ଓଡ଼ିଶାଲାଇଭ୍ ବ୍ୟୁରୋ
ଭୀଷଣ ବାତ୍ୟା ରୂପରେ ଓଡ଼ିଶାକୁ ମାଡ଼ି ଆସୁଛି ‘ଦାନା’। ଏହା ଗୁରୁବାର ବିଳମ୍ବିତ ରାତିରେ ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ ରୁ ୧୨୦ କିଲୋମିଟର ରହିବ। ବାତ୍ୟା ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଛି।
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଅନୁସାରେ ଭୀଷଣ ବାତ୍ୟା ‘ଦାନା’ ଏବେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି। ଏହା ପାରାଦୀପରୁ ୨୧୦ କିଲୋମିଟର ଏବଂ ଧାମରାଠାରୁ ୨୪୦ କିଲୋମିଟର ଦକ୍ଷିଣ-ପୂର୍ବରେ କେନ୍ଦ୍ରୀଭୂତ ରହିଛି।
ବାତ୍ୟା ‘ଦାନା’ ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଓଡ଼ିଶା ଉପକୂଳ ଅଭିମୁଖେ ଆସୁଛି। ଗୁରୁବାର ବିଳମ୍ବିତ ରାତିରେ ଏହା ଭିତରକନିକା ଓ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି। ବାତ୍ୟା ପାଇଁ ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ବାତ୍ୟାରେ ଏହିସବୁ ଜିଲ୍ଲା ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି।
ଅନ୍ୟପଟେ ବାତ୍ୟା ପାଇଁ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଛି। ଗୁରୁବାର ବର୍ଷା ପାଇଁ ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ ଓ ଯାଜପୁର ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ପୁରୀ, ଖୋର୍ଦ୍ଧା, ନୟାଗଡ଼, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।
ବାତ୍ୟା ପାଇଁ ଧାମରା ଓ ପାରାଦୀପ ବନ୍ଦରରେ ୧୦ ନମ୍ବର ବିପଦ ସଙ୍କେତ ଦିଆଯାଇଥିବାବେଳେ ଗୋପାଳପୁର ବନ୍ଦରରେ ୮ ନମ୍ବର ବିପଦ ସଙ୍କେତ ଦିଆଯାଇଛି।
ବାତ୍ୟା ପାଇଁ ସମୁଦ୍ର କୂଳିଆ ଲୋକଙ୍କୁ ପ୍ରଶାସନ ପକ୍ଷରୁ ସଚେତନ କରାଯାଉଛି। ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ ଓ ଅନ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ବାତ୍ୟା ମୁକାବିଲା ପାଇଁ ବିଭିନ୍ନ ଜିଲ୍ଲାରେ ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ବହିନୀର ଆମେକ ଟିମ୍ ମୁତୟନ ହୋଇଛନ୍ତି।
Tags: #CycloneDana #Rainfall #IMD #MCBBSR #Odisha #CycloneUpdates