ଓଡ଼ିଶାଲାଇଭ୍ ବ୍ୟୁରୋ

ବାତ୍ୟା ମୁକବିଲା ପାଇଁ ବାଲେଶ୍ଵରରେ ୩ଟି ଏନଡିଆରଏଫ୍, ୮ଟି ଓଡ୍ରାଫ୍ ଓ ୧୪ଟି ଅଗ୍ନିଶମ ଦଳ ନିୟୋଜିତ।
(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ବାତ୍ୟା ‘ଦାନା’ର ମୁକାବିଲା ପାଇଁ ବାଲେଶ୍ଵର ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଜିଲ୍ଲାରେ ବିଭିନ୍ନ ବିଭାଗ ପକ୍ଷରୁ କରାଯାଇଥିବା ପ୍ରସ୍ତୁତିର ସମୀକ୍ଷା କରାଯାଇଛି। ବାଲେଶ୍ଵର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା।
ବୈଠକରେ ଜିଲ୍ଲାପାଳ ଉପସ୍ଥିତ ବରିଷ୍ଠ ଅଧିକାରୀଙ୍କୁ ପ୍ରଭାବିତ ହେବାକୁ ଥିବା ଅଞ୍ଚଳର ସମସ୍ତ ବାତ୍ୟା ଆଶ୍ରୟ ସ୍ଥଳୀଗୁଡ଼ିକର ପରିଦର୍ଶନ ଉପରେ ଗୁରୁତ୍ଵାରୋପ କରିଥିଲେ। ଏହା ସହିତ ସେଠାକାର କାର୍ଯ୍ୟକାରିତା ଉପରେ ବିଶେଷ ଧ୍ୟାନ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ଏଥି ସହିତ ସବୁ ବିଭାଗର ସମନ୍ୱୟ ରକ୍ଷା କରି ଏହି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ଦିଗରେ ବୈଠକରେ ଆଲୋଚନା କରାଯାଇଥିଲା।
ବାଲେଶ୍ଵରରେ ବାତ୍ୟାକୁ ଦୃଷ୍ଟିରେ ରଖି ଉଦ୍ଧାର କାର୍ଯ୍ୟ ପାଇଁ ୩ଟି ଏନଡିଆରଏଫ, ୮ଟି ଓଡ୍ରାଫ୍ ଓ ୧୪ଟି ଅଗ୍ନିଶମ ବାହିନୀ ଟିମ୍ ନିୟୋଜିତ ହୋଇଛନ୍ତି। ଏହାସହ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ଟି ବାତ୍ୟା ଆଶ୍ରୟସ୍ଥଳୀ ଓ ୭୨୮ଟି ବିକଳ୍ପ ସୁରକ୍ଷିତ ଆଶ୍ରୟସ୍ଥଳୀ ପ୍ରସ୍ତୁତ କରାଯାଇଛି।
ସେହିପରି ପ୍ରାଥମିକ ଓ ସହରାଞ୍ଚଳ ସ୍ଵାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ସହ ଆଣ୍ଟି ଭେନମ, ଡାଇରିଆ, ଥଣ୍ଡା, ଜ୍ଵର ଔଷଧ ମହଜୁଦ ରଖାଯାଇଛି। ବୟସ୍କ ନାଗରିକ, ଗର୍ଭବତୀ ମହିଳା ଏବଂ ଭିନ୍ନକ୍ଷମଙ୍କୁ ବିପଦପୂର୍ଣ୍ଣ ସ୍ଥାନରୁ ସୁରକ୍ଷିତ ସ୍ଥାନାନ୍ତର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।
ଏହି ବୈଠକରେ ବାଲେଶ୍ଵର ଏସପି ରାଜ ପ୍ରସାଦ, ମଣ୍ଡଳୀୟ ବନ ଅଧିକାରୀ ଖୁଶୱନ୍ତ ସିଂହ, ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ, ନୀଳଗିରି ଉପଜିଲ୍ଲାପାଳ ଶୁଭଶ୍ରୀ ରଥ ପ୍ରମୁଖ ଯୋଗ ଦେଇଥିଲେ। ଏହାସହ ଜିଲ୍ଲାର ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇ ନିଜ ନିଜ ବିଭାଗର କାର୍ଯ୍ୟ ଯୋଜନା ବିଷୟରେ ସବିଶେଷ ସୂଚନା ପ୍ରଦାନ କରିଥିଲେ।
Tags: #CycloneDana #Rainfall #Baleswar #Odisha #CycloneUpdates