ମିନତି ମିଶ୍ର
ଆଉ ୩ ଦିନ ପରେ ଆମରିକାରେ ରାଷ୍ଟ୍ରପତି ନିର୍ବାଚନ। ନଭେମ୍ବର ୫ ତାରିଖରେ ପାଖାପାଖି ୨୫ କୋଟି ଭୋଟର କରିବେ ଡେମୋକ୍ରାଟିକ୍ ପ୍ରାର୍ଥୀ କମଳା ହ୍ୟାରିସ ଏବଂ ରିପବ୍ଲିକାନ୍ ପ୍ରାର୍ଥୀ ଡୋନଲ୍ଡ ଟ୍ରମ୍ପଙ୍କ ଭାଗ୍ୟ ନିର୍ଦ୍ଧାରଣ। ଉଭୟ ମଧ୍ୟରେ ଜୋରଦାର ନିର୍ବାଚନୀ ଟକ୍କର ଦେଖିବାକୁ ମିଳୁଛି।
ତେବେ ଆମେରିକାରେ ଭୋଟ୍ ଗ୍ରହଣ ପୂର୍ବରୁ ସାମ୍ନାକୁ ଆସିଛି ନିର୍ବାଚନୀ ସର୍ଭେ ରିପୋର୍ଟ। କିଏ ହେବ ପରବର୍ତ୍ତୀ ରାଷ୍ଟ୍ରପତି ସେ ନେଇ ଚାଲିଛି ଚର୍ଚ୍ଚା। ତେବେ ଆସନ୍ତୁ ଜାଣିବା କ’ଣ କହୁଛି ନିର୍ବାଚନୀ ସର୍ଭେ?
ବର୍ତ୍ତମାନ ସୁଦ୍ଧା ଆସିଥିବା ସର୍ଭେ ରିପୋର୍ଟ ଅନୁସାରେ ଉଭୟ ଟ୍ରମ୍ପ ଓ କମଲାଙ୍କ ମଧ୍ୟରେ କଡ଼ା ମୁକାବିଲା ହେବାର ସମ୍ଭାବନା ରହିଛି। ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ରଏଟର୍ସର ରିପୋର୍ଟ ଅନୁଯାୟୀ, ଭୋଟରଙ୍କ ମତଦାନ ଏବଂ ସୁଇଂ ଷ୍ଟେଟ ଉପରେ ହିଁ ନିର୍ବାଚନର ଫଳାଫଳ ନିର୍ଭର କରିବ। ସେହିପରି ନ୍ୟୁୟର୍କ ଟାଇମ୍ସର ପୋଲ ଟ୍ରାକର ଅନୁଯାୟୀ, କମଳା ହ୍ୟାରିସ ଏବେ ବି ଟ୍ରମ୍ପଙ୍କ ଉପରେ ଭାରି ପଡୁଥିବା ଦେଖିବାକୁ ମିଳିଛି।
ସବୁ ସଂସ୍ଥାଙ୍କ ଆକଳନକୁ ହାରାହାରି ଭାବେ ହିସାବ କଲେ, ରାଷ୍ଟ୍ରପତି ନିର୍ବାଚନରେ କମଳା ହ୍ୟାରିସଙ୍କୁ ୪୯ ପ୍ରତିଶତ ଓ ଡୋନାଲ୍ଡ ଟ୍ରମ୍ପଙ୍କୁ ୪୮ ପ୍ରତିଶତ ଭୋଟ ମିଳିବାର ସମ୍ଭାବନା ରହିଛି। ତେବେ ଶେଷ ପର୍ଯ୍ୟାୟରେ ଟ୍ରମ୍ପଙ୍କ ଲୋକପ୍ରିୟତା ବଢ଼ିଥିବା ଦେଖିବାକୁ ମିଳୁଛି।
ଏକ ଆକଳନ ଅନୁସାରେ ଅକ୍ଟୋବର ୧ ତାରିଖରେ ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପଙ୍କୁ ୪୬ ପ୍ରତିଶତ ଏବଂ କମଳାଙ୍କୁ ୫୦ ପ୍ରତିଶତରୁ ଅଧିକ ଭୋଟ ମିଳୁଥିବାର ଦେଖିବାକୁ ମିଳିଥିଲା। ତେବେ ଗତ ମାସେ ମଧ୍ୟରେ ଟ୍ରମ୍ପ କରିଥିବା ନିର୍ବାଚନୀ ପ୍ରଚାରରେ ଲୋକଙ୍କ ନିକଟତର ହୋଇଥିବା ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି।
ଉଭୟ ଟ୍ରମ୍ପ ଏବଂ ହ୍ୟାରିସଙ୍କ ପାଖରେ ଏମିତି କିଛି ରାଜ୍ୟ ରହିଛି ଯେଉଁଠୁ ଅତି କମରେ ୨୦୦ରୁ ଅଧିକ ଇଲେକ୍ଟୋରାଲ ଭୋଟ ହାସିଲ କରିହେବ। ହେଲେ ଏ ନିର୍ବାଚନୀ ଯୁଦ୍ଧ ଜିତିବା ପାଇଁ ୨୭୦ ଭୋଟ ହାତେଇବା ଦରକାର। ଏଥିପାଇଁ ଉଭୟ ନେତା ଆରିଜୋନା, ଜର୍ଜିଆ, ମିଶିଗନ, ନେଭେଡା, ନର୍ଥ କ୍ୟାରୋଲିନା, ପେନସିଲଭାନିୟା ଓ ୱିସକନସିନ ଭଳି ସୁଇଂ ଷ୍ଟେଟଗୁଡ଼ିକ ଉପରେ ଅଧିକ ଗୁରୁତ୍ଵ ଦେଉଛନ୍ତି। ପୂର୍ବେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନଗୁଡ଼ିକରେ ଏହି ସବୁ ରାଜ୍ୟର ଫଳାଫଳ ବାଜି ପଲଟାଇବାର ନଜିର ରହିଛି।
ରାଜନୈତିକ ବିଶେଷଜ୍ଞଙ୍କ ମତ ତଥା ନିର୍ବାଚନ ପୂର୍ବର ସର୍ଭେକୁ ଦେଖିଲେ ଜଣାପଡୁଛି ପେନସିଲଭାନିୟା, ମିଶିଗନ, ୱିସକନସିନ ପରି ରାଜ୍ୟରେ କମଳା ହ୍ୟାରିସ ଯଥେଷ୍ଟ ଆଗରେ ଅଛନ୍ତି। ସେହିପରି ଏରିଜୋନା, ନର୍ଥ କ୍ୟାରୋଲିନା, ନେବାଦା ତଥା ଜର୍ଜିଆରେ ଟ୍ରମ୍ପ ଆଗରେ ଥିବା ଦେଖିବାକୁ ମିଳିଛି। ଏହା ଉପରେ ହିଁ ଟ୍ରମ୍ପ ଓ କମଳାଙ୍କ ଭାଗ୍ୟ ନର୍ଭର କରିବ ବୋଲି ସର୍ଭେ କହୁଛି।
ତେବେ ଆମେରିକାରେ ଟ୍ରମ୍ପ ଦ୍ଵିତୀୟ ଥର ପାଇଁ ଶାସନ କ୍ଷମତାକୁ ଆସିବେ ନା କମଳା ହ୍ୟାରିସ ପ୍ରଥମ ମହିଳା ରାଷ୍ଟ୍ରପତି ହେବାର ଗୌରବ ହାସଲ କରିବେ ତାହା ଖୁବ୍ ଶୀଘ୍ର ଜଣା ପଡ଼ିଯିବ।
Tags: #USPresidentialElections2024 #KamalaHarris #DemocraticParty #DonaldTrump #RepublicanParty #Politics #USA