ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଏବେ ବାୟୁ ପ୍ରଦୂଷଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ରାଜ୍ୟର ବଡ଼ ବଡ଼ ସହରରେ ବାୟୁ ପ୍ରଦୂଷଣର ମାତ୍ରା ସାଂଘାତିକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଥ୍ୟ ଅନୁସାରେ ମାତ୍ରାଧିକ ବାୟୁ ପ୍ରଦୂଷଣ ଥିବା ଭାରତର ୧୬ଟି ସହର ମଧ୍ୟରେ ଓଡ଼ିଶାର ୬ଟି ସହର ରହିଛି। ଦିଲ୍ଲୀ ତୁଳନାରେ ଅନୁଗୁଳରେ ଅଧିକ ବାୟୁ ପ୍ରଦୂଷଣ ରହିଛି।     

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିପୋର୍ଟ ଅନୁସାରେ ଦିଲ୍ଲୀରେ ବାୟୁର ମାନ (ଏକ୍ୟୁଆଇ) ୩୪୫ ରହିଥିବାବେଳେ ଅନୁଗୁଳର ଏକ୍ୟୁଆଇ ୩୫୨ ରହିଛି। ସେହିପରି କଟକର ଏକ୍ୟୁଆଇ ୩୪୦, ବାଲେଶ୍ଵର ଓ ଭୁବନେଶ୍ଵରର ଏକ୍ୟୁଆଇ ୩୩୪, କେନ୍ଦୁଝରର ଏକ୍ୟୁଆଇ ୩୨୬, ତାଳଚେରର ଏକ୍ୟୁଆଇ ୩୦୪ ଓ ରାଇରଙ୍ଗପୁରର ଏକ୍ୟୁଆଇ ୩୦୦ ରହିଛି।

ଏକ୍ୟୁଆଇ ୩୦୦ରୁ ଅଧିକ ରହିଲେ ଏହାକୁ ବାୟୁ ପ୍ରଦୂଷଣର ସାଂଘାତିକ ସ୍ଥିତି କୁହାଯାଏ। କିଛି ଦିନ ହେବ ରାଜ୍ୟର ଅଧିକାଂଶ ଅଞ୍ଚଳ ଖାସ କରି ଉତ୍ତର ଓଡ଼ିଶାରେ ବାୟୁରେ ଛୋଟ ଧୂଳିକଣା ଜମି ରହୁଥିବାରୁ ପ୍ରଦୂଷଣର ମାତ୍ର ଅଧିକ ରହୁଛି।

ସେହିପରି ରାଜ୍ୟରେ ଅଧିକ ମାତ୍ରାରେ ଯାନବାହାନ ଚଳାଚଳ, ନିର୍ମାଣ କାମ ଓ ଅନ୍ୟାନ୍ୟ ଗତିବିଧି ଯୋଗୁଁ ବାୟୁ ପ୍ରଦୂଷଣ ବଢ଼ୁଥିବା ପରିବେଶବିତ୍ ମାନେ ମତ ଦେଇଛନ୍ତି। ଏଭଳି ସ୍ଥିତି ବେଶି ଦିନ ଲାଗି ରହିଲେ ରାଜ୍ୟବାସୀଙ୍କ ମଧ୍ୟରେ ବାୟୁ ପ୍ରଦୂଷଣ ଜନିତ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ ବୋଲି ଆଶଙ୍କା କରାଯାଉଛି।

Tags: #AirPollution #AQI #CPCB #AirQuality #Odisha

Comment