେଣ୍ଡାଲ ନିକଟରେ ମୀନା ବଜାର ସାଙ୍ଗକୁ ସଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ।

ଚଳିତ ଥର ଦୃଷ୍ଟିବାଧିତ ଗାୟକ ଓ ଗାୟିକାଙ୍କୁ ନେଇ ଭଜନ ସମାରୋହର ବ୍ୟବସ୍ଥା କରିଛି କମିଟି। ଏହା ସହିତ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି କମିଟି ପକ୍ଷରୁ ସ୍ୱେଚ୍ଛାସେବୀମାନଙ୍କୁ ମଧ୍ୟ ନିୟୋଜିତ କରାଯିବାର ବ୍ୟବସ୍ଥା ରହିଛି।

Tags: #DurgaPuja #Dasshera #DurgaPuja2024 #Odisha #Baramunda #DurgaPujaPandal #Bhubaneswar

Comment