ଓଡ଼ିଶାଲାଇଭ୍ ବ୍ୟୁରୋ

ପୂର୍ବେ ତିନି ବର୍ଷରେ ତିନୋଟି ବାତ୍ୟାକୁ ସାମ୍ନା କରିଛି ବାଲେଶ୍ଵର।

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ପୁଣି ଅକ୍ଟୋବରରେ ବାତ୍ୟା ଭୟ। ଏହାକୁ ନେଇ ବାଲେଶ୍ଵରବାସୀ ବିଶେଷ ସତର୍କ ରହିଛନ୍ତି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ ଅକ୍ଟୋବର ୨୩ ତାରିଖ ବେଳକୁ ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ଅକ୍ଟୋବର ୨୪ ତାରିଖରେ ପୁରୀ ଓ ପଶ୍ଚିମବଙ୍ଗର ସାଗର ଦୀପ ମଝିରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି। ତେବେ ଏହି ସମ୍ଭାବ୍ୟ ବାତ୍ୟା ଜିଲ୍ଲାବାସୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଛି।

୧୯୯୯ ମହାବାତ୍ୟାରୁ ନେଇ ପରବର୍ତ୍ତୀ ସମୟରେ ଫାଇଲିନ୍‌, ହୁଡ୍‌ହୁଡ୍‌, ଫନି ଓ ତିତ୍‌ଲି ବାତ୍ୟାର ପ୍ରକୋପ ସହିଛି ଓଡ଼ିଶା। ରାଜ୍ୟର ଏକ ବାତ୍ୟାପ୍ରବଣ ଜିଲ୍ଲା ହେଉଛି ବାଲେଶ୍ଵର। ବିଗତ ବର୍ଷମାନଙ୍କରେ ଜିଲ୍ଲା ତିନୋଟି ବଡ଼ ବାତ୍ୟାକୁ ସାମ୍ନା କରିଛି। ଚଳିତବର୍ଷ ଜିଲ୍ଲାବାସୀ ପୁଣି ଆଉ ଏକ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି।

୨୦୧୯ ମେ’ ମାସରେ ଫନି ବାତ୍ୟା ଆସିଥିଲା। ପ୍ରଭାବିତ ହୋଇଥିଲା ପୂରା ଉପକୂଳ ଓଡ଼ିଶା। ଏଥିରେ ବାଲେଶ୍ଵରର ୧୨ଟି ବ୍ଲକରେ କଚ୍ଚା ଘର ଭାଙ୍ଗିବା ସ‌ହ ଗାଈଗୋରୁଙ୍କ ମୃତ୍ୟୁ ହୋଇଥିଲା। ସେହିପରି ୨୦୨୦ ମେ’ ମାସରେ ବାତ୍ୟା ଅମ୍ଫାନ୍ ଆସିଥିଲା‌। ବାଲେଶ୍ଵର ସମେତ ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ପ୍ରଭାବିତ ହୋଇଥିଲା। ଏଥିରେ ବାଲେଶ୍ଵରର ୧୨ଟି ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଏହାସହ ୨୦୨୧ ବାତ୍ୟା ‘ୟାସ୍’ରେ ଜିଲ୍ଲାର ଏକାଧିକ ବ୍ଲକ ଓ ୪ଟି ପୌରାଞ୍ଚଳରେ ହୋଇଥିବା କ୍ଷୟକ୍ଷତି ଏବେ ବି ସମସ୍ତଙ୍କ ମନେ ରହିଛି।

ତେବେ ୨୦୨୪ରେ ସମ୍ଭାବ୍ୟ ବାତ୍ୟା ପାଇଁ ଅକ୍ଟୋବର ୨୪ ଓ ୨୫ ତାରିଖରେ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ କଟକ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାସହ ଅକ୍ଟୋବର ୨୩ ତାରିଖରୁ ଉପରୋକ୍ତ ଜିଲ୍ଲା ସମେତ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।       

ଓଡ଼ିଶାରେ ବାତ୍ୟାର ଇତିହାସ

ଓଡ଼ିଶାରେ ୧୯୯୯ ମସିହା ଅକ୍ଟୋବର ୨୯ ତାରିଖରେ ହୋଇଥିଲା ମହାବାତ୍ୟା। ଏଥିରେ ପ୍ରଭାବିତ ହୋଇଥିଲା ସମ୍ପୂର୍ଣ୍ଣ ଉପକୂଳ ଓଡ଼ିଶା। ସରକାରୀ ଭାବେ ପ୍ରାଣ ହରାଇଥିଲେ ୧୦ ହଜାରରୁ ଅଧିକ ଲୋକ। ସେଇ ବର୍ଷଠାରୁ ଅକ୍ଟୋବର ଆସିଲେ ବାତ୍ୟାର ଭୟ ସାମ୍ନାକୁ ଆସିଯାଏ।

ପରବର୍ତ୍ତୀ ସମୟରେ ୨୦୧୩ ମସିହା ଅକ୍ଟୋବର ୧୨ରେ ଗୋପାଳପୁର ପାଖରେ ମାଡ଼ ହୋଇଥିଲା ଅତି ଭୀଷଣ ବାତ୍ୟା ‘ଫାଇଲିନ୍‌’। ଏଥିରେ ପୁରୀ ଓ ଗଞ୍ଜାମ ବିଶେଷ ଭାବେ ପ୍ରଭାବିତ ହୋଇଥିଲା। ଏହାପରେ ୨୦୧୪ ଅକ୍ଟୋବର ମାସରେ ଆସିଥିଲା ବାତ୍ୟା ହୁଡହୁଡ୍। ଏଥିରେ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲା ବିଶେଷ ଭାବେ ପ୍ରଭାବିତ ହୋଇଥିଲା।

ସେହିପରି ୨୦୧୮ ଅକ୍ଟୋବର ୧୧ରେ ଓଡ଼ିଶାରେ ଲ୍ୟାଣ୍ଡଫଲ୍ କରିଥିଲା ତିତ୍‌ଲି। ଏହି ବାତ୍ୟାରେ ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ କ୍ଷୟକ୍ଷତି ହୋଇଥିଲା। ପରେ ୨୦୧୯ ମେ’ ମାସରେ ଫନି ବାତ୍ୟା ଆସିଥିଲା। ଏଥିରେ ସମ୍ପୂର୍ଣ୍ଣ ଉପକୂଳ ଓଡ଼ିଶା ପ୍ରଭାବିତ ହୋଇଥିଲା।

Tags: #Cyclone #Baleswar #Rainfall #IMD #MCBBSR #Odisha

LEAVE A REPLY

Please enter your comment!
Please enter your name here