ଓଡ଼ିଶାଲାଇଭ୍ ବ୍ୟୁରୋ
ବାତ୍ୟା ‘ଦାନା’ ଓଡ଼ିଶା ଉପକୂଳ ଆଡ଼କୁ ମାଡ଼ି ଆସୁଛି। ବାତ୍ୟାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ କଥା ହୋଇଛନ୍ତି। ଓଡ଼ିଶାରେ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ ମୁଖ୍ୟମନ୍ତ୍ରୀ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ବାତ୍ୟା ପାଇଁ ରାଜ୍ୟରେ ଚାଲିଥିବା ଲୋକଙ୍କ ସ୍ଥାନାନ୍ତର ପ୍ରକ୍ରିୟା ବାବଦରେ ବିସ୍ତୃତ ସୂଚନା ପ୍ରଧାନମନ୍ତ୍ରୀଙ୍କୁ ଦେଇଥିଲେ। ଏହା ସହିତ ସେ ଲୋକଙ୍କ ସୁରକ୍ଷା ପାଇଁ ନିଆ ଯାଇଥିବା ପଦକ୍ଷେପ ତଥା ଏନଡିଆରଏଫ ଏବଂ ଓଡ୍ରାଫ ଟିମର ମୁତୟନ ସମ୍ପର୍କରେ ମଧ୍ୟ ସୂଚନା ଦେଇଥିଲେ।
ଆଲୋଚନା ସମୟରେ ଓଡ଼ିଶାରେ ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ।
ଏହା ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ବାତ୍ୟା ମୁକାବିଲା ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।
Tags: #CycloneDana #PMNarendraModi #CMMohanCharanMajhi #Odisha #CycloneUpdates