ମିନତି ମିଶ୍ର

ଇସ୍ରାଏଲ ଓ ଇରାନ ମଧ୍ୟରେ ବଢୁଥିବା ଯୁଦ୍ଧ ସମ୍ଭାବନା ମାଧ୍ୟପ୍ରାଚ୍ୟକୁ ବଡ଼ ବିପଦ ଆଡ଼କୁ ଟାଣି ନେଉଛି। ଏହି ଦୁଇ ଦେଶ ସିଧାସଳଖ ମୁହାଁମୁହିଁ ହେଲେ ଏହାର ପ୍ରଭାବ ସାରା ବିଶ୍ଵରେ ପଡ଼ିବ। ଏହାକୁ ନେଇ ଏନେକ ଦେଶ ଏବେ ଚିନ୍ତିତ ଅଛନ୍ତି।

ତେବେ ଏହିଭଳି ପରିସ୍ଥିତି ମଧ୍ୟରେ ଇରାନ ଭାରତର ସହାୟତା ଚାହୁଁଛି। ଇରାନ ରାଷ୍ଟ୍ରପତି ମସୁଦ ପେଜେସ୍କିୟାନ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପାଇଁ ଚାହୁଁଥିବା ସୂଚନା ମିଳିଛି। ଯୁଦ୍ଧ ବନ୍ଦ ପାଇଁ ଉଭୟ ନେତା କୂଟନୈତିକ ମାଧ୍ୟମରେ କଥାବାର୍ତ୍ତା କରିବାର ସମ୍ଭବନା ରହିଛି। ଭାରତ ହିଁ ଇସ୍ରାଏଲକୁ ବୁଝାଇ ଏହାର ବାଟ ବାହାର କରି ପାରିବ ବୋଲି ଇରାନ ସରକାର ଆଶା ରଖିଛନ୍ତି।

ବ୍ରିକ୍ସ ସମ୍ମିଳନୀରେ ହୋଇପାରେ ସାକ୍ଷାତ

ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୨୨ ତାରିଖରେ ରୁଷର କଜାନ ସହର ଯିବେ। ସେଠାରେ ଇରାନର ରାଷ୍ଟ୍ରପତି ମସୁଦ ପେଜେସ୍କିୟାନ ତାଙ୍କର ଦ୍ଵିପକ୍ଷୀକ ବୈଠକ ହେବାର ସମ୍ଭାବନା ରହିଛି। ଏହି ଅବସରରେ ଇସ୍ରାଏଲ ପ୍ରସଙ୍ଗ ବ୍ୟତୀତ ଅନ୍ୟ ପ୍ରସଙ୍ଗରେ ବି ଆଲୋଚନା କରିବା ପାଇଁ ଇରାନ ରାଷ୍ଟ୍ରପତି ଚାହୁଁଛନ୍ତି।

ଏଥର ବ୍ରିକ୍ସ ସମ୍ମିଳନୀ ରୁଷ ଆୟୋଜନ କରୁଛି। ଅକ୍ଟୋବର ୨୨ ତାରିଖରୁ ୨୪ ତାରିଖ ଯାଏଁ ଏହି ସମ୍ମିଳନୀ ଚାଲିବ। ଏଥିରେ ଇରାନକୁ ବିଶେଷ ଆମନ୍ତ୍ରିତ ସଦସ୍ୟ ଭାବେ ଡକାଯାଇଛି।

କାହିଁକି ଭାରତ ଉପରେ ଭରସା?

ଇରାନ ସରକାର ଜାଣିଛନ୍ତି ଯେ, ଇସ୍ରାଏଲ-ଭାରତ ସମ୍ପର୍କ ଏବେ ବେଶ୍ ଭଲ। ବିଶେଷକରି ନରେନ୍ଦ୍ର ମୋଦୀ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତେନ୍ୟାହୁ ଦୁହେଁ ଭଲ ସାଙ୍ଗ। ତେଣୁ ପ୍ରଧାନମନ୍ତ୍ରୀ ମୋଦୀ ଯଦି ଚେଷ୍ଟା କଲେ ଇରାନ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ଉତ୍ତେଜନାର କିଛି ନା କିଛି ରାସ୍ତା ବାହାରି ପାରିବ।

ମଧ୍ୟ ପ୍ରାଚ୍ୟର ଯୁଦ୍ଧ ସଙ୍କଟରେ ଭାରତର ଭୂମିକା

୨୦୨୩ ଅକ୍ଟୋବର ୭ ତାରିଖରେ ହମାସ ଇସ୍ରାଏଲ ଉପରେ ଆକ୍ରମଣ କରି ଶହ ଶହ ନିରୀହ ଲୋକଙ୍କ ଜୀବନ ନେବା ସହ ୨୫୦ ଜଣ ଲୋକଙ୍କୁ ବନ୍ଧକ କରି ନେଇଗଲା। ଏହି ଘଟଣାକୁ ଭାରତ ସରକାର ନିନ୍ଦା କରିବା ସହ ଇସ୍ରାଏଲକୁ ପୂର୍ଣ୍ଣ ସମର୍ଥନ ଦେଇଥିଲେ।

ଅନ୍ୟପକ୍ଷେ ଯେତେବେଳେ ଇସ୍ରାଏଲ ଗାଜା ଉପରେ ଆକ୍ରମଣ କଲା, ସେଥିରେ ହଜାର ହଜାର ଲୋକ ମୃତାହତ ହେଲେ। ସେତେବେଳେ ଭାରତ ସରକାର ୧୩ ଟନ ମେଡିକାଲ ଉପକରଣ ସମେତ ଅନେକ ମାନବୀୟ ସହାୟତା ଗାଜାକୁ ପଠାଇଥିଲେ। ଘଟଣାର ଅଳ୍ପ କେଇ ଦିନ ମଧ୍ୟରେ ଏସବୁ ସାମଗ୍ରୀ ଗାଜାରେ ପହଞ୍ଚିଥିଲା। ଏଥିସହିତ ୫ ମିଲିୟନ ଡଲାର ସହୟତା ଅର୍ଥରାଶି ଦେବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲା ଭାରତ।

ଏହି ଯୁଦ୍ଧକୁ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କରଙ୍କ ନେତୃତ୍ୱରେ ଭାରତ ପକ୍ଷରୁ ଇସ୍ରାଏଲ ଏବଂ ପାଲେଷ୍ଟାଇନର ନେତାଙ୍କ ସହ ଆଲୋଚନା କରାଯାଇଥିଲା। ହିଂସା ବନ୍ଦ କରି ଶାନ୍ତି ରଖିବା ପାଇଁ ନିବେଦନ କରିଥିଲା ଭାରତ।

୨୦୨୪ ସେପ୍ଟେମ୍ବର ମାସରେ ଆମେରିକା ଗସ୍ତ ବେଳେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟୁୟର୍କରେ ପାଲେଷ୍ଟାଇନର ରାଷ୍ଟ୍ରପତି ମହମ୍ମଦ ଅବ୍ବାସଙ୍କ ସହ ସାକ୍ଷାତ କରିଥିଲେ। ଗାଜା ସ୍ଥିତି ଉପରେ ପ୍ରଧାନମନ୍ତ୍ରୀ ଚିନ୍ତା ବ୍ୟକ୍ତ କରିଥିଲେ।

Tags: #Iran-IndiaRelations #NarendraModi #MasoudPezeshkian #BRICSSummit #Russia

LEAVE A REPLY

Please enter your comment!
Please enter your name here