ଓଡ଼ିଶାଲାଇଭ୍ ବ୍ୟୁରୋ

ବାତ୍ୟା ‘ଦାନା’ ଏବେ ଦୁର୍ବଳ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି। ଏହା ଓଡ଼ିଶା ଦେଇ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି ରହିଛି। ରବିବାରଠାରୁ ରାଜ୍ୟରେ ପାଗ ପରିବର୍ତ୍ତନ ହେବା ନେଇ ଆକଳନ କରାଯାଇଛି। ଏନେଇ ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଶୁକ୍ରବାର ବାତ୍ୟାଟି ଅବପାତରେ ପରିଣତ ହୋଇଥିଲା। ଶନିବାର ସକାଳେ ସକ୍ରିୟ ଅବପାତଟି ଦୁର୍ବଳ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଆହୁରି ଦୁର୍ବଳ ହେବାର ସମ୍ଭାବନା ରହିଛି।

ସେହିପରି ଶନିବାର ପ୍ରବଳ ବର୍ଷା ପାଇଁ ରାଜ୍ୟର ୪ଟି ଜିଲ୍ଲା ମୟୂରଭଞ୍ଜ, ବାଲେଶ୍ଵର, କେନ୍ଦୁଝର ଓ ଭଦ୍ରକକୁ ରେଡ୍ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସବୁ ଜିଲ୍ଲାରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହେବାର ସମ୍ଭବନା ରହିଛି।

ଅନ୍ୟପଟେ ବାତ୍ୟା ଯୋଗୁଁ ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ବାଲେଶ୍ଵରର ଔପଦାରେ ସର୍ବାଧିକ ୨୪୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେହିପରି ଭଦ୍ରକର ଧାମନଗର ୨୧୫ ମିଲିମିଟର, ଭଣ୍ଡାରିପୋଖରୀରେ ୨୦୮ ମିଲିମିଟର, ବନ୍ତରେ ୧୮୭ ମିଲିମିଟର, ଚାନ୍ଦବାଲିରେ ୧୬୭.୬ ମିଲିମିଟର, ବାଲେଶ୍ଵରର ଖଇରାରେ ୨୦୯ ମିଲିମିଟର, କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାରେ ୧୫୧ ମିଲିମିଟର ବର୍ଷା ରେକର୍ଡ ହୋଇଛି।

ଲଗାଣ ବର୍ଷା ପାଇଁ ଶନିବାର ୫ଟି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ବାଲେଶ୍ଵର, ଭଦ୍ରକ, ମୟୂରଭଞ୍ଜ, କେନ୍ଦ୍ରାପଡ଼ା ଓ କେନ୍ଦୁଝରରେ ସବୁ ସ୍କୁଲ ବନ୍ଦ ରହିଛି।

Tags: #CycloneDana #Rainfall #IMD #MCBBSR #Odisha #CycloneUpdates

LEAVE A REPLY

Please enter your comment!
Please enter your name here