ମିନତି ମିଶ୍ର

‘ଏଜ୍ ଇଜ ଜଷ୍ଟ ଏ ନମ୍ବର’ ଏହି କଥାକୁ ପ୍ରମାଣିତ କରି ଦେଖାଇଛନ୍ତି ୬୧ ବର୍ଷୀୟ ମଡେଲ ମୁକ୍ତା ସିଂ। ଏହି ବୟସରେ ମହିଳାଙ୍କ ପାଇଁ ସେ ପାଲଟିଛନ୍ତି ପ୍ରେରଣା।

ବୟସ ଶରୀରକୁ ନିୟନ୍ତ୍ରଣ କରିପାରେ, ହେଲେ ମନକୁ ନୁହେଁ। ଦୃଢ଼ ଇଚ୍ଛାଶକ୍ତି ଥିଲେ କୌଣସି କାମ ଅସମ୍ଭବ ନୁହେଁ। ଏହା ସମ୍ଭବ କରିଦେଖାଇଛନ୍ତି ୬୧ ବର୍ଷୀୟ ମଡେ ମୁକ୍ତା ସିଂ।

ସାଧାରଣଃ ଅନେକ ମହିଳା ନିଜ ପ୍ରତି ଧ୍ୟାନ ଦିଅନ୍ତି ନାହିଁ। ପାରିବାରିକ ଜଞ୍ଜାଳ ଭିତରେ ନିଜର ଅସ୍ତିତ୍ଵକୁ ସେମାନେ ହଜେଇ ଦିଅନ୍ତି। ଏମିତିକି ବ୍ୟସ୍ତତା ଭିତରେ ନିଜ ଶରୀରର ଯତ୍ନ ନେବା ଭୁଲି ଯାଆନ୍ତି। ଫଳରେ ନିଜ ପ୍ରତି ଅବହେଳା ଅସମୟରେ ବାର୍ଦ୍ଧକ୍ୟକୁ ଡାକିଆଣେ। ଏମିତି କିଛି ପରିସ୍ଥିତିର ସାମ୍ନା କରିଥିଲେ ମୁକ୍ତା ସିଂ।

ମହିଳାମାନେ ନିଜ ପ୍ରତି ଅବହେଳା ନକରି ନିଜର ଯତ୍ନ ନେବାର ଆବଶ୍ୟକତା ରହିଛି। ମନରେ ଦୃଢ଼ ଇଚ୍ଛାଶକ୍ତି ଥିଲେ ଯେକୌଣସି ବୟସରେ ବି ଜଣେ ମହିଳା ନିଜ ପ୍ରତିଭାର ପ୍ରଦର୍ଶନ କରିପାରିବେ ବୋଲି ମୁକ୍ତା କୁହନ୍ତି।  

୫୮ ବର୍ଷ ବୟସରେ ଆରମ୍ଭ କରିଥିଲେ ମଡେଲିଂ

ହରିଆଣାର ଗୁରୁଗ୍ରାମ ବାସିନ୍ଦା ହେଉଛନ୍ତି ମୁକ୍ତା ସିଂହ। ୫୮ ବର୍ଷ ବୟସରେ ସେ ନିଜର ମଡେଲିଂ କ୍ୟାରିୟର ଆରମ୍ଭ କରିଥିଲେ। ଏବେ ମୁକ୍ତାଙ୍କ ବୟସ ୬୧ ବର୍ଷ। ଆଜି ସେ ମଡେଲିଂ ଜଗତର ଜଣାଶୁଣା ଚେହେରା।

ଇଂରାଜୀରେ ସ୍ନାତକୋତ୍ତର ହାସଲ କରିବା ପରେ ସେ ଜଣେ ଡିଫେନ୍ସ ପାଇଲଟଙ୍କୁ ବିବାହ କରିଥିଲେ। ସ୍ୱାମୀଙ୍କ ସହ ଗୋଟିଏ ସହରରୁ ଅନ୍ୟ ସହର ବୁଲିବା ଭିତରେ ସେ ଦୁଇଟି ସନ୍ତାନର ଜନନୀ ହୋଇ ସାରିଥିଲେ। ଏହା ପରେ ତାଙ୍କର ଦାୟିତ୍ୱ ଆହୁରି ବଢ଼ ଯାଇଥିଲା। ଭିନ୍ନ ଭିନ୍ନ ଜାଗାରେ ପିଲାଙ୍କୁ ନେଇ ଆଡଜଷ୍ଟ କରିବା ଏବଂ ସେମାନଙ୍କ ଯତ୍ନ ନେବା ଆଦି ଭିତରେ ନିଜର ଯତ୍ନ ନେବାକୁ ସେ ଏକ ପ୍ରକାର ଭୁଲି ଯାଇଥିଲେ।  

୩୦ ବର୍ଷ ବୟସରେ ସେ ଚିତ୍ର କରିବା ସହ ଇଭେଣ୍ଟ ମାର୍କେଟିଂ କରୁଥିଲେ। ଏହା ସହ ମାଗାଜିନ ପାଇଁ ଲେଖାଲେଖି କରୁଥିଲେ। ଏସବୁ ଭିତରେ ଚାଲିଯାଇଥିଲା ଅନେକ ବର୍ଷ। ଏହା ପରେ ଧୀରେ ଧୀରେ ସେ ଅନୁଭବ କରିବାକୁ ଲାଗିଲେ ଯେ, ସେ ନିଜ ପ୍ରତି ଅବହେଳା କରୁଛନ୍ତି।

ଦର୍ପଣରେ ନିଜକୁ ଦେଖି ଦୁଃଖ ଅନୁଭବ କରୁଥିଲେ ମୁକ୍ତା। ଏପରି ଦିନ ଆସିଲା ନିଜ ହ୍ୟାଣ୍ଡସମ ସ୍ୱାମୀଙ୍କ ସାଙ୍ଗରେ ଯିବାକୁ ନିଜକୁ ଅହଜ ମନେ କଲେ ମୁକ୍ତା ସିଂ। ନିଜ ପ୍ରତି ଧ୍ୟାନ ଦେବାକୁ ଚିନ୍ତା କରୁ କରୁ ନିଜ ମା’ଙ୍କ ଅସୁସ୍ଥତା ପୁଣି ତାଙ୍କ ଜଞ୍ଜାଳ ବଢ଼ାଇ ଦେଇଥିଲା।

ଅନ୍ୟମାନଙ୍କ କଥା ବୁଝୁବୁଝୁ ସେ ପୁଣି ନିଜ ଯତ୍ନ ନେବା କଥା ଭୁଲି ଯାଇଥିଲେ। ଏପରିକି ସେ ନିଜ ଚୁଟି କଲର କରିବାକୁ ସମୟ ବାହାର କରିପାରୁ ନଥିଲେ। ତାଙ୍କ ଧଳା ଚୁଟିକୁ ନେଇ ସାଙ୍ଗମାନେ ପରାମର୍ଶ ଦେଉଥିଲେ ନିଜର ଯତ୍ନ ନେବା ଲାଗି। ତେବେ ନିଜର ଧଳା ଚୁଟିକୁ ସାଙ୍ଗରେ ନେଇ ଏକ ସୁନ୍ଦର ଜୀବନର ଆରମ୍ଭ କରିବାକୁ ସେ ନିଷ୍ପତ୍ତି ନେଇଥିଲେ।

ମଡେଲିଂକୁ ଆସିବାର ଅଳ୍ପ କିଛି ମାସ ପୂର୍ବରୁ ମୁକ୍ତାଙ୍କୁ ଏକ ବିବାହ ଭୋଜିରେ ଯୋଗ ଦେବାକୁ ନିମନ୍ତ୍ରଣ ମିଳିଥିଲା। ଗୋଟିଏ ମେଟାଲିକ୍ ଗ୍ରେ କଲର ଶାଢ଼ି ପିନ୍ଧି ସେ ବିବାହ ଭୋଜିରେ ଯୋଗ ଦେବାକୁ ଯାଇଥିଲେ। ନିଜର ଗେଟଅପ ପାଇଁ ତାଙ୍କୁ ଅନେକ ପ୍ରଶଂସା ମଧ୍ୟ ମିଳିଥିଲା। ସେଠାରେ ମୁକ୍ତି ଭିନ୍ନ ଭିନ୍ନ ପୋଜ୍‌ରେ ବହୁତ ସାରା ଫଟୋ ଉଠାଇଥିଲେ।

ଏହା ପରେ ନିଜ ଫଟୋଗୁଡ଼ିକୁ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିବା ସହ ଡିଜାଇନରମାନଙ୍କୁ ଟ୍ୟାଗ କରିଥିଲେ। କିଛି ଦିନ ପରେ ନିଜର ଫଟୋ ପଠାଇବାକୁ ଡିଜାଇନରମାନେ ଅନୁରୋଧ କରିଥିଲେ ମକ୍ତାଙ୍କୁ। ଏହା ପରେ ତାଙ୍କୁ ମିଳିଲା ମଡେଲିଂର ଅଫର। ଧୀରେ ଧୀରେ ତାଙ୍କ ଲୋକପ୍ରିୟତା ମଧ୍ୟ ବଢ଼ିବାକୁ ଲାଗିଲା।

ମୁକ୍ତା କୁହନ୍ତି, “ମୁଁ ଦୁନିଆକୁ ଦେଖାଇବାକୁ ଚାହେଁ ଯେ, ମୁଁ ମୋ ନିଜକୁ ନେଇ ଗର୍ବ କରେ ଓ ନିଜକୁ ସମ୍ମାନ କରେ। ଏହା ଆତ୍ମସମ୍ମାନର କଥା।”

ନିଜ ସୋସିଆଲ ମିଡିଆରେ ମୁକ୍ତାଙ୍କ ମଡେଲିଂ ଫଟୋକୁ ନେଇ ଆସୁଥିବା ନେଗେଟିଭ କମେଣ୍ଟ କିଛି କ୍ଷଣ ପାଇଁ ତାଙ୍କୁ ବିଚଳିତ କରିଥିଲେ ମଧ୍ୟ ତାଙ୍କ ମନୋବଳକୁ ଭାଙ୍ଗି ପାରିନଥିଲା। ଡିଜାଇନରମାନଙ୍କ ପାଇଁ ମଡେଲିଂ କରି ଅନେକ ପ୍ରଶଂସା ସାଉଣ୍ଟିଲେ ମୁକ୍ତା ସିଂ। ନିଜର ନିଆରା ଷ୍ଟାଇଲ ଯୋଗୁଁ ମଡେଲିଂ ଜଗତରେ ମୁକ୍ତାଙ୍କୁ ମିଳିଛି ସ୍ଵତନ୍ତ୍ର ପରିଚୟ। ବୟସ ଗଡ଼ିଯିବା ପରେ ନିଜକୁ ଅବହେଳା କରୁଥିବା ମହିଳାଙ୍କ ପାଇଁ ଏବେ ପ୍ରେରଣା ପାଲଟିଛନ୍ତି ମୁକ୍ତା ସିଂ।

Tags: #MuktaSingh #ModelMuktaSingh #Career #Oldage #Inspiration

LEAVE A REPLY

Please enter your comment!
Please enter your name here