ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ବଡ଼ ବଡ଼ ସହରରେ ବଢ଼ୁଥିବା ପ୍ରଦୂଷଣ ଏବେ ସମସ୍ତଙ୍କ ଚିନ୍ତା ବଢ଼ାଇଛି। ଦୀପାବଳିରେ ପ୍ରଦୂଷଣ ନିୟନ୍ତ୍ରଣ ବାହାରକୁ ଯାଇ ବିଭିନ୍ନ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଦୀପାବଳିରେ ବାଣ ଫୁଟାଇବା ନେଇ ମାର୍ଗଦର୍ଶିକା ଜାରି କରିଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ।

ଏଥର ଦୀପାବଳିରେ ସନ୍ଧ୍ୟା ୭ଟାରୁ ରାତି ୯ଟା ଯାଏଁ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି। ରାଜ୍ୟରେ କମ୍ ପ୍ରଦୂଷଣ ଯୁକ୍ତ ତଥା ସବୁଜ ବାଣ ବ୍ୟତୀତ ଅନ୍ୟାନ୍ୟ ସବୁ ବାଣର ଉତ୍ପାଦନ ଓ ବିକ୍ରୟ ଉପରେ ନିଷେଧାଦେଶ ଜାରି କରାଯାଇଛି। କ୍ଷତିକାରୀ ରସାୟନ ଥିବା ଆତସବାଜିର ବ୍ୟବହାର ଉପରେ କଟକଣା ଲଗାଯାଇଛି।

ସେହିପରି ରାଜ୍ୟରେ ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ ଭାବେ କଟକଣା ଜାରି କରାଯାଇଛି। ଏହାସହ ୧୨୫ ଡେସିବଲରୁ ଅଧିକ ଶବ୍ଦ ସୃଷ୍ଟି କରୁଥିବା ବାଣର ବିକ୍ରି ଓ ବ୍ୟବହାର ନକରିବା ପାଇଁ ମାର୍ଗଦର୍ଶିକାରେ ଉଲ୍ଲେଖ ରହିଛି। ଖାସ କରି ୧୦ ବର୍ଷରୁ କମ ବୟସର ପିଲାଙ୍କୁ ଏଭଳି ବାଣ ଫୁଟାଇବାକୁ ମନା କରାଯାଇଛି।    

ଡାକ୍ତରଖାନା, ଶିକ୍ଷାନୁଷ୍ଠାନ, ନ୍ୟାୟାଳୟ, ଧାର୍ମିକ ସ୍ଥଳର ୧୦୦ ମିଟର ପରିସୀମାରେ ବାଣ ଫୁଟାଇବାକୁ ବାରଣ କରାଯାଇଛି। ଅନ୍ୟପଟେ ଲୋକେ ଖୋଲାସ୍ଥାନରେ ସବୁଜ ବାଣ ଫୁଟାଇପାରିବେ ବୋଲି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କୁହାଯାଇଛି।

ଏହିସବୁ ନିୟମ ଉଲ୍ଲଙ୍ଘନ ହେଉଥିଲେ ଜିଲ୍ଲା ପ୍ରଶାସନ ଓ ପୋଲିସ ନିକଟରେ ଅଭିଯୋଗ କରିହେବ। ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Tags: #Diwali #Pollution #FireCrackers #Guideline #StatePollutionControlBoard #Odisha

Comment