ଓଡ଼ିଶାଲାଇଭ୍ ବ୍ୟୁରୋ

ବାତ୍ୟାକୁ ଭୟ ନାହିଁ। ଭୀଷଣ ବର୍ଷା ପବନ ସାଙ୍ଗକୁ କାଦୁଅ ମିଶା ରାସ୍ତାକୁ ବି ଖାତିରି ନାହିଁ। ଗୋଟିଏ ଚିନ୍ତା ଲୋକଙ୍କ ସୁରକ୍ଷା। ବାତ୍ୟା ଦାଉରୁ ରକ୍ଷା କରିବାକୁ ଜଣେ ବୃଦ୍ଧାଙ୍କୁ ନିଜ ପିଠିରେ ନାଉ କରି ବାତ୍ୟା ଆଶ୍ରୟସ୍ଥଳୀକୁ ନେଇ ଆସିଥିଲେ ଆଶା ଦିଦି ଶିବାନୀ ମଣ୍ଡଳ।

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଖାସମୁଣ୍ଡା ଗାଁର ଆଶା କର୍ମୀ ଶିବାନୀ ମଣ୍ଡଳ ବାତ୍ୟା ସମୟରେ ପାଲଟିଛନ୍ତି ଲୋକଙ୍କ ସାହସ। ଖାସମୁଣ୍ଡା ଗାଁର ଜଣେ ବୃଦ୍ଧାଙ୍କୁ ନିଜ ପିଠିରେ ନାଉ କରି ଆଣି ଥିଲେ ବାତ୍ୟା ଆଶ୍ରୟସ୍ଥଳୀକୁ। ଏହି ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସମସ୍ତେ ଆଶା ଦିଦିଙ୍କର ଏହି ପ୍ରୟାସକୁ ପ୍ରଶଂସା କରିଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଶା ଦିଦି ଶିବାନୀ ମଣ୍ଡଳଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି। ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଶିବାନୀ ମଣ୍ଡଳ ବୃଦ୍ଧାଙ୍କୁ ନେଉଯାଉଥିବା ବେଳେର ଏକ ଫଟୋ ପୋଷ୍ଟ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ‘ରାଜ୍ୟର ସୁରକ୍ଷା ପାଇଁ ଆଗେଇ ଆସିଛନ୍ତି ମାତୃଶକ୍ତି। ରାଜନଗର ବ୍ଲକ ଖାସମୁଣ୍ଡା ଗ୍ରାମର ଆଶା ଭଉଣୀ ଶିବାନୀ ମଣ୍ଡଳ ଅଦମ୍ୟ ସାହସର ସହ ବାତ୍ୟାରୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ କରିଥିବା ପ୍ରୟାସ ସମସ୍ତଙ୍କ ପାଇଁ ଏକ ପ୍ରେରଣା।’

ସେହିପରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ଆଶା ଦିଦି ଶିବାନୀ ମଣ୍ଡଳଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, “ଆଶା ଭଉଣୀ ଶିବାନୀ ମଣ୍ଡଳ କର୍ତ୍ତବ୍ୟସାଧନ ପୂର୍ବକ ଜଣେ ବୃଦ୍ଧାଙ୍କୁ ପିଠିରେ ନାଉ କରି ବାତ୍ୟା ଆଶ୍ରୟସ୍ଥଳୀକୁ ନେଇଯାଉଥିବାର ଦୃଶ୍ୟ ନିଶ୍ଚିତ ପ୍ରେରଣାଦାୟୀ। ଆଶା ଭଉଣୀ ଶିବାନୀଙ୍କ ବ୍ୟକ୍ତିତ୍ଵ ପ୍ରକୃତ ନାରୀଶକ୍ତିର ପରିଚୟ।”

ସ୍ଵାସ୍ଥ୍ୟ ବିଭାଗ ମନ୍ତ୍ରୀ ନିଜ ସୋସିଆଲ ମିଡିଆ ପେଜରେ ଆଶାଦିଦି ଶିବାନୀ ମଣ୍ଡଳଙ୍କର ଏକ ଭିଡିଓ ସେୟାର କରି ଲେଖିଛନ୍ତି, ‘ପ୍ରାକୃତିକ ବିପର୍ଯ୍ୟ ସମୟରେ ପ୍ରତ୍ୟେକ ଜୀବନର ସୁରକ୍ଷା କରିବା ହେଉଛି ସରକାରଙ୍କ ଦାୟିତ୍ଵ ଓ କର୍ତ୍ତବ୍ୟ। ଏକ ଅମୂଲ୍ୟ ଜୀବନର ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଆଶା ଭଉଣୀଙ୍କର ଏହି ପ୍ରୟାସ ସମସ୍ତଙ୍କ ପାଇଁ ପ୍ରେରଣା।’

ଆଶାଦିଦି ଶିବାନୀ ମଣ୍ଡଳଙ୍କର ଏହି ପ୍ରୟାସକୁ ବିଭିନ୍ନ ମହଲରୁ ଉଚ୍ଚ ପ୍ରଶଂସା କରାଯାଉଛି।

Tags: #Cyclone #Dana #AshaDidiShibaniMondal #Odisha #Rajnagar #Kendrapara #CycloneUpdates

LEAVE A REPLY

Please enter your comment!
Please enter your name here