ଓଡ଼ିଶାଲାଇଭ୍ ବ୍ୟୁରୋ

ବାତ୍ୟା ‘ଦାନା’ ଯୋଗୁଁ ଉପକୂଳବର୍ତ୍ତୀ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଥିରେ ଅନେକ କଚ୍ଚା ଘର ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ତେବେ ଯେଉଁ ଲୋକଙ୍କ ଘର କ୍ଷତିଗ୍ରସ୍ତ ହୋଇଛି ସେମାନଙ୍କୁ ପକ୍କା ଘର ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବେ ରାଜ୍ୟ ସରକାର। ଏନେଇ ଘୋଷଣା କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ।

“ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତି ଆକଳନ କରିବା ପାଇଁ ଶନିବାରଠାରୁ କ୍ଷେତ୍ର ପରିଦର୍ଶନ ଆରମ୍ଭ ହେବ। ଏଥିପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୭ ଦିନ ଭିତରେ ବାତ୍ୟାରେ କ’ଣ କ୍ଷତି ହୋଇଛି, କେତେ ଫସଲ ଏବଂ ଘର ନଷ୍ଟ ହୋଇଛି ତାହା ଆକଳନ କରି ସେମାନେ ରିପୋର୍ଟ ଦେବେ। ବାତ୍ୟାରେ ଯେଉଁ ପରିବାରଙ୍କ ଘର ଭାଙ୍ଗିଥିବ ସେମାନଙ୍କୁ ପକ୍କା ଘର ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବା ନେଇ ନିଷ୍ପତ୍ତି ହୋଇଛି”, କହିଛନ୍ତି ସୁରେଶ ପୂଜାରୀ।

ସେ ଆହୁରି ମଧ୍ୟ କହିଛନ୍ତି, “ବାତ୍ୟା ଦାନାରେ କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲ୍ଲାରେ ବିଶେଷ କ୍ଷୟକ୍ଷତି ହୋଇଛି। ଶନିବାର କ୍ଷୟକ୍ଷତିର ଆକଳନ ପାଇଁ ଏରିଆଲ ସର୍ଭେ ଆରମ୍ଭ କରାଯିବ।”

ଯେଉଁ ସବୁ ଅଞ୍ଚଳରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି ସେଗୁଡ଼ିକୁ ସଫା କରାଯାଉଛି। ଏହାସହ ଶୀଘ୍ର ବିଦ୍ୟୁତ୍ ସେବା ସ୍ଵାଭାବିକ କରିବାକୁ ବ୍ୟବସ୍ଥା କରାଯାଉଛି ବୋଲି ମନ୍ତ୍ରୀ କହିଥିଲେ।

Tags: #CycloneDana #Reliefwork #SureshPujari #IMD #MCBBSR #Odisha #CycloneUpdates

LEAVE A REPLY

Please enter your comment!
Please enter your name here