ଓଡ଼ିଶାଲାଇଭ୍ ବ୍ୟୁରୋ

ଭୀଷଣ ବାତ୍ୟା ‘ଦାନା’ ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି। ଏହାର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି କରିଛନ୍ତି ରାଜ୍ୟ ସରକାର। ଗୁରୁବାର ଭୁବନେଶ୍ୱର ଲୋକସେବା ଭବନରେ ବାତ୍ୟା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଅଧ୍ୟକ୍ଷତା କରିଥିଲେ। ବାତ୍ୟା ପାଇଁ ବିଭିନ୍ନ ଉପକୂଳବର୍ତ୍ତୀ ଜିଲ୍ଲାରେ ନିଆଯାଇଥିବା ପଦକ୍ଷେପ ବିଷୟରେ ଏଠାରେ ଆଲୋଚନା କରାଯାଇଥିଲା।

“ବାତ୍ୟା ‘ଦାନା’ର ମୁକାବିଲା ପାଇଁ ଆମେ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି। ବିଭିନ୍ନ ଉପକୂଳବର୍ତ୍ତୀ ଜିଲ୍ଲାରେ ରାଜ୍ୟର ମନ୍ତ୍ରୀ, ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ଜିଲ୍ଲାପାଳମାନେ ସ୍ଥିତି ତଦାରଖ କରି ପଦକ୍ଷେପ ନେଉଛନ୍ତି। ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଗରୁତ୍ଵ ଦିଆଯାଉଛି। ଜିରୋ କାଜୁଆଲିଟି ପାଇଁ ଆମେ ଲକ୍ଷ୍ୟ ରଖିଛୁ। ସବୁ ପ୍ରକାର ପରିସ୍ଥିତି ଉପରେ ରାଜ୍ୟ ସରକାରଙ୍କ ନଜର ରଖିଛନ୍ତି”, କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ସେ ଆହୁରି ମଧ୍ୟ କହିଛନ୍ତି, “ବାତ୍ୟା ‘ଦାନା’ ଯୋଗୁଁ ଓଡ଼ିଶାର ୧୧ଟି ଜିଲ୍ଲାର ୩୮ଟି ବ୍ଲକ ପ୍ରଭାବିତ ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି। ଗାଈ ଗୋରୁଙ୍କୁ ମଧ୍ୟ ସ୍ଥାନାନ୍ତରିତ କରାଯାଉଛି। ଲୋକଙ୍କ ପାଇଁ ୭,୨୮୫ଟି ବାତ୍ୟା ଆଶ୍ରୟସ୍ଥଳୀର ବ୍ୟବସ୍ଥା କରାଯାଇଛି। ଏବେ ସୁଦ୍ଧା ୨,୩୩୮ ଜଣ ଗର୍ଭବତୀ ମହିଳାଙ୍କୁ ମେଡିକାଲକୁ ସ୍ଥାନାନ୍ତରିତ ହୋଇଛି। ବାତ୍ୟା ମୁକାବିଲା ପାଇଁ ୧୯ଟି ଏନଡିଆରଏଫ , ୫୧ଟି ଓଡ୍ରାଫ, ୨୧୦ଟି ଅଗ୍ନିଶମ ବହିନୀର ଟିମ୍ ଓ ୧୫୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।”

ବିଭିନ୍ନ ଗାଁରେ ପୋଲିସ ପାଟ୍ରୋଲିଂ ହେଉଛି। ହସ୍ପିଟାଲରେ ବ୍ୟାପକ ପାୱାର ସପ୍ଲାଇ ପାଇଁ ବ୍ୟବସ୍ଥା ହୋଇଛି। ଏହାସହ କେନ୍ଦ୍ର ସରକାର ମଧ୍ୟ ବାତ୍ୟା ‘ଦାନା’ ଉପରେ ନଜର ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ।

ଏହି ବୈଠକରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜ, ଉନ୍ନୟନ କମିଶନର ଅନୁ ଗର୍ଗ, ପୋଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ ଓ ସ୍ୱତନ୍ତ୍ର ରିଲିଫ କମିଶନର ଦେଓରଞ୍ଜନ କୁମାର ସିଂହ ପ୍ରମୁଖ ଯୋଗ ଦେଇଥିଲେ।

Tags: #CycloneDana #Rainfall #Reliefwork #CMMohanCharanMajhi #IMD #MCBBSR #Odisha #CycloneUpdates

LEAVE A REPLY

Please enter your comment!
Please enter your name here