ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଭୀଷଣ ବାତ୍ୟା ‘ଦାନା’ ଭିତରକନିକାର ହବାଳିଖଟି ନେଚର୍ କ୍ୟାମ୍ପ ନିକଟରେ ସ୍ଥଳଭାଗ ଛୁଇଁବାପରେ ବିଭିନ୍ନ ଉପକୂଳବର୍ତ୍ତୀ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଥିରେ ଦକ୍ଷିଣ ବାଲେଶ୍ଵରର ବିଭିନ୍ନ ବ୍ଲକ୍ ପ୍ରଭାବିତ ହୋଇଛି। ଏବେ ଜିଲ୍ଲାରେ ବିଭିନ୍ନ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି।

ବାତ୍ୟା ‘ଦାନା’ ପ୍ରଭାବରେ ବାଲେଶ୍ଵରରେ ଗୁରୁବାରଠାରୁ ଲଗାଣ ବର୍ଷା ଓ ପବନ ଲାଗି ରହିଥିଲା। ଶୁକ୍ରବାର ଏହାର ପରିମାଣ ଆହୁରି ବଢ଼ିଥିଲା। ଏଥିରେ ଜିଲ୍ଲାରେ ବିଭିନ୍ନ ଅଞ୍ଚଳରେ ଗଛ ଭାଙ୍ଗିବା ସହ ବିଦ୍ୟୁତ ଖୁଣ୍ଟ ମଧ୍ୟ ଉପୁଡ଼ିଯାଇଛି। ପବନ ଓ ବର୍ଷାରେ ଅଶାନ୍ତ ହୋଇପଡିଥିଲା ଜିଲ୍ଲା। ରାସ୍ତା, ଡ୍ରେନ୍ ଆଦି ଗଛ, ଡାଳରେ ଭର୍ତ୍ତି ହୋଇଥିବାବେଳେ ଏହାକୁ ଏବେ ସଫା କରାଯାଉଛି।

‘ଦାନା’ ସ୍ଥଳଭାଗ ଛୁଇଁବା ସମୟରେ ବାଲେଶ୍ଵର ସହର ଓ ରେମୁଣା ଅଞ୍ଚଳରେ ଗଛ ସହ ଗଛର ଡାଳ ପଡି ବିଦ୍ୟୁତ ଓ ଟେଲିଫୋନ୍ ତାର ଛିଣ୍ଡି ଯାଇଥିଲା। ରେମୁଣା ବ୍ଲକ ନିଜାମପୁର ପଞ୍ଚାୟତ ଡୁମୁଡାରେ ଗଛ ଉପୁଡ଼ିବା ଯୋଗୁଁ ରାସ୍ତା ଅବରୋଧ ସହ ବିଦ୍ୟୁତ ତାର ଛିଣ୍ଡି ଯାଇଥିଲା। ପରେ ଓଡ୍ରାଫ ବହିନୀ ଗଛ କାଟି ରାସ୍ତା ସଫା କରିଥିଲେ।  

ସେହିପରି ବାଲେଶ୍ଵର ସହରର ବିଭିନ୍ନ ୱାର୍ଡର ରାସ୍ତାରେ ଗଛ ପଡ଼ି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ପରେ ସେ ସବୁ ରାସ୍ତାକୁ ସଫା କରାଯାଇଥିଲା। ଏହାବ୍ୟତୀତ ଲଗାଣ ବର୍ଷା ଓ ପବନ ଯୋଗୁଁ ଜିଲ୍ଲାର ୩୧୦୦ ହେକ୍ଟରରୁ ଅଧିକ ଜମିରେ ଧାନ ଓ ପନିପରିବା ଚାଷ କ୍ଷତି ହୋଇଥିବା ଜଣାପଡ଼ିଛି।

ଅନ୍ୟପଟେ ବାତ୍ୟା ଯୋଗୁଁ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାରେ ବୁଢ଼ାବଳଙ୍ଗ ନଦୀ ଫୁଲିଥିବା ଦେଖିବାକୁ ମିଳିଛି। ତେବେ ଏହାର ଜଳସ୍ତର ବିପଦ ସଙ୍କେତ ପାର୍ କରିନାହିଁ। ତେବେ ଜିଲ୍ଲାରେ ବନ୍ୟା ହେବାର ଆଶଙ୍କା ରହିଛି।   

ତେବେ ବାଲେଶ୍ଵର ସହରରେ ବିଦ୍ୟୁତ ସରାବରାହ ସ୍ଵାଭାବିକ ଥିବାବେଳେ ସ୍ଵାସ୍ଥ୍ୟ ସେବା ଓ ଜଳଯୋଗାଣ ସମେତ ରାସ୍ତା ଅବରୋଧ ହଟାଇବାକୁ ପ୍ରାଥମିକତା ଦିଆଯାଇଛି। ଶୁକ୍ରବାର ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ ବିଭାଗର ମନ୍ତ୍ରୀ ରବି ନାରାୟଣ ନାଏକ, ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବାଲେଶ୍ଵର ବିଧାୟକ ମାନସ କୁମାର ଦତ୍ତ ବିଭିନ୍ନ ସ୍ଥଳି ବୁଲି ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ଓ ଅନ୍ୟ ବ୍ୟବସ୍ଥା ସବୁ ତଦାରଖ କରିଥିଲେ।

Tags: #CycloneDana #Rainfall #Baleswar #Odisha #CycloneUpdates

LEAVE A REPLY

Please enter your comment!
Please enter your name here