ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ବାତ୍ୟା ‘ଦାନା’ ଘଟାଇଥିବା କ୍ଷୟକ୍ଷତିର ରିପୋର୍ଟ ଆସିଛି। ପ୍ରାଥମିକ ଆକଳନ ଅନୁସାରେ ବାତ୍ୟା ଯୋଗୁଁ ରାଜ୍ୟରେ ପ୍ରାୟ ୬୦୦ କୋଟି ଟଙ୍କାର କ୍ଷତି ହୋଇଛି। ଏଥିରେ ବାଲେଶ୍ୱର, ଭଦ୍ରକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏନେଇ ସୋମବାର ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ।     

“ବାତ୍ୟା ‘ଦାନା’ରେ ଓଡ଼ିଶାର ୧୪ଟି ଜିଲ୍ଲାର ୧୩୧ଟି ବ୍ଲକରେ କ୍ଷୟକ୍ଷତି ହୋଇଛି। ଏଥିରେ ୧୧ ହଜାର ୬୩୭ଟି ଗାଁର ପ୍ରାୟ ୪୧ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ମୋଟ ୨୭ଟି ଘର ସଂପୂର୍ଣ୍ଣ ଭାବେ ଭାଙ୍ଗି ଯାଇଥିବାବେଳେ ୧୪ ହଜାର ୬୮୦ଟି ଘର ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି”, କହିଛନ୍ତି ସୁରେଶ ପୂଜାରୀ।

ସେ ଆହୁରି ମଧ୍ୟ କହିଛନ୍ତି, “ଏବେ ପଞ୍ଚାୟତିରାଜ ବିଭାଗ ଛଡ଼ା ଅନ୍ୟ ସବୁ ବିଭାଗରୁ କ୍ଷୟକ୍ଷତି ରିପୋର୍ଟ ଆସିଛି। ଏଥିମଧ୍ୟରୁ ଶକ୍ତି ବିଭାଗ ବେଶୀ କ୍ଷତିଗ୍ରସ୍ତ ହୋଇଛି। ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ ପ୍ରକୃତ କ୍ଷୟକ୍ଷତି ସ୍ପଷ୍ଟ ହେବ। ସବୁ କ୍ଷତିଗ୍ରସ୍ତଙ୍କୁ ସହାୟତା ଦିଆଯିବ।”

ବଙ୍ଗୋପସାଗରରେ ଆସିଥିବା ଭୀଷଣ ବାତ୍ୟା ‘ଦାନା’ ଅକ୍ଟୋବର ୨୪ ତାରିଖ ମଧ୍ୟରାତ୍ରିରେ ଭିତରକନିକାର ହବାଳିଖଟି ନେଚର କ୍ୟାମ୍ପ ନିକଟରେ ଲ୍ୟାଣ୍ଡଫଲ୍ କରିଥିଲା। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୨୦ କିଲୋମିଟର ରହିଥିଲା। ଏହା ପ୍ରଭାବରେ ବାଲେଶ୍ୱର, ଭଦ୍ରକ ଏବଂ କେନ୍ଦ୍ରାପଡ଼ା ସମେତ ଅନ୍ୟ କିଛି ଉପକୂଳବର୍ତ୍ତୀ ଜିଲ୍ଲା ପ୍ରଭାବିତ ହୋଇଥିଲା।

Tags: #CycloneDana #Destruction #CoastalDistricts #Odisha

Comment