ଓଡ଼ିଶାଲାଇଭ୍ ବ୍ୟୁରୋ

ସମୁଦ୍ର ମଧ୍ୟରେ ବଳ ଗୋଟାଇ ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ଭୀଷଣ ବାତ୍ୟା ‘ଦାନା’। ଏହା ଗୁରୁବାର ବିଳମ୍ବିତ ରାତିରେ ଭିତରକନିକା ଓ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଏବେଠାରୁ ଉପକୂଳରେ ପ୍ରବଳ ବର୍ଷା ସହ ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିବା ଆରମ୍ଭ ହୋଇଛି। ଲ୍ୟାଣ୍ଡଫଲ୍ ସମୟ ନିକଟତର ହେଲେ ପବନ ଓ ବର୍ଷା ବଢ଼ିବାର ସମ୍ଭାବନା ରହିଛି।

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଭୀଷଣ ବାତ୍ୟା ‘ଦାନା’ ଏବେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ରହିଛି। ଏହା ପାରାଦୀପରୁ ୧୫୦ କିଲୋମିଟର ଏବଂ ଧାମରାଠାରୁ ୧୮୦ କିଲୋମିଟର ଦକ୍ଷିଣ-ପୂର୍ବରେ କେନ୍ଦ୍ରୀଭୂତ ରହିଛି। ବାତ୍ୟାଟି ଘଣ୍ଟାପ୍ରତି ୧୦ କିଲୋମିଟର ବେଗରେ ଓଡ଼ିଶା ଉପକୂଳ ଅଭିମୁଖେ ଆସୁଛି।

ବାତ୍ୟା ‘ଦାନା’ର ପ୍ରଭାବ ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ଵର ଓ ଜଗତସିଂହପୁର ଜିଲ୍ଲାରେ ଅଧିକ ରହିବା ବୋଲି ଆକଳନ କରାଯାଇଛି। ଲ୍ୟାଣ୍ଡଫଲ୍ ସମୟରେ ଏହି ସବୁ ଜିଲ୍ଲାରେ ୧୦୦ରୁ ୧୨୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି।    

ବାତ୍ୟା ପ୍ରଭାବରେ ଭଦ୍ରକ, କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଗଛ ଉପୁଡ଼ିବା ସହ ବିଦ୍ୟୁତ୍ ସେବା ବ୍ୟାହତ ହୋଇଥିବା ଦେଖିବାକୁ ମିଳିଛି। ଅଗ୍ନିଶମ ଏବଂ ଓଡ୍ରାଫ ଟିମ୍ ପକ୍ଷରୁ ଗଛ କଟା ଯାଇ ରାସ୍ତା ସଫା କରାଯାଉଛି।  

ତେବେ ଏଥର ବାତ୍ୟାର ଆଖି ସୃଷ୍ଟି ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଅତି ଭୀଷଣ ବାତ୍ୟା ହେଲେ ଆଖି ସୃଷ୍ଟି ହୋଇଥାଏା ଲ୍ୟାଣ୍ଡଫଲ୍ ପରେ ବାତ୍ୟା ‘ଦାନା’ ରିକର୍ଭ କରିବାର ସମ୍ଭାବନା ରହିଛି। ଏହା ଦିଗ ବଦଳାଇ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶା ଆଡ଼କୁ ମୁହାଁଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

ସେହିପରି ଶୁକ୍ରବାର ପ୍ରବଳ ବର୍ଷା ପାଇଁ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ବାଲେଶ୍ଵର, ମୟୂରଭଞ୍ଜ, କେନ୍ଦୁଝର, ନୟାଗଡ଼, ବୌଦ୍ଧ ଓ ସୋନପୁର ଜିଲ୍ଲାକୁ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।

 Tags: #CycloneDana #Rainfall #IMD #MCBBSR #Odisha #CycloneUpdates

LEAVE A REPLY

Please enter your comment!
Please enter your name here