ଓଡ଼ିଶାଲାଇଭ୍ ବ୍ୟୁରୋ
![](https://odisha.live/wp-content/uploads/2018/11/delhi-air-pollution759.jpg)
ଦିଲ୍ଲୀରେ ବିପଜ୍ଜନକ ସ୍ଥିତିରେ ବାୟୁ ପ୍ରଦୂଷଣ। ଯେମିତି ଗ୍ୟାସ ଚାମ୍ବର ପାଲିଟିଛି ଜାତୀୟ ରାଜଧାନୀ। ଘନ କୁହୁଡ଼ି ଆଉ ଧୂଆଁରେ ଆଚ୍ଛାଦିତ ହୋଇଯାଇଛି ସାରା ସହର। ଏପରି ସ୍ଥିତିରେ ନିଃଶ୍ୱାସ ପ୍ରଶ୍ୱାସରେ ଯନ୍ତ୍ରଣା ଅନୁଭବ କରୁଛନ୍ତି ଦିଲ୍ଲୀବାସୀ। ସ୍ଥିତି ଏମିତି ହୋଇଛି, ଦିଲ୍ଲୀରେ ନିଃଶ୍ୱାସ ନେବାର ଅର୍ଥ ୫୦ଟି ସିଗାରେଟ ଟାଣିବା ସହ ସମାନ ବୋଲି ପରିବେଶବିତମାନେ ମତ ଦେଇଛନ୍ତି।
ଦିଲ୍ଲୀରେ ବାୟୁ ପ୍ରଦୂଷଣ ଯୋଗୁଁ ଲୋକଙ୍କ ଆଖି ପୋଡ଼ିବା ସହ ସେମାନେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବାହାରକୁ ବାହାରିଲେ ଆଖିରୁ ପାଣି ବାହାରୁଛି। ଲୋକେ ଘରୁ ବାହାରଲେ ମାସ୍କ ପିନ୍ଧିବାକୁ ବାଧ୍ୟ ହେଉଛନ୍ତି। ଶ୍ୱାସଜନୀତ ରୋଗରେ ଆକ୍ରନ୍ତ ରୋଗୀଙ୍କ ସଂଖ୍ୟା ଡାକ୍ତରଖାନାରେ ବଢ଼ିବାରେ ଲାଗିଛି।
ଦିଲ୍ଲରେ ଏବେ ହାରାହାରି ଏୟାର କ୍ଵାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ୪୦୦ ଉପରେ ରହୁଛି। ଆନନ୍ଦ ବିହାର, ଅଶୋକ ବିହାର, ଇଣ୍ଡିଆ ଗେଟ, ନେହରୁ ନଗର, ପଞ୍ଜାବୀ ନଗର, ଦ୍ୱାରକା ପରି ଅନେକ ସ୍ଥାନରେ ବାୟୁ ପ୍ରଦୂଷଣର ମାତ୍ରା ଅଧିକ ରହୁଛି। ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କ ଉପର ବର୍ଷିବା ସହ ବିଭିନ୍ନ ପ୍ରତିବନ୍ଧକ ଲାଗୁ କରିବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ପ୍ରଦୂଷଣ ମାତ୍ରାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସମେତ ନୋଏଡା, ଗାଜିଆବାଦ, ମେରଠ ଓ ହରିଆଣାର କିଛି ସହରରେ କ୍ଲାସ ଅନଲାଇନ ମୋଡରେ କରାଯାଉଛି। ଏଥିସହିତ ଦିଲ୍ଲୀ ୟୁନିଭର୍ସିଟି, ଜେଏନୟୁର କ୍ଲାସକୁ ମଧ୍ୟ ସସ୍ପେଣ୍ଡ କରି ଦିଆଯାଇଛି।
ସେହିପରି ସରକାରୀ କାର୍ଯ୍ୟାଳୟଗୁଡିକର ସମୟରେ ପରିବର୍ତ୍ତନ କରାଯାଇଛି। ଏବେ ଏମସିଡି (ମ୍ୟୁନିସପାଲ କର୍ପୋରେସନ ଅଫ ଦିଲ୍ଲୀ) କାର୍ଯ୍ୟାଳୟରେ ସକାଳ ୮.୩୦ରୁ ୫ଟା ପର୍ଯ୍ୟନ୍ତ କାମ କରାଯାଉଛି। ଅନ୍ୟ ସରକାରୀ କାର୍ଯ୍ୟାଳୟରେ ସକାଳ ୧୦ଟାରୁ ୬.୩୦ଟା ଯାଏଁ ଚାଲୁଛି। ଘରୋଇ ସେକ୍ଟରରେ କାମ କରୁଥିବା ଅଧିକାଂଶ କର୍ମଚାରୀଙ୍କୁ ୱାର୍କ ଫ୍ରମ ହୋମ କରିବାକୁ କୁହାଯାଇଛି।
ଅନ୍ୟପକ୍ଷେ ଦିଲ୍ଲୀର ଏପରି ସାଂଘତିକ ପ୍ରଦୂଷଣ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି। ଅଜରବୈଜାନର ରାଜଧାନୀ ବାକୁଠାରେ ଜଳବାୟୁ ପରିବର୍ତ୍ତନକୁ ନେଇ ଆୟୋଜିତ କୋପ-୨୯ ସମ୍ମିଳନୀରେ ମଧ୍ୟ ଦିଲ୍ଲୀ ପ୍ରଦୂଷଣକୁ ନେଇ ଚିନ୍ତା ପ୍ରକଟ କରାଯାଇଛି। ଏହା ବିଶ୍ୱ ପରିବେଶ ଉପର କି ପ୍ରଭାବ ପକାଇବ ଏବଂ ମାନବ ସମାଜ ପ୍ରତି କି ପ୍ରକାର ବିପଦ ଆଣିବ ସେ ବିଷୟରେ ଦୀର୍ଘ ଆଲୋଚନା କରାଯାଇଛି।
Tags: #AirPollution #AQI #HealthHazard #DelhiNCR