ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୪ ନୂଆବର୍ଷକୁ ସ୍ଵାଗତ କରିବାକୁ ଚାହିଁ ରହିଛନ୍ତି ସମସ୍ତେ। ଏହା ପୂର୍ବରୁ ଡିସେମ୍ବର ୩୧ ଏବଂ ନୂଆବର୍ଷ ସେଲିବ୍ରେସନ ପାଇଁ କମିଶନରେଟ ପୋଲିସ ପକ୍ଷରୁ ଜାରି ହୋଇଛି ଗାଇଡଲାଇନ। ଆବେଦନ ଅନୁସାରେ ରାତି ୧୨ଟା ପରେ କ୍ଲବ ଏବଂ ପବ୍ ଚଳାଇବା ପାଇଁ ଅନୁମତି ମିଳିଛି। ଖୋଲା ପଡ଼ିଆରେ ଜିରୋ ନାଇଟ ସେଲିବ୍ରେସନକୁ ମନୁମତି ମିଳିନାହିଁ।

ହୋଟେଲ, ଡ୍ୟାନ୍ସବାର, କ୍ଲବ ଏବଂ ପବ୍ ଆଦି ଉପରେ ଅବକାରୀ ବିଭାଗର ନଜର ରହିବ। କୌଣସି ସ୍ଥାନରେ ନିୟମର ଉଲ୍ଲଙ୍ଘନ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି। ସେଲିବ୍ରେସନ ସମୟରେ କୌଣସି ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଭୁବନେଶ୍ଵରରେ ପୋଲିସ ମୁତୟନ ହେବେ। ଆଇନ ଶୃଙ୍ଖଳା ଦୃଷ୍ଟିରୁ ଅବକାରୀ ବିଭାଗ ପକ୍ଷରୁ ୩ଟି ଫ୍ଲାଇଂ ସ୍କ୍ଵାର୍ଡ ଗଠନ କରାଯାଇଛି।

ନୂଆବର୍ଷ ସେଲିବ୍ରେସନ ସମୟରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଭୁବନେଶ୍ଵରରେ ବ୍ଲକିଂ ଏବଂ ଚେକିଂଙ୍କୁ କଡ଼ାକଡ଼ି କରିବାକୁ ଯୋଜନା ରଖିଛି କମିଶନରେଟ ପୋଲିସ। ସୋମବାରଠାରୁ ରାତିରେ ଭୁବନେଶ୍ଵରର ସମସ୍ତ ଛକରେ ଚେକିଂ ଜୋରଦାର କରାଯିବ। ବିଶେଷ କରି ନିଶାଗ୍ରସ୍ତ ଚାଳକଙ୍କ ଉପରେ କଡ଼ା ନଜର ରହିବ।

ଡିସେମ୍ବର ୩୧ ତାରିଖ ଏବଂ ୨୦୨୪ ଜାନୁଆରି ୧ ତାରିଖ ଦିନ ଟ୍ଵିନସିଟି ଭୁବନେଶ୍ଵର ଏବଂ କଟକରେ ପୋଲିସ ମୁତୟନ ରହିବେ। ଶାନ୍ତିଶୃଙ୍ଖଳାର ସହ ସେଲିବ୍ରେସନ କରିବାକୁ କମିଶନରେଟ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି।

Tags: #NewYearCelebration #Guideline #Commissionerate Police #NewYearCelebrationGuideline

Comment