ଓଡ଼ିଶାଲାଇଭ୍ ବ୍ୟୁରୋ

ଜୟପୁରସ୍ଥିତ ଆଦର୍ଶ ନଗରରେ ଅକ୍ଟୋବର ୧୫ ତାରିଖରେ ଘଟିଥିବା ଏକ ଚୋରି ଘଟଣାର ପର୍ଦ୍ଦାଫାଶ କରିଛି ଜୟପୁର ଟାଉନ ଥାନା ପୋଲିସ। ପୋଲିସ ଚୋରି ମାମଲାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ସୁନା ଓ ରୁପା ସହ ନଗଦ ୧ ଲକ୍ଷ ଟଙ୍କା ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଜୟପୁରସ୍ଥିତ ପ୍ରସାଦ ରାଓ ପେଟାର କେ ସୁମନ, ସୁନାରୀ ସାହିର ରାଜୁ ନାୟକ, ଏସ୍ ଭେଙ୍କଟେସ ଓ ଏମ୍ ଶିବା। ଏ ନେଇ ସୂଚନା ଦେଇଛନ୍ତି ଜୟପୁର ଏସଡିପିଓ ଅଙ୍କିତ ବର୍ମା।      

ଜୟପୁରସ୍ଥିତ ଆଦର୍ଶ ନଗର ଭିଆଇପି ଲେନରେ ରହୁଥିବା ବାଳକୃଷ୍ଣ ଅଧିକାରୀ ନିଜ ପରିବାର ସହ ଅକ୍ଟୋବର ୧୪ ତାରିଖରେ ଜଗଦଲପୁରରେ ରହୁଥିବା ବନ୍ଧୁଙ୍କ ଘରକୁ ଯାଇଥିଲେ। ଅକ୍ଟୋବର ୧୫ ତାରିଖ ରାତିରେ ୪ ଅଭିଯୁକ୍ତ ସୁମନ, ରାଜୁ, ଭେଙ୍କଟେସ ଓ ଶିବା ବାଳକୃଷ୍ଣ ଅଧିକାରୀଙ୍କ ଗେଟ ତାଲା ଭାଙ୍ଗି ଘରେ ପଶିଥିଲେ। ପରେ ଆଲମିରା ଭାଙ୍ଗି ସେଥିରେ ଥିବା ୪୦ ତୋଳାର ସୁନା ଗହଣା ଓ ୨୫ ତୋଳାର ରୁପା ଅଳଙ୍କାର ସହ ନଗଦ ୨ ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଥିଲେ। ଘରୁ ଚୋରି ହେବା ନେଇ ଜୟପୁର ଟାଉନ ଥାନାରେ ଅଭିଯୋଗ କରିଥିଲେ ବାଳକୃଷ୍ଣ ଅଧିକାରୀ।

ବାଳକୃଷ୍ଣ ଅଧିକାରୀଙ୍କ ଭିଯୋଗ ଆଧାରରେ ପୋଲିସ ୩୦୫/୨୦୨୪ରେ ଏକ ମାମଲା ରୁଜୁ କରିଥିଲା। କୋରାପୁଟ ଏସପିଙ୍କ ନିର୍ଦ୍ଦେଶରେ ଜୟପୁର ଟାଉନ୍ ଥାନା ଅଧିକାରୀ ରମଣୀ ରଞ୍ଜନ ଦଳେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲେ। ସହରରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧାର କରି ଅଭିଯୁକ୍ତମାନଙ୍କୁ ଧରିବାକୁ ସକ୍ଷମ ହୋଇଥିଲା ପୋଲିସ।

ଚୋରି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୋଲିସ ଚାରିଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୫୪.୦୮୩ ଗ୍ରାମର ସୁନା, ଗୋଟିଏ ସୁନା ମୁଦି, ୪ଟି ରୁପା ଥାଳି, ୨ଟି ରୁପା ଗ୍ଲାସ୍, ୨ଟି ରୁପା ପାତ୍ର, ଚାରିଟି ରୁପା ପାଉଁଜି, ମୁଦି, ଗୋଟିଏ ରୁପା ବକ୍ସ, ନଗଦ ୧ ଲକ୍ଷ ଟଙ୍କା ଓ ଗ୍ୟାସ ସିଲିଣ୍ଡର ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଜିନିଷ ଜବତ କରାଯାଇଛି। ସୁନା ଗହଣାଗୁଡ଼ିକୁ ଅଭିଯୁକ୍ତମାନେ ମେଲ୍ଟ କରିଦେଇଥିବା ପୋଲିସ ସୂଚନା ଦେଇଛି।

ଗିରଫ ଅଭିଯୁକ୍ତ ଏସ ଭେଙ୍କଟେସ ନାଁରେ ୨୦୧୭ରେ ଏକ ମାମଲା ରହିଥିବା ଜୟପୁର ଏସଡିପିଓ ଅଙ୍କିତ ବର୍ମା ସୂଚନା ଦେଇଛନ୍ତି।

Tags: #HouseBurglary #Jeypore #Koraput #PoliceInvestigation

LEAVE A REPLY

Please enter your comment!
Please enter your name here