ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଉପକୂଳରେ ମାଡ଼ ହୋଇଛି ଭୀଷଣ ବାତ୍ୟା ‘ଦାନା’। ଗୁରୁବାର ବିଳମ୍ବିତ ରାତିରେ ଭିତରକନିକାର ହବାଳିଖଟି ନେଚର କ୍ୟାମ୍ପ ନିକଟରେ ବାତ୍ୟାର ଲ୍ୟାଣ୍ଡଫଲ୍ ହୋଇଛି। ୬ରୁ ୭ ଘଣ୍ଟା ଯାଏଁ ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିଥିଲା। ଏବେ ବାତ୍ୟାଟି ଦୁର୍ବଳ ହେବା ଆରମ୍ଭ କରିଥିଲେ ମଧ୍ୟ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ବାତ୍ୟାଟି ଏବେ ଧାମରାଠାରୁ ୬୦ କିଲୋମିଟର ଉତ୍ତର-ପଶ୍ଚମରେ କେନ୍ଦ୍ରୀଭୂତ ରହିଛି। ଏହା ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ଆଗକୁ ବଢୁଛି। ଏବେ ସ୍ଥଳଭାଗରେ ପବନର ବେଗ ୭୦ରୁ ୮୦ କିଲୋମିଟର ରହିଛି। ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ଆହୁରି ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ସେହିପରି ଶୁକ୍ରବାର ଅତି ପ୍ରବଳ ବର୍ଷା ପାଇଁ ୪ଟି ଜିଲ୍ଲା ମୟୂରଭଞ୍ଜ, ବାଲେଶ୍ଵର, କେନ୍ଦୁଝର ଓ ଭଦ୍ରକକୁ ରେଡ୍ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସବୁ ଜିଲ୍ଲାରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହେବାର ସମ୍ଭବନା ରହିଛି। ଏହାସହ କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ ଓ କଟକ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।

ଅନ୍ୟପଟେ ବାତ୍ୟା ଯୋଗୁଁ ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାରେ ସର୍ବାଧିକ ୧୫୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏହାସହ ଜିଲ୍ଲାର ଡେରାବିଶରେ ୧୨୦ ମିଲିମିଟର, ମାର୍ଶାଘାଇରେ ୧୧୦ ମିଲିମିଟର ଓ ରାଜନଗରରେ ୧୦୦ ମିଲିମିଟର ବର୍ଷା ରେକର୍ଡ ହୋଇଛି। ସେହିପରି ବାଲେଶ୍ଵରର ଔପଦାରେ ୧୦୯ ମିଲିମିଟର, ଭଦ୍ରକର ବାସୁଦେବପୁରରେ ୧୧୦ ମିଲିମିଟର ଓ ଚାନ୍ଦବାଲିରେ ୧୦୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।  

Tags: #CycloneDana #Rainfall #IMD #MCBBSR #Odisha #CycloneUpdates

LEAVE A REPLY

Please enter your comment!
Please enter your name here