ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଲ୍ୟାଣ୍ଡଫଲ୍ କରିଛି ଭୀଷଣ ବାତ୍ୟା ‘ଦାନା’। ବାତ୍ୟା ପରର ସ୍ଥିତିକୁ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଶୁକ୍ରବାର ସକାଳେ ସେ ଭୁବନେଶ୍ଵରସ୍ଥିତ ସ୍ଵତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟକୁ ଆସି ବାତ୍ୟାରେ ହୋଇଥିବା କ୍ଷୟକ୍ଷତି ତଥା ବାତ୍ୟା ପରବର୍ତ୍ତୀ ରିଲିଫ୍ କାର୍ଯ୍ୟ ବିଷୟରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ବାତ୍ୟା ଯୋଗୁଁ ରାଜ୍ୟରେ କୌଣସି ଲୋକଙ୍କ ଜୀବନ ହାନି ହୋଇନଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ।

“ବାତ୍ୟା ‘ଦାନା’ର ମୁକାବିଲାରେ ଆମେ ସଫଳ ହୋଇଛୁ। ବାତ୍ୟାରେ ରାଜ୍ୟର କୌଣସି ଲୋକଙ୍କ ମୃତ୍ୟୁ ହୋଇନାହିଁ। ବାତ୍ୟାରେ ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ସବୁ ଅଞ୍ଚଳରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି ଆଜି ଦିନ ୧ଟା ସୁଦ୍ଧା ସେଗୁଡ଼ିକୁ ସଫା କରାଯିବ। ଏହାସହ ସନ୍ଧ୍ୟା ୬ଟା ସୁଦ୍ଧା ବିଦ୍ୟୁତସେବା ସ୍ଵାଭାବିକ ହେବ। ଭୁବନେଶ୍ଵର ବିମାନବନ୍ଦରରୁ ବିମାନ ଚଳାଚଳ ଆରମ୍ଭ ହୋଇଥିବାବେଳେ ଆଜି କିଛି ଟ୍ରେନ ମଧ୍ୟ ଚଳାଚଳ କରୁଛି”, କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ବାତ୍ୟା ‘ଦାନା’ର ମୁକାବିଲାରେ ସବୁ ବିଭାଗର କାର୍ଯ୍ୟକୁ ପ୍ରଶଂସା କରିଥିଲେ ମୁଖ୍ୟମନ୍ତ୍ରୀ। ସଠିକ୍ ସମନ୍ଵୟର ସହ ସବୁ ବ୍ୟବସ୍ଥା ପାଇଁ ବାତ୍ୟାର ସଫଳ ମୁକାବିଲା ହୋଇପାରିଛି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ।

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଭୀଷଣ ବାତ୍ୟା ‘ଦାନା’ ଗୁରୁବାର ମଧ୍ୟରାତ୍ରିରେ ଭିତରକନିକାର ହବାଳିଖଟି ନେଚର କ୍ୟାମ୍ପ ନିକଟରେ ଲ୍ୟାଣ୍ଡଫଲ କରିଥିଲା। ଏବେ ଏହା ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହୋଇଛି। ଏବେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହୋଇଥିବାବେଳେ ବାତ୍ୟାଟି ଧାମରାଠାରୁ ୨୦ କିଲୋମିଟର ଉତ୍ତର ପଶ୍ଚମରେ କେନ୍ଦ୍ରୀଭୂତ ରହିଛି। ଏହାର ଗତି ଘଣ୍ଟାପ୍ରତି ୧୦ କିଲୋମିଟର ରହିଛି। ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ଆହୁରି ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି।

Tags: #CycloneDana #Rainfall #Reliefwork #CMMohanCharanMajhi #IMD #MCBBSR #Odisha #CycloneUpdates

LEAVE A REPLY

Please enter your comment!
Please enter your name here