ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ବାତ୍ୟା ‘ଦାନା’। ଏହାକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ବ୍ୟାପକ ଟ୍ରେନ୍ ବାତିଲ୍ ହୋଇଛି। ଓଡ଼ିଶା ଦେଇ ଯାଉଥିବା ମୋଟ ୧୯୭ଟି ଟ୍ରେନ ବାତିଲ୍ କରାଯାଇଛି। ଏନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।
ବାତିଲ ହୋଇଥିବା ଟ୍ରେନଗୁଡ଼ିକ ମଧ୍ୟରେ ୯୪ଟି ଅପ୍ ଟ୍ରେନ୍ ଏବଂ ୧୦୩ଟି ଡାଉନ୍ ଟ୍ରେନ୍ ସାମିଲ ରହିଛି। ଅକ୍ଟୋବର ୨୩, ୨୪ ଓ ୨୫ ତାରିଖରେ ଏହି ସବୁ ଟ୍ରେନ ଚଳାଚଳ ବନ୍ଦ ରହିବ।
ବାତିଲ ହୋଇଥିବା ଟ୍ରେନ ଭିତରେ ରହିଛି ୧୨୭୦୩ ହାୱଡା-ସିକନ୍ଦରାବାଦ ଏକ୍ସପ୍ରେସ୍, ୧୨୮୨୧ ସାଲିମାର-ପୁରୀ ଏକ୍ସପ୍ରେସ୍, ୨୨୮୨୪ ନୂଆଦିଲ୍ଲୀ-ଭୁବନେଶ୍ଵର ଏକ୍ସପ୍ରେସ୍, ୧୨୦୭୩ ହାୱଡା-ଭୁବନେଶ୍ଵର ଏକ୍ସପ୍ରେସ୍, ୧୨୨୭୭ ହାୱଡା-ପୁରୀ ଏକ୍ସପ୍ରେସ୍, ୧୮୦୨୧ ଖଡ଼ଗପୁର-ଖୋର୍ଦ୍ଧା ପାସେଞ୍ଜର, ୧୮୩୦୩ ସମ୍ବଲପୁର-ପୁରୀ ପାସେଞ୍ଜର, ୨୨୮୩୯ ରାଉରକେଲା-ଭୁବନେଶ୍ଵର ଇଣ୍ଟରସିଟି, ୧୭୦୧୬ ସିକନ୍ଦରାବାଦ-ଭୁବନେଶ୍ଵର ଏକ୍ସପ୍ରେସ୍, ୧୨୮୬୮ ପୁଡୁଚେରୀ-ହାୱଡ଼ା, ୧୨୮୯୭ ପୁଡୁଚେରୀ-ଭୁବନେଶ୍ବର, ୦୮୪୪୨ ବ୍ରହ୍ମପୁର-ଭୁବନେଶ୍ଵର, ୨୦୮୪୨ ବିଶାଖାପାଟଣା-ଭୁବନେଶ୍ଵର ଇଣ୍ଟରସିଟି, ୨୨୮୭୪ ବିଶାଖାପାଟଣା-ଦୀଘା ଏକ୍ସପ୍ରେସ୍। ଏହାଛଡ଼ା ଆହୁରି ଏକାଧିକ ଟ୍ରେନକୁ ବାତିଲ୍ କରାଯାଇଛି।
ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା ‘ଦାନା’। ଏହା ଅକ୍ଟୋବର ୨୪ ରାତିରେ କିମ୍ବା ୨୫ ତାରିଖ ସକାଳେ ଓଡ଼ିଶାର ଧାମରା ଓ ଭିତରକନିକା ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ଲ୍ୟାଣ୍ଡଫଲ କରିବା ସମୟରେ ପବନର ବେଗ ୧୦୦ରୁ ୧୨୦ କିଲୋମିଟର ଯାଏଁ ରହିପାରେ।
Tags: #CycloneDana #Rainfall #TrainServices #EastCoastRailways #Odisha #CycloneUpdates