ଓଡ଼ିଶାଲାଇଭ୍ ବ୍ୟୁରୋ
ବଙ୍ଗୋପସାଗରର ଉତ୍ତର ଆଣ୍ଡାମାନ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି। ଏହା ଅତି ଭୀଷଣ ବାତ୍ୟାର ରୂପ ନେଇପାରେ। ତେବେ ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ସ୍ଥିତି ସମୀକ୍ଷା କରିଛନ୍ତି। ଏନେଇ ସ୍ଵତନ୍ତ୍ର ରିଲିଫ କମିଶନର ଦେଓରଂଜନ କୁମାର ସିଂହ ସୂଚନା ଦେଇଛନ୍ତି।
“ଓଡ଼ିଶା ଉପକୂଳରେ ବାତ୍ୟାର ସମ୍ଭାବନା ରହିଛି। ନେଇ ଜିଲ୍ଲାପାଳମାନଙ୍କୁ ସତର୍କ କରାଯାଇଛି। ଆସନ୍ତାକାଲି ଜିଲ୍ଲାପାଳମାନେ ବାତ୍ୟା ଆଶ୍ରୟସ୍ଥଳୀକୁ ଯାଇ ତଦାରଖ କରିବେ। ଯେଉଁ ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ଯାଇଛନ୍ତି, ସେମାନେ ସ୍ଥଳଭାଗକୁ ଶୀଘ୍ର ଫେରି ଆସନ୍ତୁ। ଅକ୍ଟୋବର ୨୬ ତାରିଖ ଯାଏଁ ସମୁଦ୍ର ଭିତରକୁ ନଯିବାକୁ ଆମେ ପରାମର୍ଶ ଦେଉଛୁ”, କହିଛନ୍ତି ଦେଓରଂଜନ କୁମାର ସିଂହ।
ସେ ଆହୁରି ମଧ୍ୟ କହିଛନ୍ତି, “ବାତ୍ୟା ସମୟରେ ଅଧିକାରୀମାନଙ୍କର ଦାୟିତ୍ବ ବଢ଼ିଯିବ। ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରବିବାର ସନ୍ଧ୍ୟାରେ ସମସ୍ତ ସରକାରୀ ଅଧିକାରୀମାନଙ୍କର ଛୁଟି ବାତିଲ କରିଛନ୍ତିତେବେ ବିଦ୍ୟାଳୟଗୁଡ଼ିକ ଛୁଟି ନେଇ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବେ।”
ତେବେ ବାତ୍ୟାକୁ ନେଇ ଭୟଭୀତ ନହେବା ପାଇଁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ସ୍ଵତନ୍ତ୍ର ରିଲିଫ କମିଶନର।
ସାମ୍ଭାବ୍ୟ ବାତ୍ୟାକୁ ନେଇ ସୋମବାର ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଏଠାରେ ବାତ୍ୟାକୁ ମୁକାବିଲା ନେଇ ଆଲୋଚନା କରାଯିବ।
ତେବେ ବାତ୍ୟାର ରୂପରେଖ କ’ଣ ରହିବ ଏବଂ ଓଡ଼ିଶାକୁ କିଭଳି ଭାବେ ପ୍ରଭାବିତ କରିବ ସେ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ପୂର୍ବାନୁମାନ କରାଯାଇନାହିଁ। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆଗକୁ ସୂଚନା ଦିଆଯିବ।
Tags: #Weather #LowPressure #Cyclone #Rainfall #MCBBSR #Odisha