ଓଡ଼ିଶାଲାଇଭ୍ ବ୍ୟୁରୋ

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବୁଦାନାଇ ଜଙ୍ଗଲରେ ଶୁକ୍ରବାର ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ କ୍ୟାଡର ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ଗୋଟେ ଏକେ-୪୭ ରାଇଫଲ ଓ ଅନ୍ୟ ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିବାବେଳେ ଏବେ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି।

ବୁଦାନାଇ ଜଙ୍ଗଲରେ ମାଓବାଦୀମାନେ ଏକ କ୍ୟାମ୍ପ କରି ରହିଥିବା ନେଇ ପୋଲିସକୁ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଥିଲା। ଯାହାକୁ ଆଧାର କରି ଓଡ଼ିଶା ପୋଲିସର ଏସଓଜି ବାହିନୀ ପକ୍ଷରୁ ଉକ୍ତ ଅଞ୍ଚଳରେ କୁମ୍ବିଂ ଅପରେସନ ଆରମ୍ଭ ହୋଇଥିଲା।  

କୁମ୍ବିଂ ଅପରେସନବେଳେ ପୋଲିସ-ମାଓବାଦୀ ମୁହାଁମୁହିଁ ‌ହୋଇଥିଲେ। ପୋଲିସଙ୍କୁ ଦେଖି ମାଓବାଦୀମାନେ ପ୍ରଥମେ ଗୁଳିଚାଳନା କରିଥିଲେ। ପରେ ପୋଲିସକର୍ମୀ ଏହାର ପାଲଟା ଜବାବ ଦେଇଥିଲେ। ଏଥିରେ ଜଣେ ମାଓବାଦୀ ନିହତ ହୋଇଥିବାବେଳେ ଅନ୍ୟମାନେ ଖସି ପଳାଇଥିଲେ।

ପୋଲିସ ପକ୍ଷରୁ ନିହତ ହୋଇଥିବା ମାଓବାଦୀଙ୍କ ମୃତଦେହ ଠାବ କରାଯାଇଛି। ଏହାସହ ମାଓ କ୍ୟାମ୍ପରୁ ଅନେକ ବିସ୍ଫୋରକ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ଏବେ ସମଗ୍ର ଅଞ୍ଚଳକୁ ସିଲ କରାଯାଇ ସର୍ଚ୍ଚ ଅପରେସନ ଜାରି ରଖାଯାଇଛି।  

Tags: #Police-MaoistEncounter #Maoists #Kandhamal #Odisha

Comment