ଓଡ଼ିଶାଲାଇଭ୍ ବ୍ୟୁରୋ

(ବ୍ରହ୍ମପୁରରୁ ସୁନିଲ ପଟ୍ଟନାୟକ): ଦାମ୍ପତ୍ୟ ପ୍ରେମର ଅତୁଟ ବନ୍ଧନ। ଶରୀର ସିନା ପଞ୍ଚଭୂତରେ ଲୀନ ହୋଇଯାଏ, ହେଲେ ବିଚ୍ଛେଦ ହୁଏନି ସମ୍ପର୍କର ନିବିଡ଼ତା। ଆମ ସମାଜରେ ପତ୍ନୀଙ୍କ ବିୟୋଗରେ ଅନେକ ସ୍ଵାମୀ ତାଙ୍କ ସ୍ମୃତିକୁ ମନେରଖିବା ପାଇଁ କିଛି ନା କିଛି ନିର୍ମାଣ କରିଥିବା ନଜିର ରହିଛି। ସେହିଭଳି ଭାବେ ବ୍ରହ୍ମପୁରର ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ବିୟୋଗ ପରେ ଏମିତି କିଛି କରିଛନ୍ତି, ଯାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି।

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ୫୨ ବର୍ଷୀୟ ବ୍ୟବସାୟୀ ପ୍ରଶାନ୍ତ କୁମାର ନାୟକ। ସେ ନିଜ ପତ୍ନୀ କିରଣ ନାୟକଙ୍କ ବିୟୋଗ ପରେ ତାଙ୍କ ସ୍ମୃତିରେ ଘରେ ସିଲିକନର ଏକ ଜୀବନ୍ତ ପ୍ରତିମା ନିର୍ମାଣ କରାଇଛନ୍ତି। ଏହା ଅବିକଳ ତାଙ୍କ ପତ୍ନୀଙ୍କ ଭଳି ଦିଶୁଛି। ପରିବାରରେ ପତ୍ନୀଙ୍କ ଅନୁପସ୍ଥିତିକୁ ଦୂର କରିବା ପାଇଁ ସେ କରିଥିବା ଏହି ପ୍ରୟାସକୁ ଆଜି ଅନେକ ଲୋକ ପ୍ରଶଂସା କରୁଛନ୍ତି।

ପତ୍ନୀ କିରଣ ନାୟକଙ୍କ ସିଲିକନ ପ୍ରତିମୂର୍ତ୍ତିକୁ ପ୍ରଶାନ୍ତ ନିଜ ଡ୍ରଇଂରୁମର ଏକ ସୋଫା ଉପରେ ବସାଇ ରଖିଛନ୍ତି। ପ୍ରତିମୂର୍ତ୍ତିକୁ ତାଙ୍କୁ ଶାଢ଼ି, ଅଳଙ୍କାର ପିନ୍ଧା ଯାଇଛି। ଦେଖିଲେ ଲାଗୁଛି ସତେ ଯେପରି କିରଣ ସେହି ସ୍ଥାନରେ ବସିଛନ୍ତି। ଏହି ପ୍ରତିମା ଘରେ କିରଣଙ୍କ ଅନୁପସ୍ଥିତିକୁ ପୂରଣ କରୁଥିବା ପ୍ରଶାନ୍ତ ନାୟକ କହିଛନ୍ତି।

୧୯୯୭ ମସିହାରେ ପ୍ରଶାନ୍ତ ଓ କିରଣଙ୍କ ବିବାହ ହୋଇଥିଲା। ପତ୍ନୀଙ୍କ ସହ ଝିଅ ମେହେକ, ପୁଅ ଆୟନ୍‌, ମାଆ ଓ ଭାଇଙ୍କୁ ନେଇ ପ୍ରଶାନ୍ତଙ୍କ ପରିବାରରେ ସବୁକିଛି ଠିକ୍ ଚାଲିଥିଲା। ହେଲେ ୨୦୨୧ ମସିହାରେ କରୋନା ମହାମାରୀରେ ଆଖି ବୁଜି ଥିଲେ କିରଣ। ତାଙ୍କ ବିୟୋଗରେ ପରିବାର ଲୋକେ ଭାଙ୍ଗିପଡ଼ିଥିଲେ। କିରଣଙ୍କୁ ହରାଇବା ପ୍ରଶାନ୍ତ ଓ ତାଙ୍କ ପିଲାମାନଙ୍କୁ ବ୍ୟତିବ୍ୟସ୍ତ କରିଥିଲା।

ଏହାପରେ ପିଲାମାନେ ଘରେ ନିଜ ମା’ଙ୍କ ଏକ ପ୍ରତିମା ବନେଇବା ପାଇଁ ପ୍ରଶାନ୍ତଙ୍କୁ କହିଥିଲେ। ସେ ନିଜ ପତ୍ନୀଙ୍କ ଏକ ସିଲିକନ ପ୍ରତିମୂର୍ତ୍ତି ତିଆରି କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିଲାଗି ପ୍ରଶାନ୍ତ ବେଙ୍ଗାଳୁରୁର ଜଣେ ପ୍ରସିଦ୍ଧ ମୂର୍ତ୍ତିକାର ଶ୍ରୀଧର ମୂର୍ତ୍ତିଙ୍କୁ କିରଣଙ୍କ ଜୀବନ୍ତ ପ୍ରତିମା ବନେଇବାକୁ ଯୋଗାଯୋଗ କରିଥିଲେ। ସେ ଶ୍ରୀଧରଙ୍କୁ ନିଜ ପତ୍ନୀଙ୍କ ଏକାଧିକ ଫଟୋ ଦେଇଥିଲେ। ଶ୍ରୀଧର ପ୍ରଥମେ ଏହି ଫଟୋରୁ କିରଣଙ୍କ ପ୍ରତିମା ପାଇଁ ଏକ ୩-ଡି ମଡେଲ ପ୍ରସ୍ତୁତ କରିଥିଲେ। ଏହାକୁ ଆଧାର କରି ପ୍ରତିମୂର୍ତ୍ତି ନିର୍ମାଣ ହୋଇଥିଲା।

“ମା’ଙ୍କ ଏହି ପ୍ରତିମା ଘରେ ଆସିବା ପରେ ଆମେ ଅନୁଭବ କରୁଛୁ ସତେ ଯେପରି ସେ ଜୀବିତ ଅଛନ୍ତି। ମା’ଙ୍କ ବିୟୋଗ ପରେ ଆମେ ତାଙ୍କ ବିନା ଆମେ ଜୀବନ ବିତାଇ ପାରିବୁ ନାହିଁ ବୋଲି ଭାବୁଥିଲୁ। ଏବେ ଘରେ ସିଲିକନ୍ ପ୍ରତିମୂର୍ତ୍ତି ଆସିବା ପରେ ତାଙ୍କ ଅନୁପସ୍ଥିତି ଅନୁଭବ କରୁନୁ”, କହିଛନ୍ତି ପ୍ରଶାନ୍ତଙ୍କ ଝିଅ ମେହେକ।

ପ୍ରତିଦିନ ଯେପରି ଜଣେ ସଧବା ନାରୀ ସଜେଇ ହୁଏ, ସେହିପରି ସେ ତାଙ୍କ ମା’ଙ୍କୁ ପ୍ରତିଦିନ ଶିଙ୍ଗାର କରିବା ସହ ତାଙ୍କ ଚୁଟି କୁଣ୍ଡାଇଦେବା, ତାଙ୍କୁ ଶାଢ଼ି ପିନ୍ଧାଇଦେବା ଭଳି କାମ କରିଥାନ୍ତି। ଏହାଦ୍ଵାରା ଯେପରି ତାଙ୍କ ମା’ ପାଖରେ ଥିବା ମନେ ହୁଏ ବୋଲି ମେହେକ କହିଛନ୍ତି।

ଏହି ପ୍ରତିମୂର୍ତ୍ତିକୁ ସିଲିକନ୍, ଫାଇବର ଗ୍ଲାସ ଏବଂ ରବର ଭଳି ସାମଗ୍ରୀରେ ନିର୍ମାଣ କରାଯାଇଛି। ଏହାର ନିର୍ମାଣ ପାଇଁ ୧ ବର୍ଷ ସମୟ ଲାଗିଥିଲା। ଏଥିରେ ମୋଟ ୮.୧୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।

Tags: #Husband-WifeLove #SiliconStatue #family #Berhampur #Odisha

LEAVE A REPLY

Please enter your comment!
Please enter your name here