ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ସରକାର ଭାରତରେ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି କରିଛନ୍ତି। ବର୍ଷ ୨୦୨୫-୨୬ ପାଇଁ ୬ଟି ରବି ଫସଲର ଏମଏସପି ବଢ଼ାଯାଇଛି। ଏନେଇ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି।

କ୍ୟାବିନେଟ ନିଷ୍ପତ୍ତି ଅନୁସାରେ ଗହମ, ଚଣା, ଯଅ, ସୋରିଷ, ମସୁର ଡାଲି ଓ ସୂର୍ଯ୍ୟମୁଖୀ ଫୁଲର ଏମଏସପି ବୃଦ୍ଧିକୁ ମଞ୍ଜୁରୀ ମିଳିଛି। ଚାଷୀଙ୍କ ଉନ୍ନତି ତଥା ସେମାନଙ୍କ ଆର୍ଥିକ ବିକାଶ ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି।

ଗହମ ଉପରେ ଏମଏସପି କ୍ଵିଣ୍ଟାଲ ପିଛା ୧୫୦ ଟଙ୍କା ବୃଦ୍ଧି କରାଯାଇଛି। ଏହାକୁ ୨,୨୭୫ ଟଙ୍କାରୁ ୨,୪୨୫ ଟଙ୍କା କରାଯାଇଛି। ସେହିପରି ସୋରିଷର ଏମଏସପି କ୍ଵିଣ୍ଟାଲ ପିଛା ୩୦୦ ଟଙ୍କା ବଢ଼ାଯାଇ ୫,୯୫୦ ଟଙ୍କା ଓ ଚଣାର ଏମଏସପି ୨୧୦ ଟଙ୍କା ବଢ଼ାଯାଇ ୫,୬୫୦ ଟଙ୍କା କରାଯାଇଛି।  

ଅନ୍ୟପଟେ ଯଅର ଏମଏସପି କ୍ଵିଣ୍ଟାଲ ପିଛା ୧,୯୮୦ ଟଙ୍କା କରିଛନ୍ତି କେନ୍ଦ୍ର ସରକାର। ପୂର୍ବେ ଏହା ଥିଲା ୧,୮୫୦ ଟଙ୍କା। ଏହାସହ ମସୁର ଡାଲିର ଏମଏସପି ୬,୪୨୫ ଟଙ୍କାରୁ ୬,୭୦୦ ଟଙ୍କାକୁ ଏବଂ ସୂର୍ଯ୍ୟମୁଖୀ ଫୁଲର ଏମଏସପି କ୍ଵିଣ୍ଟାଲ ପିଛା ୫,୮୦୦ ଟଙ୍କାରୁ ୫,୯୪୦ ଟଙ୍କା କରାଯାଇଛି।

Tags: #RabiCrops #MSP #Farmers #CentralCabinet #GovtofIndia

LEAVE A REPLY

Please enter your comment!
Please enter your name here