ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ନଭେମ୍ବର ମାସରେ ମିଳିବ ନୂଆ ରାସନ କାର୍ଡ। ଯେଉଁମାନେ ନୂଆ ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି, ସେମାନଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀଙ୍କୁ ଦିଆଯିବ ରାସନ କାର୍ଡ। ଏନେଇ ବୁଧବାର ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।
“ରାଜ୍ୟରେ ନୂଆ ରାସନ କାର୍ଡ ପାଇଁ ୧୦ ଲକ୍ଷ ଲୋକ ଆବେଦନ କରିଛନ୍ତି। ଏଥିପାଇଁ ଏବେ ଇ-କେୱାଇସି ଚାଲିଛି। ସେଥିରୁ ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ମିଳିବ”, କହିଛନ୍ତି କୃଷ୍ଣଚନ୍ଦ୍ର ପାତ୍ର।
ଓଡ଼ିଶାରେ ପ୍ରାୟ ୮୫ ଲକ୍ଷ ରାସନ୍ କାର୍ଡ ରହିଛି। ଏହା ଦ୍ୱାରା ୩ କୋଟି ୨୬ଲକ୍ଷ ହିତାଧିକାରୀ ଉପକୃତ ହେଉଛନ୍ତି। ତେବେ ଦୀର୍ଘ ବର୍ଷ ଧରି ଯାଞ୍ଚ ହେଉନଥିବାରୁ ଅନେକ କ୍ଷେତ୍ରରେ ମୃତ ବ୍ୟକ୍ତିଙ୍କ ନାମରେ ମଧ୍ୟ ଖାଉଟି ସାମଗ୍ରୀ ବିକ୍ରି ହେଉଥିଲା। ଯାହା ଫଳରେ ଅନେକ ପରିମାଣରେ ଖାଉଟି ସାମଗ୍ରୀ ବାଟମାରଣା ହେଉଥିବା ଅଭିଯୋଗ ହୋଇଆସୁଥିଲା। ଏଥିରେ ରୋକ୍ ଲଗାଇବା ପାଇଁ ରାଜ୍ୟ ସରକାର ଖାଉଟି ସୁରକ୍ଷା ଯୋଜନାରେ ପ୍ରତ୍ୟେକ ହିତାଧିକାରୀଙ୍କ ପାଇଁ ଇ-କେୱାଇସି ବାଧ୍ୟତାମୂଳକ କରିଛନ୍ତି।
Tags: #NewRationCard #E-KYC #PublicDistribution #Odisha