ମିନତି ମିଶ୍ର

ଧୁମଧାମରେ ଦିପାବଳୀ ପାଳନ କରିଛନ୍ତି ଦିଲ୍ଲୀବାସୀ। ସରକାର ଏବଂ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ପରେ ବି ଫୁଟିଲା ବାଣ। ଦିଲ୍ଲୀ, ନୋଏଡା, ଗାଜିଆବାଦ, ଗୁରୁଗ୍ରାମ ସମେତ ଏନସିଆର ଅନ୍ୟ ଅଞ୍ଚଳରେ ଚମକିଲା ଦୀପାବଳି ରାତି। ଏହାପରେ ଶୁକ୍ରବାର ସକାଳୁ ସକାଳୁ ଶ୍ୱାସରୁଦ୍ଧ ପରିସ୍ଥିତ ସୃଷ୍ଟି ହୋଇଛି।

ଦିଲ୍ଲୀ ଏନସିଆର ଅଞ୍ଚଳରେ ଦୀପାବଳି ରାତିରେ ଏମିତି ସ୍ଥିତି ଉପୁଜିଥିଲା ଯେ କେତେକ ସ୍ଥାନରେ ବାୟୁ ପ୍ରଦୂଷଣର ସ୍ତର ବଢ଼ି ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ୮୦୦ ଉପରରେ ପହଞ୍ଚି ଯାଇଥିଲା। ଶୁକ୍ରବାର ସକାଳୁ ସକାଳୁ ଅବଶ୍ୟ ଏହା କମିଥିବା ଦେଖିବାକୁ ମିଳିଥିଲେ ମଧ୍ୟ ପ୍ରଦୂଷଣ ସ୍ଥିତ ଗମ୍ଭୀର ସ୍ତରରେ ରହିଛି। ଶୁକ୍ରବାର ସକାଳ ୬ଟାରେ ଦିଲ୍ଲୀରେ ହାରାହାରି ଏକ୍ୟୁଆଇ ୩୬୦ ରହିଛି।

ଦିଲ୍ଲୀର ଆରକେପୁରମ ଅଞ୍ଚଳରେ ଶୁକ୍ରବାର ସକାଳେ ବାୟୁର ମାନ ଏକ୍ୟୁଆଇ ୩୯୮ ଥିଲା। ଦିଲ୍ଲୀ ଏନସିଆରରେ ଏହା ସବୁଠାରୁ ଅଧିକ ପ୍ରଦୂଷିତ ଅଞ୍ଚଳ ଥିଲା। ସେହିପରି ଆନନ୍ଦବିହାର, ସୋନିଆ ବିହାର ଓ ବୁରାରି କ୍ରସିଂରେ ୩୯୫, ଅଶୋକ ବିହାରରେ ୩୮୪, ମଥୁରା ରୋଡରେ ୩୬୯, ଆୟା ନଗରରେ ୩୫୨, ଅଲିପୁରରେ ୩୫୦ ଓ ଚାନ୍ଦନୀ ଚୌକରେ ୩୩୬ ଏକ୍ୟୁଆଇ ରେକର୍ଡ କରାଯାଇଛି।

ସରକାରଙ୍କ ନିର୍ଦ୍ଦେଶନାମାକୁ ଫୁ କରି ଦିଲ୍ଲୀବାସୀ ବାଣ ଫୁଟାଇବାକୁ ଅଧିକ ପସନ୍ଦ କରିଥିଲେ। ଏପରିକି କେତେକ ଜାଗାରେ ପୋଲିସ ଉପସ୍ଥିତିରେ ବି ଲୋକେ ବାଣ ଫୁଟାଉଥିବା ବି ଦେଖିବାକୁ ମିଳିଥିଲା।

ଗତ ତିନି ବର୍ଷରେ ସର୍ବାଧିକ ପ୍ରଦୂଷଣ

ବାଣ ବିକ୍ରି ଏବଂ ଫୁଟାଇବା ଉପରେ ସରକାରଙ୍କ ପକ୍ଷରୁ କଡ଼ା କଟକଣା ଜାରି କରାଯାଇଥିଲା। ଅକ୍ଟୋବର ୧୪ ତାରିଖରେ ଦିଲ୍ଲୀ ସରକାର ସହରରେ ବାଣ ଉତ୍ପାଦନ ଏବଂ ବିକ୍ରି କରିବା ଉପରେ କଟକଣା ଲଗାଇ ଦେଇଥିଲେ। ଏହି କଟକଣାର ଅବଧି ୨୦୨୫ ଜାନୁଆରୀ ୧ ତାରିଖ ଯାଏଁ ରହିଛି। ତଥାପି ଅକ୍ଟୋବର ୩୧ ତାରିଖରେ ଏତେ ମାତ୍ରାରେ ବାଣ ଫୁଟିଲା ଯେ ପ୍ରଦୂଷଣର ମାତ୍ରା ଗତ ତିନି ବର୍ଷକୁ ଟପିଗଲା।

ଦୀପାବଳି ପରଦିନ ଦିଲ୍ଲୀରେ ବାୟୁ ପ୍ରଦୂଷଣ ବଢ଼ିବାର ନଜିର ରହିଛି। ୨୦୧୬ ମସିହାରେ ଦୀପାବଳି ପରଦିନ ଦିଲ୍ଲୀର ଏକ୍ୟୁଆଇ ଥିଲା ୪୩୧। ସେହିପରି ଏକ୍ୟୁଆଇ ୨୦୨୦ ମସିହାରେ ୪୧୪, ୨୦୨୧ ମସିହାରେ ୩୮୨ ଓ ୨୦୨୨ ମସିହାରେ ୩୧୨ ଥିବା ଦେଖିବାକୁ ମିଳିଥିଲା। ଅନ୍ୟପଟେ ୨୦୨୩ରେ ଦୀପାବଳି ପରଦିନ ଏକ୍ୟୁଆଇ ୨୧୮ ରେକର୍ଡ କରାଯାଇଥିଲା। ତେବେ ୨୦୨୪ରେ ପ୍ରଦୂଷଣ ଗତ ୩ ବର୍ଷର ରେକର୍ଡ ଭାଙ୍ଗିଛି।

କ’ଣ ଏହି ଏକ୍ୟୁଆଇ? 

ଏକ୍ୟୁଆଇ ହେଉଛି ଏୟାର କ୍ୱାଲିଟି ଇଣ୍ଡେକ୍ସ। ଏହାଦ୍ଵାର ଆମେ ବାୟୁ ମଣ୍ଡଳରେ ପ୍ରଦୂଷଣର ମାତ୍ରା କେତେ ତଥା ବାୟୁର ମାନ କିଭଳି ରହିଛି ତାହା ଜାଣିଥାଉ। ଶୂନରୁ ୫୦ ମଧ୍ୟରେ ଏକ୍ୟୁଆଇ ରହିଲେ, ବାୟୁ ଶୁଦ୍ଧ ଅଛି ବୋଲି ଜଣାଯାଏ। ସେହିପରି ଏକ୍ୟୁଆଇ ୫୧ରୁ ୧୦୦ ମଧ୍ୟରେ ଥଲେ ସନ୍ତୋଷଜନକ, ୧୦୧ରୁ ୨୦୦ ମଧ୍ୟରେ ମଧ୍ୟମ, ୨୦୧ରୁ ୩୦୦ ମଧ୍ୟରେ ଖରାପ, ୨୦୧ରୁ ୪୦୦ ମଧ୍ୟରେ ଏହା ଅତି ଖରାପ ଏବଂ ୪୦୧ ଅଧିକ ରହିଲେ ବାୟୁ ପ୍ରଦୂଷଣର ମାତ୍ରା ଗମ୍ଭୀର ବୋଲି ଗ୍ରହଣ କରାଯାଇଥାଏ।

ଭାରତୀୟ ପାଣିପାଗ ବିଭାଗ ଅନୁସାରେ ଏଥର ଦୀପାବଳିରେ ଦିଲ୍ଲୀରେ ପାଗ ଅନୁକୁଳ ନ ଥିଲା। ବିଶେଷ ପବନ ନ ଥିବାରୁ ପ୍ରଦୂଷଣର ସ୍ଥିତି ଅଧିକ ଚିନ୍ତାଜନକ ହୋଇପଡ଼ିଥିଲା। ତା ଛଡ଼ା ତାପମାତ୍ରା ବି କମି ନ ଥିଲା। ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୨୧ ଡିଗ୍ରୀ ଥିବା ରେକର୍ଡ କରାଯାଇଛି, ଯାହା ଏହି ସମୟରର ହାରାହାରି ତାପମାତ୍ରାଠାରୁ ୪.୯ ଅଧିକ ଥିଲା।  

Tags: #Diwali #AirPollution #CrackerBan #DelhiNCR #AQI

LEAVE A REPLY

Please enter your comment!
Please enter your name here