ଓଡ଼ିଶାଲାଇଭ୍ ବ୍ୟୁରୋ

ମଧ୍ୟପ୍ରାଚ୍ୟରେ ବିବାହିତ ଭାରତୀୟ ମହିଳାଙ୍କ ମଧ୍ୟରେ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ମିସେସ୍ ଇଣ୍ଡିଆ ମିଡିଲ୍ଇଷ୍ଟ ୨୦୨୪ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ଦୁବାଇରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଓଡ଼ିଶାର ଆରାଧନା ଦାସ ଦ୍ୱିତୀୟ ରନରଅପ୍ ହୋଇଛନ୍ତି। ରାଜ୍ୟର ପ୍ରଥମ ମହିଳା ଭାବେ ସେ ଏହି ଉପଲବ୍ଧି ହାସଲ କରିଛନ୍ତି।

ଆରାଧନା ଦାସ ଭୁବନେଶ୍ୱରର ବାସିନ୍ଦା। ସେ ଗତ ୭ ବର୍ଷ ଧରି ଦୁବାଇରେ ତାଙ୍କ ସ୍ୱାମୀ ସୂର୍ଯ୍ୟକାନ୍ତ ବେହେରା ଏବଂ ଝିଅ ସାନଭୀ ବେହେରାଙ୍କ ସହ ରହୁଛନ୍ତି। ଏହି ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଆରାଧନା ନିଜର ପ୍ରତିଭା ଏବଂ ସୌନ୍ଦର୍ଯ୍ୟ ସହ ଓଡ଼ିଆ ସଂସ୍କୃତିକୁ ବିଶ୍ଵ ଦରବାରରେ ପ୍ରଦର୍ଶିତ କରିଥିଲେ।

“ମୁଁ ଏହିଭଳି କାର୍ଯ୍ୟକ୍ରମରେ ପୂର୍ବରୁ ଭାଗ ନେବାକୁ ଚାହୁଁଥିଲି। ଚଳିତବର୍ଷ ଦୁବାଇରେ ପ୍ରତିଯୋଗିତା ହେଉଥିବା ଜାଣିବା ପରେ ଏଥିରେ ଭାଗ ନେବାକୁ ନିଷ୍ପତ୍ତି ନେଇଥିଲେ। ଭଗବାନଙ୍କ କୃପା ଏବଂ ପରିବାରର ସମର୍ଥନରୁ ମୁଁ ଏହି ପ୍ରତିଯୋଗିତାରେ ସଫଳ ହୋଇଛି। ବିଶ୍ୱ ଦରବାରରେ ଓଡ଼ିଆ ସଂସ୍କୃତିକୁ ଉପସ୍ଥାପନ କରିପାରିଥିବାରୁ ମୁଁ ଗର୍ବିତ”, କହିଛନ୍ତି ଆରାଧନା ଦାସ।

ବିବାହ ପୂର୍ବରୁ ଆରାଧନା ଜଣେ ବ୍ୟାଙ୍କିଙ୍ଗ୍ ପ୍ରୋଫେସନାଲ ଭାବେ କାର୍ଯ୍ୟ କରୁଥିଲେ। ଝିଅ ଜନ୍ମ ହେବାପରେ ସେ ଚାକିରି ଛାଡ଼ି ପାରିବାରିକ ଦାୟିତ୍ଵକୁ ଅଗ୍ରାଧିକାର ଦେବା ପାଇଁ ନିଷ୍ପତ୍ତି ନେଇଥିଲେ।

ବିଭିନ୍ନ ଭାରତୀୟ ସହରରୁ ଆସି ମଧ୍ୟପ୍ରାଚ୍ୟରେ ରହୁଥିବା ବିବାହିତ ଭାରତୀୟ ମହିଳାମାନେ ମିସେସ୍ ଇଣ୍ଡିଆ ମିଡିଲ୍ଇଷ୍ଟ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏଥିରେ ସେମାନେ ନିଜର ପ୍ରତିଭା, ସୌନ୍ଦର୍ଯ୍ୟ, ବୁଦ୍ଧି, ଆତ୍ମବିଶ୍ୱାସ ଏବଂ ସାଂସ୍କୃତିକ ପରିଚୟର ପ୍ରଦର୍ଶନ କରିଥିଲେ। ଅଂଶଗ୍ରହଣକାରୀମାନଙ୍କୁ ପାରମ୍ପରିକ ପୋଷାକ, ଗାଉନ୍, ପ୍ରତିଭା ଏବଂ ସାକ୍ଷାତକାର ସମେତ ବିଭିନ୍ନ ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡ଼ିଥିଲା।

ମିସେସ୍ ଇଣ୍ଡିଆ ମିଡିଲ୍ ଇଷ୍ଟ ପ୍ରତିଯୋଗିତା ୨୦୨୩ ମସିହାରେ ଆରମ୍ଭ ହୋଇଥିଲା। ଚଳିତ ବର୍ଷ ଏହାର ଦ୍ୱିତୀୟ ସିଜିନ୍ ଆଯ଼ୋଜିତ ହୋଇଛି।

Tags: #MrsIndiaMiddleEast #AradhanaDas #BeautyContest #Dubai #Odisha

LEAVE A REPLY

Please enter your comment!
Please enter your name here