ଓଡ଼ିଶାଲାଇଭ୍ ବ୍ୟୁରୋ
“ବାତ୍ୟାକୁ ନେଇ କେହି ଭୟଭୀତ ହୁଅନ୍ତୁ ନାହିଁ। ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି”, ଓଡ଼ିଶାବାସୀଙ୍କୁ ଏହିଭଳି ଆଶ୍ଵାସନା ଦେଇଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ।
ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଚିନ୍ତା ବଢ଼ିବାକୁ ଲାଗିଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଅକ୍ଟୋବର ୨୩ ତାରିଖ ବେଳକୁ ସାମୁଦ୍ରିକ ଝଡ଼ ବାତ୍ୟାର ରୂପ ନେବ। ଅକ୍ଟୋବର ୨୪ ତାରିଖ ବେଳକୁ ଏହା ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗକୁ ଛୁଇଁବାର ସମ୍ଭାବନା ରହିଛି।
ଏପଟେ ସମ୍ଭାବ୍ୟ ବାତ୍ୟା ମୁକାବିଲା ଲାଗି ଘନ ଘନ ବୈଠକ କରୁଛନ୍ତି ରାଜ୍ୟ ସରକାର। ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି। ରାଜ୍ୟରେ ଜରୁରୀକାଳୀନ ଅପରେସନ ସେଣ୍ଟରରେ ବାତ୍ୟାର ଗତିବିଧି ଉପରେ ନିଜର ରଖାଯାଇଛି। ତଳିଆ ଅଞ୍ଚଳ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକୁ ବ୍ୟବସ୍ଥିତ କରିବା ସହ ଗର୍ଭବତୀମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ଆଣିବାକୁ ନିର୍ଦ୍ଦେଶ ରହିଛି। ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଏନଡିଆରଏଫ ଟିମ୍ ପ୍ରସ୍ତୁତ ରହିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।
ତଳିଆ ଅଞ୍ଚଳଗୁଡ଼ିକ ପାଇଁ ପମ୍ପସେଟ ପ୍ରସ୍ତୁତ ରଖିବାକୁ କୁହାଯାଇଛି। କେବଳ ପ୍ରଭାବିତ ଜିଲ୍ଲା ନୁହେଁ ସମସ୍ତ ୩୦ ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ଲାଗି ପ୍ରସ୍ତୁତି ହୋଇଥିବା କହିଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ।
ଓଡ୍ରାଫ ଏବଂ ଏନଡିଆରଏଫ ଟିମକୁ ଆଲର୍ଟ ରଖାଯାଇଛି। ସମ୍ଭାବ୍ୟ ବାତ୍ୟା କେଉଁଠି ଲ୍ୟାଣ୍ଡଫଲ କରିବ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଏହାର ମୁକାବିଲା ଲାଗି ସମସ୍ତ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି। ବିଭିନ୍ନ ବିଭାଗ ମଧ୍ୟ ପ୍ରସ୍ତୁତ ରହିଛନ୍ତି। ତଳିଆ ଅଞ୍ଚଳର ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳଗୁଡ଼ିକୁ ସ୍ଥାନାନ୍ତର ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି।
ଏପଟେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଶକ୍ତି ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ।
Tags: #LowPressure #Cyclone #Rainfall #IMD #MCBBSR #Odisha #OdishaGovt #SureshPujari